ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା କାନ୍ଥ, ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର, ବନ୍ୟା ପ୍ରଭାବିତଙ୍କ ପାଇଁ ହଜାରେ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଉତ୍ତର ଓଡ଼ିଶା ସମେତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗିନ ହୋଇପଡ଼ିଛି।

ଭୁବନେଶ୍ବର: ଉତ୍ତର ଓଡ଼ିଶା ସମେତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗିନ ହୋଇପଡ଼ିଛି। କେନ୍ଦୁଝର ଭୀମକୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ବଢ଼ିଛି। ଜୁଡ଼ିଆ ଘାଟିରେ ପାହାଡ଼ରୁ ପଥର ଖସି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ତରପଦା ପଞ୍ଚାୟତରେ କାଣୀ ନଦୀର ବନ୍ଧ ଧସିଯିବା ପରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ବନ୍ୟା ନେଇ ସତର୍କତା ଜାରି କରାଯାଇଛି।
ଭଦ୍ରକ ଜିଲ୍ଲା ଆଖୁଆପଦା ନିକଟରେ ବୈତରଣୀ ଓ ସାଳନ୍ଦୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ୍ର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ରାସ୍ତା ଉପରେ ପାଣି ଚାଲିବାରୁ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଶ୍ରାବଣ ସୋମବାର ଥିବାରୁ କାଉଡ଼ିଆ ଏବଂ ସ୍ଥାନୀୟ ଲୋକେ ବିପଦସଙ୍କୁଳ ଭାବେ ପାଣି ସୁଅରେ ଯିବାଆସିବା କରୁଛନ୍ତି।
ବାଲେଶ୍ୱର ଜିଲ୍ଲା ବସ୍ତାରେ ଜଳକା ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ବାସିଚକୁରାଇ ପଞ୍ଚାୟତର ପ୍ରାୟ ୧୦୦ଟି ଘରେ ପାଣି ପଶି ରହିଥିବାରୁ ଚୁଲି ଜଳିପାରୁ ନାହିଁ ଏବଂ ବ୍ୟାପକ ଚାଷଜମି ନଷ୍ଟ ହୋଇଛି। ଦେବଗିରି ପାହାଡ଼ରୁ ପ୍ରବଳ ପାଣି ଆସିବାରୁ ପଞ୍ଚଲିଙ୍ଗେଶ୍ୱର ପୀଠ ବନ୍ଦ ରହିଛି ଏବଂ ସେଠାରେ ୪ ଜଣ ପୂଜକ ଓ କର୍ମଚାରୀ ଫସି ରହିଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତର ଏକ ଆଶ୍ରମ ବିଦ୍ୟାଳୟ ଚାରିପଟେ ବନ୍ୟାଜଳ ମାଡ଼ିଯିବାରୁ ହଷ୍ଟେଲରେ ଫସିଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରିଛି।
ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟ ବନ୍ୟା ଯୋଗୁଁ ସ୍ଥିତି ବେହାଲ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ ରୁକୁଡା ଡ୍ୟାମ୍ ପାଣି ଘେରରେ ଘାଟପୋଷ ଗ୍ରାମର ୧୭ଟି ପରିବାର ଜଳବନ୍ଦୀ ହୋଇ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି। ସେପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ରାହ୍ମଣୀ ନଦୀ ଟାପୁରେ ଫସି ରହିଥିବା ୬୦ରୁ ଊର୍ଦ୍ଧ୍ୱ ଗୋରୁଗାଈଙ୍କୁ ଉଦ୍ଧାର କରାଯାଇଛି। ସମଗ୍ର ରାଜ୍ୟରେ ଏବେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର ଚାଲିଛି।
ସୌଜନ୍ୟ ସମ୍ବାଦ




