Unemployment rate: ବେକାରି ହାର ୫.୧%କୁ ହ୍ରାସ ଗ୍ରାମାଞ୍ଚଳରେ କମିଲା, ସହରାଞ୍ଚଳରେ ବଢ଼ିଲା
ପନ୍ଦର ବର୍ଷ ଓ ତଦୂର୍ଦ୍ଧ୍ବ ବୟସ ବର୍ଗରେ ଦେଶରେ ବେକାରି ହାର ଚଳିତ ବର୍ଷ ଜୁଲାଇରେ ୫.୧ ପ୍ରତିଶତକୁ ହ୍ରାସ ପାଇଛି। ଗତ ଜୁନରେ ତାହା ୫.୫ ପ୍ରତିଶତ ଥିଲା। ଗ୍ରାମାଞ୍ଚଳ ବେକାରି ହାର ଏହି ସମୟରେ ୫ ପ୍ରତିଶତରୁ ହ୍ରାସ ପାଇ ୪.୫ ପ୍ରତିଶତ ହୋଇଛି।

ନୂଆଦିଲ୍ଲୀ: ପନ୍ଦର ବର୍ଷ ଓ ତଦୂର୍ଦ୍ଧ୍ବ ବୟସ ବର୍ଗରେ ଦେଶରେ ବେକାରି ହାର ଚଳିତ ବର୍ଷ ଜୁଲାଇରେ ୫.୧ ପ୍ରତିଶତକୁ ହ୍ରାସ ପାଇଛି। ଗତ ଜୁନରେ ତାହା ୫.୫ ପ୍ରତିଶତ ଥିଲା। ଗ୍ରାମାଞ୍ଚଳ ବେକାରି ହାର ଏହି ସମୟରେ ୫ ପ୍ରତିଶତରୁ ହ୍ରାସ ପାଇ ୪.୫ ପ୍ରତିଶତ ହୋଇଛି। କିନ୍ତୁ ସହରାଞ୍ଚଳରେ ତାହା ସାମାନ୍ୟ ବୃଦ୍ଧି ପାଇ ୬.୬ ପ୍ରତିଶତରୁ ବଢ଼ି ୬.୭ ପ୍ରତିଶତ ହୋଇଛି। ପୁରୁଷଙ୍କ ମଧ୍ୟରେ ବେକାରି ହାର ୫.୩ ପ୍ରତିଶତରୁ ହ୍ରାସ ପାଇ ୫ ପ୍ରତିଶତ ହୋଇଛି। ଗ୍ରାମାଞ୍ଚଳରେ ପୁରୁଷ ବେକାରି ହାର ୪.୯ ପ୍ରତିଶତରୁ ଖସି ୪.୬ ପ୍ରତିଶତ ହୋଇଛି। ସହରାଞ୍ଚଳରେ ପୁରୁଷ ବେକାରି ହାର ୬.୬ ପ୍ରତିଶତ ରହିଛି। ତେବେ, ମହିଳା ବେକାରି ହାର ଗ୍ରାମାଞ୍ଚଳରେ କମିଥିବା ବେଳେ ସହରାଞ୍ଚଳରେ ୮.୪ ପ୍ରତିଶତରୁ ବଢ଼ି ୮.୮ ପ୍ରତିଶତ ହୋଇଛି।
କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର (ଏଲ୍ଏଫ୍ପିଆର୍) ଜୁଲାଇରେ ୫୫.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ହାର ଯଥାକ୍ରମେ ୫୮ ପ୍ରତିଶତ ଓ ୫୦.୪ ପ୍ରତିଶତ ରହିଛି। ମହିଳାଙ୍କ କ୍ଷେତ୍ରରେ ଶ୍ରମଶକ୍ତି ଅଂଶଗ୍ରହଣ ହାର ୩୪.୪ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତ ଜୁନ୍ରେ ୩୨.୭ ପ୍ରତିଶତ ଥିଲା। ଗ୍ରାମାଞ୍ଚଳରେ ମହିଳା ଅଂଶଗ୍ରହଣ ହାର ୩୮.୮ ପ୍ରତିଶତକୁ ଓ ସହରାଞ୍ଚଳରେ ୨୫.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଶ୍ରମ ଜନସଂଖ୍ୟା ଅନୁପାତ ୧୫ ବର୍ଷ ଓ ତଦୂର୍ଦ୍ଧ୍ବ ବୟସ ବର୍ଗରେ ୫୨.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଫେବ୍ରୁଆରି ପରେ ପ୍ରଥମ ଥର ପାଇଁ ଏହି ହାର ବଢ଼ିଛି। ଗ୍ରାମାଞ୍ଚଳରେ ଏହି ହାର ୫୫.୪ ପ୍ରତିଶତ ଓ ସହରାଞ୍ଚଳରେ ୪୭ ପ୍ରତିଶତ ରହିଛି।
ସୌଜନ୍ୟ ସମ୍ବାଦ




