ସାର ପାଇଁ ଚାଷୀ କଲବଲ; ଭୋରରୁ ଆସି ଲଗାଇାଲେ ଆଧାର କାର୍ଡ ଲାଇନ୍, ଆରସିଏମ୍ସରେ ଚାଷୀଙ୍କ ଭିଡ଼

ସୁନ୍ଦରଗଡ଼ ୧୮/୦୮: ଚଳିତ ଖରିଫରେ ସୁନ୍ଦରଗଡ଼ ପୌରାଞ୍ଚଳର ଚାଷୀଙ୍କ ସକାଶେ ସ୍ଥାନୀୟ ଆରସିଏମ୍ସରେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ସାର ବିକ୍ରି ଆରମ୍ଭ ହୋଇଛି । ହେଲେ ପ୍ରାୟ ଏକ ମାସ ବ୍ୟବଧାନରେ ସାର ବିକ୍ରି ଆରମ୍ଭ ହୋଇଥିବାରୁ ରାତି ୪ଟାରୁ ଚାଷୀମାନେ ଆରସିଏମସକୁ ପହଞ୍ଚି କଲବଲ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀମାନେ ଧାଡ଼ିରେ ନିଜ ଖାତା ଓ ପରିଚୟପତ୍ରଗୁଡ଼ିକୁ ରଖି ଅପେକ୍ଷା କରିଥିବା ବେଳେ ଅଳ୍ପ କେତେଜଣଙ୍କୁ ସାର ବିକ୍ରି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ ଏହି ସଂସ୍ଥାକୁ ଏଥର ୧୨୦୦ ବସ୍ତା ୟୁରିଆ ଓ ୫୫୦ ବସ୍ତା ଡିଏପି ଆବଣ୍ଟନ ହୋଇଛି । ଏଣୁ ସୋମବାରଠାରୁ ସାର ବିକ୍ରି କରାଯିବ ବୋଲି ଚାଷୀମାନଙ୍କୁ ଜଣାଇ ଦିଆଯାଇଥିଲା । ଖବର ପାଇ ବିଭିନ୍ନ ଅଞ୍ଚଳର ଚାଷୀମାନେ ଭୋର ସମୟରୁ କଷ୍ଟେମଷ୍ଟେ ଆର୍ସିଏମ୍ଏସ୍ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଏଥିସହ ସାଥୀରେ ଆଣିଥିବା ଆଧାର କାର୍ଡ ଓ ପରିଚୟପତ୍ର ସବୁ ଲାଇନ୍ ରଖି ଅପେକ୍ଷା କରିଥିଲେ । ଏପରିକି ମହିଳାମାନେ ମଧ୍ୟ ନିଜ ପିଲାଛୁଆଙ୍କୁ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାର ଦୃଶ୍ୟ ଲୋକଙ୍କୁ ବିଚଳିତ କରିଥିଲା । ହେଲେ ଆରଏମସି କର୍ତ୍ତୃପକ୍ଷ ସୋମବାର ମାତ୍ର ୬୨ଜଣ ଚାଷୀଙ୍କୁ ବସ୍ତାଏ ଲେଖାଏଁ ଡିଏପି ଏବଂ ୟୁରିଆ ସାର ବିକ୍ରି କରିଥିଲେ । ଯାହାକୁ ନେଇ ଅପେକ୍ଷାରତ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହ ହୋହଲ୍ଲା କରିଥିଲେ । ପରେ ଆରସିଏମ୍ଏସ୍ କର୍ତ୍ତୃପକ୍ଷ ଆସି ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହ ନିରାଶରେ ସେମାନେ ଘରକୁ ଫେରିଛନ୍ତି ।
ଏ ନେଇ ଆରସିଏମ୍ଏସ୍ କର୍ତ୍ତୃପକ୍ଷ କହିବା ଅନୁଯାୟୀ, ଉପର ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମ ପାଖକୁ ଯେତିକି ପରିମାଣର ସାର ଆସୁଛି, ସେ ଅନୁସାରେ ବଣ୍ଟନ କରିଛୁ । ସୂଚନାଯୋଗ୍ୟ, ଗତ ବର୍ଷ ଖରିଫରେ ସୁନ୍ଦରଗଡ଼ ପୌରାଞ୍ଚଳର ମାତ୍ର ୨୩୭ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିଲେ ହେଁ ପ୍ରକୃତରେ ଚାଷୀ ସଂଖ୍ୟା ପ୍ରାୟ ଏକ ହଜାରରୁ ଅଧିକ ରହିଛି । ତଥାପି ଆବଶ୍ୟକ ମୁତାବକ ସାର ଆବଣ୍ଟନ କରାଯାଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ।
ସୌଜନ୍ୟ ପ୍ରମେୟ




