War: ପଶ୍ଚିମ ଏସିଆ ଯୁଦ୍ଧର ବ୍ୟାପକ ପ୍ରଭାବ: ସିଆ ସମୁଦାୟ ପ୍ରଭାବିତ

ଇସଲାମାବାଦ: ଆଫ୍ରିକାରେ କୁହାଯାଏ ଯେ, ଯେତେବେ‌ଳେ ଦୁଇଟି ହାତୀ ଲଢ଼େଇ କରନ୍ତି, ସେତେବେଳେ ଘାସ ବଳି ପଡ଼ିଥାଏ। ଏହି କଥାଟି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ରହୁଥିବା ପାକିସ୍ତାନର ସିଆ ସମ୍ପ୍ରଦାୟର ଲୋକଙ୍କ ସହିତ ବାସ୍ତବରେ ଘଟୁଛି। ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଆବୁଧାବି ଓ ଇସଲାମାବାଦ ମଧ୍ୟରେ ସମ୍ପର୍କ ଖରାପ ହେବା ପରେ ପାକିସ୍ତାନୀ ସିଆମାନେ କଠୋର ପ୍ରତିଘାତର ସମ୍ମୁଖୀନ ହେଉଛନ୍ତି।

ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ଓ ୟୁଏଇ ଉପରେ ଇରାନର ଆକ୍ରମଣ ପରେ ଇସଲାମାବାଦ ଇରାନ ଓ ଆମେରିକା ଭିତରେ ମଧ୍ୟସ୍ଥତା କରୁଛି। ଏହି ଘଟଣା ପରେ ୟୁଏଇ ନିଜ ଦେଶରେ ରହୁଥିବା ପାକିସ୍ତାନର ସିଆ ସମ୍ପ୍ରଦାୟର ଲୋକଙ୍କୁ ବ୍ୟାପକ ଭାବେ ନିର୍ବାସନ କରିବା ଆରମ୍ଭ କରିଛି। ଅନ୍ୟ ଉପସାଗରୀୟ ଦେଶମାନଙ୍କ ପରି ୟୁଏଇରେ ପାକିସ୍ତାନ ଶ୍ରମିକଙ୍କ ଏକ ବଡ଼ ସମୁଦାୟ ରହୁଛି। ବିଦେଶରେ ରହୁଥିବା ପାକିସ୍ତାନ ଆସୋସିଏସନର ତଥ୍ୟ ଅନୁଯାୟୀ, ୟୁଏଇରେ ୧.୮ ନିୟୁତ ପାକିସ୍ତାନୀ ରହୁଛନ୍ତି ଓ କାମ କରୁଛନ୍ତି, ଯାହା ସେମାନଙ୍କୁ ଏମିରେଟ୍ସରେ ଦ୍ୱିତୀୟ ବୃହତମ ପ୍ରବାସୀ ସମ୍ପ୍ରଦାୟ କରିଛି। ପାକିସ୍ତାନର ଦୁର୍ବଳ ଅର୍ଥନୀତିରେ ଏହି କର୍ମଶକ୍ତିର ଏକ ବଡ଼ ଯୋଗଦାନ ରହିଛି। ଗତବର୍ଷ ସେମାନେ ଦେଶକୁ ୮ ବିଲିଅନ ଆମେରିକୀୟ ଡଲାର ପଠାଇଥିଲେ। ଏହି ସମୟରେ ୟୁଏଇରେ ଥିବା ସିଆ ପ୍ରବାସୀ ସିଧାସଳଖ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।

ପାକିସ୍ତାନର କେତେକ ସିଆ ୟୁଏଇରୁ ନିର୍ବାସିତ ହୋଇଛନ୍ତି ସେନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ନିକଟରେ ସରକାରୀ ତଥ୍ୟ ନାହିଁ। ପାକିସ୍ତାନ ମଧ୍ୟ ଗଣ ନିର୍ବାସନ କଥାକୁ ଖଣ୍ଡନ କରିଛି। ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ତାହିର୍‌ ଅନ୍ଦ୍ରାବି ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ, ଏମିରେଟ୍ସରେ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବା ଲୋକଙ୍କୁ କେବଳ ନିର୍ବାସିତ କରାଯାଇଛି। କିନ୍ତୁ ସିଆମାନଙ୍କୁ ଟାର୍ଗେଟ କରି ନିର୍ବାସନ କରାଯିବା ପ୍ରସଙ୍ଗରେ ଅନ୍ଦ୍ରାବି ନିରବ ରହିଥିଲେ। ତେବେ ଏହି ପ୍ରସଙ୍ଗରେ ପାକିସ୍ତାନର ସିଆମାନଙ୍କ ମତ ଭିନ୍ନ ରହିଛି। ଇସଲାମାବାଦ ସିଆ ରାଜନୈତିକ ସଙ୍ଗଠନର ଜଣେ ମୁଖ୍ୟ ମହମ୍ମଦ ଅମିନ୍‌ ଶାହିଦୀ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ, ତାଙ୍କ ଗ୍ରୁପ୍‌ ଏପର୍ଯ୍ୟନ୍ତ ୫ ହଜାର ପରିବାର ନିର୍ବାସିତ ହୋଇଥିବା ପଞ୍ଜିକରଣ କରିଛି। ମିଡିଲ ଇଷ୍ଟ ଆଇକୁ ଶାହିଦୀ କହିଛନ୍ତି ଯେ, ୟୁଏଇ କାର୍ଯ୍ୟାନୁଷ୍ଠାନର ପ୍ରକୃତରେ ବଡ଼ଧରଣର ଥିଲା, ଗତ କିଛି ମାସ ମଧ୍ୟରେ ପ୍ରାୟ ୧୫,୦୦୦ ପାକିସ୍ତାନୀ ସିଆଙ୍କୁ ନିର୍ବାସନ କରାଯାଇଛି ଓ ୟୁଏଇରେ ପୁନଃପ୍ରବେଶକୁ ମନା କରାଯାଇଛି। ପାକିସ୍ତାନୀ ସିଆ ରାଜନୈତିକ ସଂଗଠନ ମଜଲିସ୍ ୱାହଦତ୍-ଏ-ମୁସଲିମିନ୍ ଦ୍ୱାରା ସଂକଳିତ ଏକ ଡାଟାବେସ୍‌ରେ ଫେବୃଆରୀ ୨୮ ତାରିଖରୁ ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ୭୫୦୦ ପାକିସ୍ତାନୀ ସିଆଙ୍କୁ ଆରବ ରାଷ୍ଟ୍ରରୁ ନିର୍ବାସିତ କରାଯାଇଥିବା ରଏଟର୍ସ ରିପୋର୍ଟ କରିଛି।

 

 

 

ସୌଜନ୍ୟ ସମ୍ବାଦ