ଦେଶ ବିଦେଶ

Supreme Court: କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ୍: ୧୮ ବର୍ଷରୁ କମ୍‌ ଆନ୍ଦୋଳନକାରୀ ଛାତ୍ରଙ୍କୁ ମୁକ୍ତ କର

ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଛାତ୍ର ଆନ୍ଦୋଳନ ସମୟରେ ଘଟିଥିବା ହିଂସା ଘଟଣାର ପୁଙ୍ଖାନୁପୁଙ୍ଖ ଏବଂ ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆନ୍ଦୋଳନ ସମୟରେ ଗିରଫ....

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଛାତ୍ର ଆନ୍ଦୋଳନ ସମୟରେ ଘଟିଥିବା ହିଂସା ଘଟଣାର ପୁଙ୍ଖାନୁପୁଙ୍ଖ ଏବଂ ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ୧୮ ବର୍ଷରୁ କମ୍ ବୟସର ସମସ୍ତ ନାବାଳକ ଏବଂ କୌଣସି ଅପରାଧରେ ଜଡ଼ିତ ନଥିବା ଆନ୍ଦୋଳନକାରୀ ଛାତ୍ରଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଆଜି ସମସ୍ତ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ନ ନେବାକୁ ଏବଂ ସେମାନଙ୍କ ବ୍ୟକ୍ତିଗତ ସୂଚନା ସାର୍ବଜନୀନ ନ କରିବା ଲାଗି କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।  ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍‌ ଭି. ମୋହନାଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଏହି ଅନ୍ତରୀଣ ସୁରକ୍ଷା କୌଣସି ସମାଜବିରୋଧୀ କିମ୍ବା ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ।

କେନ୍ଦ୍ର ସରକାର ଏବଂ ଦିଲ୍ଲୀ, ମହାରାଷ୍ଟ୍ର, ବିହାର, ଆସାମ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ନୋଟିସ୍ ଜାରି କରି ସୁପ୍ରିମ‌କୋର୍ଟ କହିଛନ୍ତି, ପୁଲିସର ଅତ୍ୟଧିକ ବଳପ୍ରୟୋଗ ଓ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଉଭୟ ଅଭିଯୋଗ ଉପରେ ସ୍ୱାଧୀନ ତଦନ୍ତ ହେବା ଜରୁରୀ। ଖଣ୍ଡପୀଠ କହିଛନ୍ତି, ଆବେଦନକାରୀଙ୍କ ଅଭିଯୋଗ ଉପରେ ଏକ ସ୍ୱାଧୀନ ତଦନ୍ତର ଆବଶ୍ୟକତା ରହିଛି। ଏହି ତଦନ୍ତରେ ଆହତ ପୁଲିସ କର୍ମଚାରୀଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ମଧ୍ୟ ବିଚାରକୁ ନିଆଯିବ। ନିଟ୍‌ ପରୀକ୍ଷା ବିବାଦକୁ କେନ୍ଦ୍ର କରି ଜୁଲାଇ ୨୦ରେ ଦିଲ୍ଲୀରେ ‘ସଂସଦ ଚଲୋ’ ପଦଯାତ୍ରା ସମେତ ବିଭିନ୍ନ ରାଜ୍ୟରେ ହୋଇଥିବା ଆନ୍ଦୋଳନ ସମୟରେ ପୁଲିସ ଅତ୍ୟଧିକ ବଳ ପ୍ରୟୋଗ ଅଭିଯୋଗକୁ ନେଇ ଦାଖଲ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ, ଛାତ୍ରମାନେ ନିଜ ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିଲେ।

ଛାତ୍ର ଆନ୍ଦୋଳନ ହିଂସା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ

ଏଭଳି ଆନ୍ଦୋଳନ ସମ୍ବିଧାନ ଦ୍ୱାରା ଅନୁମୋଦିତ। ତେବେ ସେ ସତର୍କ କରାଇ କହିଥିଲେ ଯେ ଅନେକ ସମୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ‘ଅବାଞ୍ଛିତ ବ୍ୟକ୍ତି’ ପ୍ରବେଶ କରି ପରିସ୍ଥିତିକୁ ହିଂସାତ୍ମକ କରିଦିଅନ୍ତି। ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ କିଛି ଅନିମନ୍ତ୍ରିତ ବ୍ୟକ୍ତି ପ୍ରବେଶ କରି ଆୟୋଜକଙ୍କ ଭୂମିକା ନେଇପାରନ୍ତି। ତେଣୁ ସମଗ୍ର ଘଟଣାର ସ୍ୱାଧୀନ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଆନ୍ଦୋଳନ ସମୟରେ ପେଲେଟ୍ ଗନ୍, ଇଲେକ୍ଟ୍ରିକ୍ ବ୍ୟାଟନ୍, ଲାଠିଚାର୍ଜ, ମହିଳା ଆନ୍ଦୋଳନକାରୀ ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଏବଂ ସାଧା ପୋଷାକରେ ଥିବା ପୁଲିସ କର୍ମଚାରୀ ହିଂସାରେ ସମ୍ପୃକ୍ତ ଅଭିଯୋଗକୁ କୋର୍ଟ ଗମ୍ଭୀରତାର ସହ ନେଇଛନ୍ତି। ସେହିପରି ଆନ୍ଦୋଳନ ସମୟରେ ୨୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିବା ଅଭିଯୋଗକୁ ମଧ୍ୟ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଆନ୍ଦୋଳନ ସମୟର ସିସିଟିଭି ଫୁଟେଜ୍‌, ଡ୍ରୋନ୍‌ ରେକର୍ଡିଂ, ବଡି କ୍ୟାାମେରା ଫୁଟେଜ୍‌, ଓୟାରଲେସ୍‌ ରେକର୍ଡସ୍‌, ପିସିଆର୍‌ ଲଗ୍‌ ଏବଂ ଅନ୍ୟ ଡିଜିଟାଲ୍‌ ପ୍ରମାଣ ଆଦି ସୁରକ୍ଷିତ ରଖିବା ପାଇଁ  ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟା କହିଥିଲେ, ସ୍ୱାଧୀନ ତଦନ୍ତରେ ସରକାରଙ୍କର କୌଣସି ଆପତ୍ତି ନାହିଁ। ଯଦି ଛାତ୍ରମାନେ କୌଣସି ପ୍ରକାର କ୍ଷତିଗ୍ରସ୍ତ ହୋଇଥାନ୍ତି, ସେ କ୍ଷେତ୍ରରେ ଦୋଷୀମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବା ଉଚିତ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button