ତେହେରାନ: ଫେବ୍ରୁଆରି ୨୮ ତାରିଖରୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ଏବଂ ତାଙ୍କ ସମଗ୍ର ପରିବାର ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କ ପୁଅ ମୋଜତାବା ଖେମିନି ଏହି ଭୟଙ୍କର ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଛନ୍ତି। ତଥାପି, ପ୍ରାୟ ତିନି ମାସ ପରେ, ତାଙ୍କ ସ୍ୱାସ୍ଥ୍ୟ କିମ୍ବା ସ୍ଥାନ ସମ୍ପର୍କରେ କୌଣସି ନିଶ୍ଚିତ ସୂଚନା ମିଳିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଅଧିକାରୀମାନଙ୍କ ଅନୁସାରେ ମୋଜତାବା ଖେମିନି ବର୍ତ୍ତମାନ କଡ଼ା ସୁରକ୍ଷା ମଧ୍ୟରେ ଏକ ଭୂତଳ ବଙ୍କରରେ ଲୁଚି ରହିଛନ୍ତି। ସେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଏବଂ ଆଧୁନିକ ଫୋନ୍ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରିବା ପରିବର୍ତ୍ତେ ନିଜ ସରକାରୀ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚିଠି ଏବଂ ଗୁପ୍ତ ଦୂତମାନଙ୍କର ଏକ ଜଟିଳ ନେଟୱାର୍କ ବ୍ୟବହାର କରୁଛନ୍ତି। ଇରାନର ବଡ଼ ବଡ଼ ଅଧିକାରୀଙ୍କ ପାଖରେ ମୋଜତାବାଙ୍କ ଠିକଣା ସମ୍ପର୍କରେ କୌଣସି ସୂଚନା ନାହିଁ। ମୋଜତାବାଙ୍କ ସହ ସିଧାସଳଖ ଯୋଗାଯୋଗ ସମ୍ଭବ ହୋଇପାରୁନି।
ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ, ଇରାନ ଭିତରେ ଏହି ଯୋଗାଯୋଗ ବିଚ୍ଛିନ୍ନତା ବର୍ତ୍ତମାନ ୱାସିଂଟନ ଏବଂ ତେହେରାନ ମଧ୍ୟରେ ଶାନ୍ତି ଆଲୋଚନାରେ ବିଳମ୍ବର ସବୁଠାରୁ ବଡ଼ କାରଣ ପାଲଟିଛି। ଯେତେବେଳେ ଟ୍ରମ୍ପ ପ୍ରଶାସନ ଇରାନକୁ ଏକ ନୂତନ ଚୁକ୍ତି ପ୍ରସ୍ତାବ ପଠାଉଛନ୍ତି, ସେତେବେଳେ ଇରାନୀ ଆଲୋଚନାକାରୀମାନଙ୍କୁ ସର୍ବୋଚ୍ଚ ନେତାଙ୍କ ଅନୁମୋଦନ ପାଇବା ପାଇଁ କିଛି ଦିନ ସମୟ ଲାଗୁଛି। ମୋଜତାବାଙ୍କ ପାଖରେ ପହଞ୍ଚୁଥିବା ଯେକୌଣସି ସୂଚନା ପ୍ରାୟତଃ ଅନେକ ଦିନ ପୁରୁଣା ହୋଇଯାଉଛି। ସେଥିପାଇଁ ତାଙ୍କର ପ୍ରତିକ୍ରିୟା ଏତେ ସମୟ ନେଉଛି। ଏହି କାରଣରୁ କେତେକ ସମୟରେ ରିପୋର୍ଟ ପ୍ରକାଶ ପାଉଛି ଯେ, ଇରାନ ଏକ ଚୁକ୍ତି ପାଇଁ ପ୍ରସ୍ତୁତ, ଏବଂ କେତେକ ସମୟରେ କୁହାଯାଉଛି ଯେ ଚୂଡ଼ାନ୍ତ ସର୍ତ୍ତଗୁଡ଼ିକ ଏପର୍ଯ୍ୟନ୍ତ ବିଚାରାଧୀନ ଅଛି।
ଇରାନୀ ଅଧିକାରୀଙ୍କ ଅବସ୍ଥା ଏକ ‘କମେଡି ସୋ’ ଭଳି ହୋଇଯାଇଛି। ୨୦୨୬ ମାର୍ଚ୍ଚ ଆରମ୍ଭରେ ସର୍ବୋଚ୍ଚ ନେତା ପଦ ଗ୍ରହଣ କରିବା ପରଠାରୁ ମୋଜତାବା କ୍ୟାମେରାରେ କିମ୍ବା ସାଧାରଣରେ ଦେଖାଯାଇ ନାହାନ୍ତି। ଇରାନର ସରକାରୀ ଗଣମାଧ୍ୟମ ବେଳେବେଳେ ତାଙ୍କର ଭିଡିଓ ପ୍ରକାଶ କରୁଛି, କିନ୍ତୁ ବିଶେଷଜ୍ଞମାନଙ୍କ ଅନୁସାରେ ଏହି ଭିଡିଓଗୁଡ଼ିକ ତାରିଖହୀନ ଏବଂ ସେଗୁଡ଼ିକ କେଉଁଠାରେ ରେକର୍ଡ କରାଯାଇଛି ତାହା ନିର୍ଣ୍ଣୟ କରିବା ଅସମ୍ଭବ। ଗୁପ୍ତଚର ସୂଚନା ଅନୁଯାୟୀ, ଯୁଦ୍ଧ ସମୟରେ, ଆମେରିକା ଏବଂ ଇସ୍ରାଏଲ ଇରାନର ସରକାରୀ ବ୍ୟବସ୍ଥାରେ ଏପରି ପ୍ରବେଶ କରିଥିଲେ ଯେ, ସେମାନେ ଯେକୌଣସି ପ୍ରମୁଖ ନେତାଙ୍କ ସ୍ଥାନକୁ ଟ୍ରାକ୍ କରିପାରିବେ ତାହା ଜଣାପଡ଼ିଥିଲା। ଏହି ଭୟ ଏବେ ସମଗ୍ର ଇରାନ ନେତୃତ୍ୱକୁ ବଙ୍କରରେ ସୀମିତ କରିଦେଇଛି। ଇରାନ ଅଧିକାରୀମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ଏକ କମେଡି ସୋ’ ଦେଖିବା ପରି ହୋଇଯାଇଛି ବୋଲି ଆମେରିକା ଅଧିକାରୀମାନେ କହିଛନ୍ତି। ସେମାନେ ସମ୍ପୂର୍ଣ୍ଣ ହତାଶ ଏବଂ ବିଚଳିତ ହୋଇପଡ଼ିଛନ୍ତି।
ଯଦିଓ ଆଲୋଚନାର ଗତି ଅତ୍ୟନ୍ତ ଧୀର, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ମୋଜତାବା ଆମେରିକା ସହିତ ଏକ ବ୍ୟାପକ ଶାନ୍ତି ଚୁକ୍ତିନାମାକୁ ନୀତିଗତ ଅନୁମୋଦନ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ନିଜେ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି , ସେ ଆଶା କରୁଛନ୍ତି ଯେ ଏହି ଐତିହାସିକ ଚୁକ୍ତିନାମା ଆଗାମୀ କିଛି ଦିନ ମଧ୍ୟରେ ଚୂଡ଼ାନ୍ତ ହେବ। ମୋଜତାବା ତାଙ୍କ ବଙ୍କରରୁ ତାଙ୍କ ଆଲୋଚନାକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ପଠାଇଛନ୍ତି ଯେ, କେଉଁ ପ୍ରସଙ୍ଗଗୁଡ଼ିକ ୱାସିଂଟନ ସହିତ ଆଲୋଚନା ଯୋଗ୍ୟ ଏବଂ କେଉଁଗୁଡ଼ିକ ସମ୍ପୂର୍ଣ୍ଣ ସୀମା ବାହାରେ ରହିବ।
ସୌଜନ୍ୟ ସମ୍ବାଦ