ରାଜ୍ୟ

Traffic improvement : ରାଜଧାନର ୨୩ଟି ପ୍ରମୁଖ ଛକର ପୁନଃ ଡିଜାଇନ୍‌କୁ ମଞ୍ଜୁରି, ଶୀଘ୍ର କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱରର ୨୩ଟି ପ୍ରମୁଖ ଛକର ପୁନଃବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମାଷ୍ଟରପ୍ଲାନ୍‌କୁ ମଞ୍ଜୁରି ଦେଇଛନ୍ତି। ଟ୍ରାଫିକ ଭିଡ଼ କମାଇବା, ଯାନବାହନ ଚଳାଚଳ ସୁଗମ କରିବା ଓ ଲୋକଙ୍କ ଯାତାୟତକୁ ସୁରକ୍ଷିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଛକଗୁଡ଼ିକର ବାମପାର୍ଶ୍ୱ ଟର୍ଣ୍ଣିଂ ଚଉଡ଼ା, ବେଆଇନ ନିର୍ମାଣ ଉଚ୍ଛେଦ ଏବଂ କିଛି ସ୍ଥାନରେ ଗୋଲେଇ ଛକ ନିର୍ମାଣ କରାଯିବ। ୨୩ଟି ଛକ ମଧ୍ୟରୁ ୧୦ଟି ଓବିସିସି ଓ ୧୩ଟି ପୂର୍ତ୍ତ ବିଭାଗ ପୁନଃବିକାଶ କରିବ।

ଭୁବନେଶ୍ୱର, ୧୯/୮ : ରାଜଧାନର ୨୩ଟି ପ୍ରମୁଖ ଛକର ଡିଜାଇନ୍‌ରେ ପରିବର୍ତ୍ତନ କରି ପୁନଃ ବିକାଶ କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇଥିବା ମାଷ୍ଟରପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ଦେଇଛନ୍ତି । ଛକଗୁଡ଼ିକରେ କିଭଳି ସୁବିଧାରେ ଗାଡ଼ି ଯାତାୟତ କରିବ, ଲୋକେ ସୁରକ୍ଷିତ ଭାବେ ଯିବେ ଓ ଟ୍ରାଫିକ ଭିଡ଼ ହେବନି, ତାକୁ ଦୃଷ୍ଟିରେ ରଖି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଛି । ପୂର୍ତ୍ତ ବିଭାଗ, କମିଶନରେଟ ପୁଲିସ, ବିଏମସି, ୱାଟ୍‌କୋ ଓ ଟିପିସିଓଡିଏଲ୍‌ ପକ୍ଷରୁ ଗଠିତ ମିଳିତ ସବ୍‌ କମିଟି ବିଭିନ୍ନ ଛକ ପରିଦର୍ଶନ କରି ଏବେକାର ଡିଜାଇନ୍‌କୁ ସାମାନ୍ୟ ବଦଳାଇଛନ୍ତି । ସବୁ ଛକର ବାମପାଶ୍ୱର୍ ଟର୍ଣ୍ଣିଂକୁ ଚଉଡ଼ା କରିବାକୁ ନିଷ୍ପତ୍ତି ହୋଇଛି । ଛକକୁ ଲାଗି ରହିଥିବା ଉଠାଦୋକାନୀ ଓ ଅନ୍ୟ ବେଆଇନ ନିର୍ମାଣକୁ ଉଚ୍ଛେଦ କରି ରାସ୍ତା ଚଉଡ଼ା କରିବାକୁ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ମାଷ୍ଟରପ୍ଲାନ୍‌ ଅନୁସାରେ କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି । ପର୍ଯ୍ୟାୟକ୍ରମେ ୨୩ଟି ଛକର ପୁନଃବିକାଶ ହେବ । ଛକକୁ ଲାଗି କୌଣସି ବସ୍‌ ଷ୍ଟପ୍‌ ରହିବନି । କିଛି ଜାଗାରେ ଛକକୁ ଗୋଲେଇ ଛକ କରାଯିବ । ୨୩ଟି ଛକରୁ ୧୦ଟି ଛକର ପୁନଃ ବିକାଶ କରିବ ଓବିସିସି । ବାକି ୧୩ଟି ଛକକୁ ପୂର୍ତ୍ତ ବିଭାଗ ହାତକୁ ନେବ ବୋଲି ସୂଚନା ମିଳିଛି । ତେବେ ପୁନଃବିକାଶ ପରେ ଛକରେ ଟ୍ରାଫିକ ଭିଡ଼ କମୁଛି, ନା ପୂର୍ବଭଳି ଯନ୍ତ୍ରଣା ଦେବ, ତାହା ଦେଖିବାକୁ ବାକି ରହିଲା ।

ଆଚାର୍ଯ୍ୟବିହାର ଛକ

ଆଚାର୍ଯ୍ୟବିହାର ଛକରୁ ନିକୋ ପାର୍କ ଛକ ଯାଏ ମେଡିଆନ ଲମ୍ବିବ । ଛକ ପାଖରେ ଥିବା ଏକ ଭେଣ୍ଡିଂ ଜୋନ୍‌ର ବେଆଇନ ଅଂଶକୁ ଭାଙ୍ଗିବାକୁ ଯୋଜନା ହୋଇଛି ।

ଶିଶୁଭବନ ଛକ

ଶିଶୁଭବନର ପାଚେରୀକୁ ଭାଙ୍ଗି ଭିତରକୁ ନିଆଯିବ । ଶିଶୁଭବନ ଛକ ପାଖରେ ଥିବା ବସ୍‌ଷ୍ଟପକୁ ସାମାନ୍ୟ ଦୂରକୁ ଘୁଞ୍ଚାଯିବ ।

କଳ୍ପନା ଛକ

କଳ୍ପନା ଛକ ପାଖରେ ଥିବା ଫଳ ଦୋକାନ ଓ ଓମଫେଡ ପାର୍ଲରକୁ ହଟାଯିବ । ଏହି ପାଶ୍ୱର୍କୁ ଚଉଡ଼ା କରାଯିବ । ବାମପାଶ୍ୱର୍ ଟର୍ଣ୍ଣ ବା ଲକ୍ଷ୍ମୀସାଗର ଆଡକୁ ଯିବାକୁ ଥିବା ରାସ୍ତାକୁ ସାମାନ୍ୟ ପ୍ରଶସ୍ତ କରାଯିବ । ଛକ ପାଖରେ ଥିବା ସବୁ ବସ୍‌ ଷ୍ଟପ୍‌କୁ ଦୂରକୁ ନିଆଯିବ ।

ରବି ଟକିଜ୍‌ ଛକ

ରବି ଟକିଜ୍‌ ଛକଠାରୁ କିଛି ଦୂରରେ ବସ୍‌ ଷ୍ଟପ୍‌ ରହିବ । ଏବେ ବସ୍‌ ଷ୍ଟପ୍‌ ନ ଥିବାରୁ ବସ୍‌ଗୁଡ଼ିକ ମନଇଚ୍ଛା ଯେଉଁଠି ପାରୁଛନ୍ତି ରଖିବା ଯୋଗୁ ଭିଡ଼ ହେଉଛି । ରାସ୍ତା ପାର୍‌ ହେବାକୁ ପାଦଚଲା କ୍ରସିଂ ରହିବ । ରାସ୍ତାକୁ ମାଡ଼ି ଆସିଥିବା ସବୁ ଦୋକାନ ଭଙ୍ଗାଯିବ ।

ରାଜମହଲ ଛକ

ଏବେ ମେଡିଆନ୍‌ ଡେଇଁ ଅନେକ ଲୋକ ଶ୍ରୀଲେଦର୍ସ ପାଶ୍ୱର୍ରୁ ମାର୍କେଟ ବିଲ୍ଡିଂକୁ ଆସୁଛନ୍ତି । ଏଥିରେ ଦୁର୍ଘଟଣା ସ୍ଥିତି ଉପୁଜୁଛି । ଏହାକୁ ବ୍ୟବସ୍ଥିତ କରିବାକୁ ମାର୍କେଟ ବିଲ୍ଡିଂ ପଟେ ଥିବା ବସଷ୍ଟପ୍‌ ଯାଏ ପାଦଚଲା ଗାର୍ଡ ରେଲ୍‌ ରହିବ ।

ମ୍ୟୁଜିୟମ ଛକ  

ମାଉସୀ ମା ଛକରୁ କଳ୍ପନା ଛକ ଯାଏ ରାସ୍ତାକୁ ଚଉଡ଼ା କରାଯିବ । ଏକ ବ୍ୟବସାୟିକ ସଂସ୍ଥା ରାସ୍ତାକୁ ମାଡ଼ି ବସିଛି । ଏହି ବେଆଇନ ନିର୍ମାଣକୁ ହଟାଯିବ । ମ୍ୟୁଜିୟମ୍‌ ଛକରୁ ଭୁବନେଶ୍ୱର କୋର୍ଟ ଯାଏ ମେଡିଆନ୍‌ ମଝିରେ କୌଣସି କର୍ଟ ରହିବନି । ମ୍ୟୁଜିୟମ ଛକରେ ଟ୍ରାଫିକ ପୋଷ୍ଟ ରହିବ ।

ରସୁଲଗଡ଼ ଛକ

ଛକ ପାଖରେ ଥିବା ଟିକେଟ କାଉଣ୍ଟରକୁ ଦୂରକୁ ନିଆଯିବ । ପାଖରେ ଥିବା ମଲ୍‌ ନିଜସ୍ୱ ଲେନ୍‌ ତିଆରି କରିବାକୁ ବ୍ୟବସ୍ଥା ହେବ । କୋଚିଲେଇ ହାଟକୁ ଯାଉଥିବା ଲୋକେ ରାସ୍ତାକଡ଼ରେ ଗାଡ଼ି ରଖିବେନି । ହାଟ ଭିତରେ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ରହିବ । ଆଶ୍ରମ ସ୍କୁଲର କିଛି ଜାଗା ଓ ଆଖପାଖ ଅଞ୍ଚଳର ଜାଗାକୁ ନେଇ ରାସ୍ତା ଚଉଡ଼ା ହେବ ।

ଜୟଦେବ ବିହାର ଛକ

ଜୟଦେବବିହାର ଛକକୁ ଲାଗିଥିବା ମେଡିଆନ୍‌କୁ ବନ୍ଦ କରି ଦିଆଯିବ । ଅର୍ଥାତ୍‌ ଆଚାର୍ଯ୍ୟବିହାର ଆଡକୁ ଯିବାକୁ ହେଲେ ପାଲ୍‌ ହାଇଟସ୍‌ ପାଖରୁ ବୁଲି ଆସିବାକୁ ପଡ଼ିବ । ଏକାମ୍ରକାନନରୁ ବିଜୁ ପଟ୍ଟନାୟକ ରାସ୍ତା କଡ଼ରେ କୌଣସି ଉଠାଦୋକାନୀ ବସିବେନି ।

ସିଆର୍‌ପି ଛକ

ଷ୍ଟ୍ୟୁଆର୍ଟ ସ୍କୁଲରୁ ସିଆରପି ଛକ ଯାଏ ରାସ୍ତା କଡ଼ରେ ବେଆଇନ ଭାବେ ଥିବା ଭେଣ୍ଡିଂ ଜୋନ୍‌କୁ ଅନ୍ୟତ୍ର ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଛକ ଉପରେ ଥିବା ବିଜ୍ଞାପନ ହୋର୍ଡିଂକୁ ହଟାଯିବ । ଏକାମ୍ରକାନନ ପାର୍କରୁ ନୂଆପଲ୍ଲୀ ଆଡକୁ ଯାଇଥିବା ରାସ୍ତାର ଟର୍ଣ୍ଣକୁ ଚଉଡ଼ା କରାଯିବ ।

ଇନ୍‌ଫୋସିଟି ଛକ

ଇନଫୋସିଟି ଛକ ମଝିରେ ଗୋଲେଇ ଛକ ରହିବ । ପଟିଆରୁ ସାଇମନ୍ଦିର ଛକ ରାସ୍ତା ଚଉଡ଼ା ହେବ । ସିଟିଟିସିର ପାଚେରୀର କିଛି ଅଂଶକୁ ଭାଙ୍ଗି ରାସ୍ତା ଚଉଡ଼ା କରାଯିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button