ଇସଲାମାବାଦ: ଲାହୋରର ଇସଲାମପୁରା ଏବେ କୃଷ୍ଣ ନଗର ହୋଇଛି। ବାବ୍ରି ମସଜିଦ ଚୌକକୁ ଜୈନ ମନ୍ଦିର ଚୌକ ଭାବରେ ପୁନଃନାମିତ କରାଯାଇଛି, ଏବଂ ସୁନ୍ନତ ନଗରକୁ ସନ୍ଥ ନଗର ଭାବରେ ନାମିତ କରାଯାଇଛି। ମୁସ୍ତାଫାବାଦ ଏବେ ଧରମପୁରା ଭାବରେ ପରିଚିତ ହେବ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ସତ୍ୟ। ବିଭାଜନର ଆଠ ଦଶନ୍ଧି ପରେ, ପାକିସ୍ତାନର ଲାହୋରରେ ରାସ୍ତା, ଗଳି ଏବଂ ମୋହଲ୍ଲାଗୁଡ଼ିକର ନାମ ସେମାନଙ୍କର ମୂଳ ନାମକୁ ଫେରିଛି। ସରକାରଙ୍କ ପକ୍ଷରୁ ନାମ ପରିବର୍ତ୍ତନ କରାଯାଉଛି। ପଞ୍ଜାବର ଲାହୋର ୧୯୪୭ ମସିହାରେ ବିଭାଜନ ପରେ ପାକିସ୍ତାନକୁ ଯାଇଥିଲା। ବର୍ତ୍ତମାନ, ଏହା ପାକିସ୍ତାନର ପଞ୍ଜାବ ରାଜ୍ୟର ରାଜଧାନୀ। ପାକିସ୍ତାନର ପ୍ରାୟ ଆଠ ଦଶନ୍ଧିର ଶାସନ କାଳରେ, ସହର ମଧ୍ୟରେ ପ୍ରମୁଖ ସ୍ଥାନଗୁଡ଼ିକର ନାମ ପରିବର୍ତ୍ତନ କରାଯାଇଥିଲା, ଯାହା ଐତିହ୍ୟର ସମ୍ପୂର୍ଣ୍ଣ ପରିବର୍ତ୍ତନ ଥିଲା। ସେଗୁଡ଼ିକୁ ଇସଲାମିକ, ପାକିସ୍ତାନୀ କିମ୍ବା ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କରାଯାଇଥିଲା।
ବାବରୀ ଚୌକ ହେଲା ଜୈନ ମନ୍ଦିର ଚୌକ
ବର୍ତ୍ତମାନ ପାକିସ୍ତାନର ପଞ୍ଜାବ ସରକାର ଲାହୋରର ବିଭାଜନ ପୂର୍ବ ଐତିହ୍ୟକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଯାହା ଦଶନ୍ଧି ଧରି ଧୀରେ ଧୀରେ ଲୋପ ପାଇଯାଇଥିଲା। ନାମ ପରିବର୍ତ୍ତନ କରିବାର ଏହି ପଦକ୍ଷେପ ପଞ୍ଜାବର ମରିୟମ ନୱାଜ ସରକାରଙ୍କ ପ୍ରୟାସର ଏକ ଅଂଶ। ପାକିସ୍ତାନର ପଞ୍ଜାବ ସରକାର ଲାହୋରର ଅନେକ ରାସ୍ତା ଏବଂ ରାସ୍ତାର ସ୍ୱାଧୀନତା ପୂର୍ବ ନାମକୁ ପୁନରୁଦ୍ଧାର କରିବା ପାଇଁ ଏକ ଯୋଜନାକୁ ଅନୁମୋଦନ କରିଛନ୍। କିଛି ଦିନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଜାବ କ୍ୟାବିନେଟ ବୈଠକରେ, ଲାହୋର ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ରାସ୍ତା ଏବଂ ଗଳିର ମୂଳ ତଥା ଐତିହାସିକ ନାମକୁ ପୁନରୁଦ୍ଧାର କରିବା ପାଇଁ ଏକ ଯୋଜନାକୁ ଅନୁମୋଦନ କରାଯାଇଥିଲା। ଏହି ଐତିହାସିକ ସହରର ସାଂସ୍କୃତିକ ପରିଚୟ ଏବଂ ଐତିହ୍ୟକୁ ପୁନରୁଦ୍ଧାର କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନେତୃତ୍ୱରେ ଚାଲିଛି। ସେ ଲାହୋର ଐତିହ୍ୟ କ୍ଷେତ୍ର ପୁନରୁଦ୍ଧାର ପ୍ରକଳ୍ପର ମଧ୍ୟ ନେତୃତ୍ୱ ନେଉଛନ୍ତି। ତାଙ୍କ ପ୍ରସ୍ତାବକୁ ଗତ ସପ୍ତାହରେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
ପୂର୍ବ ସରକାରମାନେ ଲାହୋରର ଐତିହାସିକ ଗଳି ଏବଂ ରାସ୍ତାଗୁଡ଼ିକର ନାମ ପରିବର୍ତ୍ତନ କରିଥିଲେ, ଯେପରିକି କୁଇନ୍ସ ରୋଡ୍, ଜେଲ୍ ରୋଡ୍, ଡେଭିସ୍ ରୋଡ୍, ଲରେନ୍ସ ରୋଡ୍, ଏମ୍ପ୍ରେସ୍ ରୋଡ୍, କୃଷ୍ଣ ନଗର, ସନ୍ଥ ନଗର, ଧର୍ମପୁରା, ବ୍ରାଣ୍ଡରେଥ୍ ରୋଡ୍, ରାମ ଗଲି, ଟେମ୍ପଲ୍ ଷ୍ଟ୍ରିଟ୍, ଲକ୍ଷ୍ମୀ ଚୌକ୍, ଜୈନ ମନ୍ଦିର ରୋଡ୍, କୁମ୍ଭାରପୁରା, ମୋହନ ଲାଲ୍ ବଜାର, ସୁନ୍ଦର ଦାସ ରୋଡ୍, ଭଗବାନ ପୁରା, ଶାନ୍ତି ନଗର ଏବଂ ଆଉଟଫଲ୍ ରୋଡ୍। ସରିଫ ମିଣ୍ଟୋ ପାର୍କ (ଗ୍ରେଟର ଇକବାଲ ପାର୍କ) ରେ ତିନୋଟି କ୍ରିକେଟ୍ ପଡ଼ିଆ ଏବଂ ଏକ ପାରମ୍ପରିକ ଆଖଡ଼ା (କୁସ୍ତି ଆଖଡ଼ା) ର ନବୀକରଣ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ଭାଇ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ୨୦୧୫ ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏକ ନଗର ଉନ୍ନୟନ କାର୍ଯ୍ୟକ୍ରମର ଅଂଶ ଭାବରେ ତିନୋଟି ଐତିହାସିକ କ୍ରିକେଟ୍ ପଡ଼ିଆ, କ୍ରିକେଟ୍ କ୍ଲବ୍ ସହିତ ଜଡିତ ଅଞ୍ଚଳ ଏବଂ ଏକ କୁସ୍ତି ଆଖଡ଼ା ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିବା ପାଇଁ କଠୋର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପୂର୍ବତନ ପାକିସ୍ତାନୀ କ୍ରିକେଟ୍ ଅଧିନାୟକ ଇଞ୍ଜମାମ-ଉଲ-ହକ୍ ଭଳି ଅନେକ କ୍ରିକେଟର ମିଣ୍ଟୋ ପାର୍କର ଏହି କ୍ରିକେଟ୍ କ୍ଲବଗୁଡ଼ିକରେ ତାଲିମ ନେଇଥିଲେ।
ଦେଶ ବିଭାଜନ ପୂର୍ବରୁ, ଭାରତୀୟ କ୍ରିକେଟର ଲାଲା ଅମରନାଥ ମଧ୍ୟ ଏହି କ୍ଲବଗୁଡ଼ିକରେ ତାଲିମ ନେଉଥିଲେ। ୧୯୭୮ ମସିହାରେ ଯେତେବେଳେ ଅମରନାଥ ଭାରତୀୟ କ୍ରିକେଟ ଦଳ ସହିତ ଲାହୋର ଯାଇଥିଲେ, ସେ ମିଣ୍ଟୋ ପାର୍କ ପରିଦର୍ଶନ କରିଥିଲେ ଏବଂ କ୍ରିସେଣ୍ଟ କ୍ରିକେଟ କ୍ଲବର ଖେଳାଳିମାନଙ୍କ ସହିତ ସମୟ ବିତାଇଥିଲେ। ସେ ଭାରତ ବିଭାଜନ ପର୍ଯ୍ୟନ୍ତ ଏହି କ୍ଲବ ପାଇଁ ଖେଳିଥିଲେ। ମିଣ୍ଟୋ ପାର୍କର ବର୍ତ୍ତମାନ ଭାଙ୍ଗିଯାଇଥିବା କୁସ୍ତି ଆଖଡ଼ାରେ ଥରେ ଗୁଙ୍ଗା ପେହେଲୱାନ, ଇମାମ ବକ୍ଷ ଏବଂ ଗାମା ପେହେଲୱାନଙ୍କ ଭଳି କିମ୍ବଦନ୍ତୀ ମଲ୍ଲଯୋଦ୍ଧାମାନଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା। ବିଭାଜନ ପୂର୍ବରୁ, ହିନ୍ଦୁମାନେ ମିଣ୍ଟୋ ପାର୍କରେ ଦଶହରା ପାଳନ କରୁଥିଲେ।
ସୌଜନ୍ୟ ସମ୍ବାଦ

