US-Iran: ଆମେରିକା-ଇରାନ ଶାନ୍ତି ଚୁକ୍ତି ପାଇଁ ୬୦ ଦିନର ଅବଧି ଶେଷ: ମତଭେଦ ଜାରି
ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଶେଷ କରି ଶାନ୍ତି ଚୁକ୍ତିରେ ପହଞ୍ଚିବା ପାଇଁ ଧାର୍ଯ୍ୟ ୬୦ ଦିନର ସମୟସୀମା ସୋମବାର ଶେଷ ହୋଇଛି। ଜୁନ୍ରେ ଭର୍ସାଇଲ୍ସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବାକ୍ଷର କରିଥିବା ବୁଝାମଣାପତ୍ରରେ ଏହି ସମୟସୀମା ଧାର୍ଯ୍ୟ ହୋଇଥିଲା।

ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଶେଷ କରି ଶାନ୍ତି ଚୁକ୍ତିରେ ପହଞ୍ଚିବା ପାଇଁ ଧାର୍ଯ୍ୟ ୬୦ ଦିନର ସମୟସୀମା ସୋମବାର ଶେଷ ହୋଇଛି। ଜୁନ୍ରେ ଭର୍ସାଇଲ୍ସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବାକ୍ଷର କରିଥିବା ବୁଝାମଣାପତ୍ରରେ ଏହି ସମୟସୀମା ଧାର୍ଯ୍ୟ ହୋଇଥିଲା। ଏହି ସମୟ ମଧ୍ୟରେ ଯୁଦ୍ଧ ସ୍ଥାୟୀ ଭାବେ ଶେଷ କରିବା ସହ ଇରାନର ପରମାଣୁ କାର୍ଯ୍ୟକ୍ରମ ନେଇ ଚୁକ୍ତି ହେବାର ଲକ୍ଷ୍ୟ ରହିଥିଲା। କିନ୍ତୁ ସମୟସୀମା ଶେଷ ହୋଇଥିଲେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ମତଭେଦ ଆହୁରି ଗଭୀର ହୋଇଛି।
ଜୁନ୍ର ଅନ୍ତରୀଣ ବୁଝାମଣାରେ ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବା ଓ ଇରାନ ଉପରେ ଆମେରିକାର ନୌସେନା ଅବରୋଧ ହଟାଇବା ପ୍ରମୁଖ ସର୍ତ୍ତ ଥିଲା। ଏହାସହ ଦୁଇ ଦେଶର ପରମାଣୁ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବାର ଥିଲା। କିନ୍ତୁ ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ସହମତି ହୋଇନାହିଁ ଏବଂ ପରମାଣୁ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ମଧ୍ୟ ଆରମ୍ଭ ହୋଇପାରିନାହିଁ।
ଚୁକ୍ତି ସ୍ବାକ୍ଷରର ପ୍ରାୟ ଏକ ସପ୍ତାହ ପରେ ଇରାନ ଓମାନ ଉପକୂଳ ନିକଟ ଏକ ସମୁଦ୍ରପଥରେ ଯାଉଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହି ପଥ ଆମେରିକାର ସାମରିକ ନିରୀକ୍ଷଣରେ ଥିଲା ଏବଂ ଇରାନର ନିୟନ୍ତ୍ରଣକୁ ଏଡ଼ାଇବା ପାଇଁ ବ୍ୟବହୃତ ହେଉଥିଲା। ଏହାର ଜବାବରେ ଆମେରିକା ଇରାନ ଉପରେ ଆକ୍ରମଣ କରିଥିଲା। ପରେ ଇରାନ ଜୋର୍ଡାନ, କୁଏତ୍ ଓ ବାହାରିନ ଭଳି ଦେଶରେ ଥିବା ଆମେରିକୀୟ ସାମରିକ ଘାଟିକୁ ଆକ୍ରମଣ କରିଥିଲା। ଏହା ପରେ ଆମେରିକା ଇରାନର ତୈଳ ବିକ୍ରି ପାଇଁ ଦେଇଥିବା ଅନୁମତି ପ୍ରତ୍ୟାହାର କରିବା ସହ ଇରାନର ବନ୍ଦରଗୁଡ଼ିକ ଉପରେ ଅବରୋଧ ପୁଣି ଲାଗୁ କରିଥିଲା। ଉଭୟ ଦେଶ ପରସ୍ପର ବିରୋଧରେ ଜୁନ୍ ଚୁକ୍ତି ଉଲ୍ଲଂଘନର ଦୋଷ ଲଦିଛନ୍ତି।
ସୌଜନ୍ୟ ସମ୍ବାଦ




