ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ମାନବଜାତି ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିଛି। ପୃଥିବୀର ତାପମାତ୍ରା ଦିନକୁ ଦିନ ବଢୁଛି, ଜଙ୍ଗଲ ଧ୍ୱଂସ ହେଉଛି, ବରଫ ତରଳୁଛି ଏବଂ ବନ୍ୟା, ଘୂର୍ଣ୍ଣିଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି। ଏହି ପରିସ୍ଥିତି ମାନବ ସଭ୍ୟତାର ଭବିଷ୍ୟତକୁ ସଙ୍କଟମୟ କରିଦେଇଛି। ଏହି ସମୟରେ ପରିବେଶ ସୁରକ୍ଷା ପାଇଁ ବିଶ୍ୱର ଯୁବପିଢ଼ି ଏକତ୍ର ହୋଇ ଯେଉଁ ଐତିହାସିକ ଆନ୍ଦୋଳନ ଆରମ୍ଭ କରିଥିଲେ, ତାହା ହେଉଛି ‘ଫ୍ରାଇଡେଜ୍ ଫର୍ ଫ୍ୟୁଚର୍’। ଏହା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ପରବର୍ତ୍ତୀ ପିଢ଼ିର ଭବିଷ୍ୟତକୁ ସୁରକ୍ଷିତ ରଖିବାର ଏକ ଶକ୍ତିଶାଳୀ ପ୍ରୟାସ।
ଫ୍ରାଇଡେଜ୍ ଫର୍ ଫ୍ୟୁଚର୍ (ଏଫ୍ଏଫ୍ଏଫ୍) ହେଉଛି ଜଳବାୟୁ ପରିବର୍ତ୍ତନ ବିରୋଧରେ ଆରମ୍ଭ ହୋଇଥିବା ଏକ ବିଶ୍ୱବ୍ୟାପୀ ଯୁବ ପରିବେଶ ଆନ୍ଦୋଳନ। ଏହାର ଆରମ୍ଭ ୨୦୧୮ ମସିହାରେ ସ୍ୱିଡେନ୍ର ପରିବେଶ କର୍ମୀ ଗ୍ରେଟା ଥନ୍ବର୍ଗ କରିଥିଲେ। ସେ ପ୍ରତ୍ୟେକ ଶୁକ୍ରବାର ସ୍ୱିଡେନ ସଂସଦ ସମ୍ମୁଖରେ ଜଳବାୟୁ ସଙ୍କଟ ବିରୋଧରେ ପ୍ରତିବାଦ କରୁଥିଲେ। ସ୍କୁଲ୍ ଛାଡ଼ି ସେ ପ୍ରତିିବାଦ କରୁଥିବାରୁ ଏହାକୁ ‘ସ୍କୁଲ୍ ଷ୍ଟ୍ରାଇକ୍ ଫର୍ କ୍ଲାଇମେଟ୍’ ବୋଲି ମଧ୍ୟ କୁହାଯାଏ। ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାର ଓ ବିଶ୍ୱସ୍ତରୀୟ ନେତାମାନଙ୍କ ଉପରେ ଚାପ ସୃଷ୍ଟି କରି ପରିବେଶ ସୁରକ୍ଷା ପାଇଁ ଶୀଘ୍ର ଓ କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିବା। ବିଶ୍ବ ତାପନର ପ୍ରଭାବ ହ୍ରାସ, କାର୍ବନ ଉତ୍ସର୍ଜନ ହ୍ରାସ ଏବଂ ନୂତନ ତଥା ବିକଳ୍ପ ଶକ୍ତିର ବ୍ୟବହାର ବଢ଼ାଇବା ଉପରେ ଏହି ଆନ୍ଦୋଳନ ବିଶେଷ ଗୁରୁତ୍ୱ ଦେଇଥାଏ। ଏହି ଆନ୍ଦୋଳନର ପ୍ରମୁଖ ପ୍ରତିବାଦ ପ୍ରଣାଳୀ ହେଉଛି ସ୍କୁଲ୍ ଷ୍ଟ୍ରାଇକ୍ ବା ସ୍କୁଲ୍ ଧର୍ମଘଟ। ପ୍ରତ୍ୟେକ ଶୁକ୍ରବାର ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବିରତ ରହି ପ୍ରତିବାଦ ଶୋଭାଯାତ୍ରା, ଧରଣା ଓ ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତି। ଧୀରେ ଧୀରେ ଏହି ଆନ୍ଦୋଳନ ୧୦୦ରୁ ଅଧିକ ଦେଶକୁ ପ୍ରସାରିତ ହୋଇଥିଲା ଏବଂ ଲକ୍ଷାଧିକ ଯୁବକ-ଯୁବତୀ ଏଥିରେ ସାମିଲ୍ ହୋଇଥିଲେ।
ବର୍ତ୍ତମାନ ଫ୍ରାଇଡେଜ୍ ଫର୍ ଫ୍ୟୁଚର୍ ସମଗ୍ର ବିଶ୍ୱର ଯୁବପିଢ଼ିଙ୍କ ପ୍ରିୟ ଶବ୍ଦରେ ପରିଣତ ହୋଇଛି। ଏହା ପ୍ରମାଣ କରିଛି ଯେ ଯୁବ ସମାଜର ଛୋଟ ଛୋଟ ପ୍ରୟାସ ମଧ୍ୟ ବିଶ୍ୱରେ ବଡ଼ ପରିବର୍ତ୍ତନ ଆଣିପାରେ।
ସୌଜନ୍ୟ ସମ୍ବାଦ

