OIL: ତେଲ କମ୍ପାନିଙ୍କ କ୍ଷତି ୬୦୦ କୋଟିକୁ ହ୍ରାସ: ସରକାର ମାସକୁ ହରାଉଛନ୍ତି ୧୪ ହଜାର କୋଟି

ନୂଆଦିଲ୍ଲୀ: ଗତ ୧୧ ଦିନ ମଧ୍ୟରେ ଚାରି ଥର ଦରବୃଦ୍ଧି କରିବା ପରେ ତୈଳ କମ୍ପାନିଗୁଡ଼ିକର ଦୈନିକ କ୍ଷତି ୬୦୦ କୋଟି ଟଙ୍କାକୁ ହ୍ରାସ ପାଇଛି। ପୂର୍ବରୁ ସେମାନଙ୍କ କ୍ଷତି ୧୦୦୦ କୋଟି ଟଙ୍କାରୁ ଅଧିକ ଥିଲା। ଅ‌ଶୋଧିତ ତେଲ ମହଙ୍ଗା ରହିଥିବାରୁ ଦରବୃଦ୍ଧି ସତ୍ତ୍ବେ କମ୍ପାନିଗୁଡ଼ିକର ଅଧା କ୍ଷତି ମଧ୍ୟ ଭରଣା ହୋଇପାରିନାହିଁ। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଏହି କ୍ଷତି ସହୁଛନ୍ତି।

ତେଲ ଦରବୃଦ୍ଧିର ଚାପ କେନ୍ଦ୍ର ସରକାରଙ୍କ ରାଜକୋଷ ଉପରେ ମଧ୍ୟ ପଡ଼ିଛି। ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଥିବାରୁ ସରକାର ପ୍ରତି ମାସରେ ୧୪ ହଜାର କୋଟି ଟଙ୍କା ହରାଉଛନ୍ତି। ନୀତି ନିର୍ମାତାମାନେ ତେଲକୁ ନେଇ ସନ୍ତୁଳିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦରଦାମ୍‌ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ତେଲ ଦର ଧୀରେ ଧୀରେ ବଢ଼ୁଛି। ଅନ୍ୟପ‌ଟେ ତେଲ କମ୍ପାନିଗୁଡ଼ିକର କ୍ଷତିକୁ ହ୍ରାସ କରିବାକୁ ମଧ୍ୟ ସେମାନେ ଗୁରୁତ୍ବ ଦେଉଛନ୍ତି। ଗତ ମାର୍ଚ୍ଚ ୨୭ରେ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୧୦ ଟଙ୍କାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ।

ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଦ୍ବାରା ଦେଶର ୪୦ ପ୍ରତିଶତ ଅଶୋଧିତ ତୈଳ, ୯୦ ପ୍ରତିଶତ ଏଲ୍‌ପିଜି ଓ ୬୫ ପ୍ରତିଶତ ନାଚୁରାଲ ଗ୍ୟାସ୍‌ ଆମଦାନି ପ୍ରଭାବିତ ହୋଇଛି। ତଥାପି ଦେଶରେ ଏହି ସମସ୍ତ ଇନ୍ଧନ ଯୋଗାଣ ସ୍ବାଭାବିକ ରଖିବାକୁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଦେଶରେ ଦୈନିକ ଏଲ୍‌ପିଜି ଉତ୍ପାଦନ ୫୦ ହଜାର ଟନ୍‌ରେ ପହଞ୍ଚିଛି।

 

 

 

ସୌଜନ୍ୟ ସମ୍ବାଦ