CableCar: ମଝି ଆକାଶରେ ଆତଙ୍କ: ଗୁଲ୍‌ମାର୍ଗରେ କେବଲ କାର୍‌ ସିଷ୍ଟମ ଅଚଳ ହୋଇଯିବାରୁ ୩୦୦ ପର୍ଯ୍ୟଟକ ଫସିଗଲେ

ଗୁଲମାର୍ଗ: ଜମ୍ମୁ କାଶ୍ମୀରଗୁଲ୍‌ମାର୍ଗ ଜିଲ୍ଲାରେ ଆଜି ମଝି ଆକାଶରେ ଏକ କେବଲ କାର୍‌ ସିଷ୍ଟମ୍‌ ଅଚଳ ହୋଇଯିବାରୁ ପାଖାପାଖି ୩୦୦ ପର୍ଯ୍ୟଟକ ଫସି ଯାଇଥିଲେ। ତୁରନ୍ତ ସେନା, ପୁଲିସ ଦ୍ବାରା ଉଦ୍ଧାର ଅପରେସନ୍‌ ଆରମ୍ଭ ହୋଇଥିଲା। ଅଧିକାରୀମାନେ କହିଛନ୍ତି, କେବଲ କାର୍‌ ସର୍ଭିସ ଯାହା କି ଗୋଣ୍ଡଲା ଭାବେ ଜଣାଶୁଣା ଆଜି ହଠାତ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇପଡ଼ିଥିଲା। ଅନେକ କ୍ୟାବିନରେ ପର୍ଯ୍ୟଟକମାନେ ଫସି ରହିଥିଲେ ଏବଂ ସେମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।

ଏହି ଘଟଣା ପରେ ସେନା, ଜମ୍ମୁ କାଶ୍ମୀର ପୁଲିସ ଏବଂ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପ‌ରେସନ୍‌ ଆରମ୍ଭ କରିଥିଲେ। ତଙ୍ଗମାର୍ଗ ଏସ୍‌ଡିଏମ୍‌ ଏବଂ ତହସିଲଦାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ୍‌ ତଦାରଖ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଗୋଣ୍ଡଲା ମଝି ଆକାଶରେ ବନ୍ଦ ହୋଇଯିବାରୁ ପର୍ଯ୍ୟଟକମାନେ ଭୟ କରିଯାଇଥିଲେ।

ପାଖାପାଖି ୩୦୦ ପର୍ଯ୍ୟଟକ ବିଭିନ୍ନ କ୍ୟାବିନ୍‌ରେ ଫସି ରହିଥିଲେ। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ସରକାର ଗୁଲ୍‌ମାର୍ଗ ଗଣ୍ଡୋଲାରେ ସ୍ଥିତି ସମୀକ୍ଷା କରୁଛନ୍ତି। ଯାନ୍ତ୍ରିକ ତ୍ରୁଟି ପାଇଁ କେବଲ କାର୍‌ ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସେ କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ