More Than 500 Decomposed Cattle: ଜୈସଲମେର ଡମ୍ପିଂୟାର୍ଡରେ ୫୦୦ ରୁ ଅଧିକ ଗୋରୁଙ୍କ ପଚାସଢ଼ା ମୃତଦେହ: ହସ୍ତକ୍ଷେପ କଲେ ପ୍ରଶାସନ

ଜୈସଲମେର: ରାଜସ୍ଥାନର ଜୈସଲମେର ଜିଲ୍ଲାରୁ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି ଯାହା କେବଳ ସରକାରୀ ବ୍ୟବସ୍ଥା ଉପରେ ନୁହେଁ ବରଂ ଗୋ ସୁରକ୍ଷା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛି। ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୭ କିଲୋମିଟର ଦୂର ରାମଗଡ଼ ରୋଡରେ ଅବସ୍ଥିତ ପୌର ପରିଷଦର ଡମ୍ପିଂ ୟାର୍ଡରେ ଖୋଲା ସ୍ଥାନରେ ଶହ ଶହ ଗୋରୁଙ୍କ ପଚାସଢ଼ା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସ୍ଥାନୀୟ ଲୋକ ଏବଂ ଗୋ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଦୀର୍ଘ ଦିନ ଧରି ମୃତ ପ୍ରାଣୀଙ୍କ ଅବଶେଷକୁ ଉପଯୁକ୍ତ ଭାବେ ନଷ୍ଟ କରାଯାଉ ନଥିବା ବିଷୟରେ ଅଭିଯୋଗ ହେଉଛି। ହେଲେ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା କୁହାଯାଉଛି। ଡମ୍ପିଂୟାର୍ଡରେ ମୃତପ୍ରାଣୀ ଜମା ହେବାର ମୁଖ୍ୟ କାରଣ ନଗର ପରିଷଦ ଦ୍ୱାରା ଅନୁମୋଦିତ ଠିକାଦାରଙ୍କ ଘୋର ଅବହେଳା ବୋଲି କୁହାଯାଉଛି। ରିପୋର୍ଟ ଅନୁଯାୟୀ, ଠିକାଦାର ସମୟସୀମା ମଧ୍ୟରେ ମୃତ ପ୍ରାଣୀଙ୍କ ଅବଶେଷକୁ ନଷ୍ଟ କରିବାରେ ବିଫଳ ହୋଇଛନ୍ତି। ଯାହା ଫଳରେ ସମଗ୍ର ଅଞ୍ଚଳରେ ମୃତଦେହ ଗଦା ହୋଇ ଦୁର୍ଗନ୍ଧ ବ୍ୟାପୁଛି।

ନଗର ପରିଷଦ ଦ୍ୱାରା ଅନୁମୋଦିତ ଠିକାଦାରଙ୍କ ଘୋର ଅବହେଳା

ମାମଲା ବଢ଼ିବା ପରେ ପ୍ରଶାସନ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜୈସଲମେର ଜିଲ୍ଲା କଲେକ୍ଟର ଅନୁପମା ଜୋରୱାଲଙ୍କୁ ଅବଗତ କରାଯିବା ପରେ ସେ ସମଗ୍ର ଘଟଣା ଉପରେ ଅଧିକାରୀଙ୍କଠାରୁ ଏକ ତଥ୍ୟଭିତ୍ତିକ ରିପୋର୍ଟ ମାଗିଛନ୍ତି। ଏହି ସମୟରେ, ପୌର ପରିଷଦ କମିସନର ଲାଜପାଳ ସିଂହ ସୋଢା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅବହେଳା କରିଥିବା ଠିକାଦାର ଗୋପରାମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ଲୋଡିଛନ୍ତି। ପୌର ପରିଷଦ ଦାବି କରିଛି ଯେ,ଗୋରୁଙ୍କ ମୃତଦେହଗୁଡ଼ିକୁ ଏବେ ଡମ୍ପିଂୟାର୍ଡରୁ ବାହାର କରାଯାଇଛି ଏବଂ ସଠିକ୍ ଭାବରେ ନଷ୍ଟ କରାଯାଇଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଗୋ ଆଶ୍ରୟସ୍ଥଳଗୁଡ଼ିକର ଖରାପ ଅବସ୍ଥା, ଚାରା ଏବଂ ପାଣିର ଅଭାବ ଏବଂ ଅସୁସ୍ଥ ରୋଗୁମାନଙ୍କର ସମୟସୀମାରେ ଚିକିତ୍ସାର ଅଭାବ ଭଳି ସମସ୍ୟାର ସମାଧାନ କରାଯାଉ ନାହିଁ। ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ପ୍ରଶାସନ ଠୋସ୍ ଏବଂ ପ୍ରଭାବଶାଳୀ ପଦକ୍ଷେପ ନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।

ସୌଜନ୍ୟ ସମ୍ବାଦ