ରାଜ୍ୟ

Photography: ଫଟୋଗ୍ରାଫି ବ୍ୟବସାୟରେ ବାଜି ମାରୁଛନ୍ତି ଯୁବପିଢ଼ି, ଚାହିଦା ବଢ଼ାଉଛି ଡିଜିଟାଲ ଆଲବମ୍ !

୧୯୮୮ ମସିହାରେ ରାଉରକେଲା ସହରରେ ମାତ୍ର ୧୫-୨୦ଟି ଷ୍ଟୁଡିଓ ଥିଲା । ଆତ୍ମୀୟଙ୍କ ସହ ହେଉ କି ବ୍ୟକ୍ତିଗତ, ଫଟୋ ଉଠାଇବାକୁ ସମ୍ଭ୍ରାନ୍ତ ଶ୍ରେଣୀର ପ୍ରତୀକ ବୋଲି ବିଚାର କରାଯାଉଥିଲା ।

ରାଉରକେଲା, ୧୯।୮/ସନ୍ତୋଷ ଦାଶ: ଲକ୍ଷାଧିକ ଟଙ୍କାର କ୍ୟାମେରା । ମନକୁ ଛୁଇଁଲା ଭଳି ଫିଚର । ହାଇକ୍ୱାଲିଟିର ଫଟୋ । ମାତ୍ର କେଇ ମିନିଟ୍‌ରେ ଫଟୋ ପ୍ରିଣ୍ଟ ହୋଇ ବାହାରି ଆସୁଛି । ଆକାଶ ମାର୍ଗରୁ ଡ୍ରୋନ୍‌ କଏଦ କରୁଛି ଜୀବନର ଅଭୁଲା କ୍ଷଣକୁ । ଏଆଇ ଏବଂ ମୋବାଇଲ୍‌ ଯୁଗରେ ଯୁବପିଢ଼ିଙ୍କ ନିଶା ପାଲଟିଛି ଫଟୋଗ୍ରାଫି । ଡିଜିଟାଲ ଯୁଗରେ ଷ୍ଟୁଡିଓକୁ ଆସି ଆଉ କାହାରିକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁନି । ଓଲଟି ଷ୍ଟୁଡିଓ ପହଞ୍ଚୁଛି ଲୋକଙ୍କ ପାଖରେ । ଲୋକ ତଥା ଗ୍ରାହକଙ୍କ ଚାହିଦା ଅନୁସାରେ ଷ୍ଟୁଡିଓ ଦୋକାନୀମାନେ ସେହି ଅନୁସାରେ ସେମାନଙ୍କ ପାଖକୁ ଯାଇ ଫଟୋସୁଟ୍‌ କରୁଛନ୍ତି । ସ୍ମାର୍ଟସିଟି ରାଉରକେଲାରେ ଫଟୋଗ୍ରାଫି ବଜାର କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି । ବିବାହ ହେଉ କି ବ୍ରତ ଅଥବା ଜନ୍ମଦିନ । ଫଟୋଗ୍ରାଫି ବିନା ସବୁ ଅଧୁରା । ବିବାହ ଭଳି ସାମାଜିକ କାର୍ଯ୍ୟକ୍ରମରେ ଲୋକମାନେ ଲକ୍ଷାଧିକ ଟଙ୍କା କେବଳ ଫଟୋ ଉଠାରେ ଖର୍ଚ୍ଚ କରୁଛନ୍ତି । ବିବାହ ପୂର୍ବ, ବିବାହ ଏବଂ ବିବାହ ପରବର୍ତ୍ତୀ ନବଦମ୍ପତିଙ୍କ ଫଟୋଉଠା ଲୋଭନୀୟ ପ୍ୟାକେଜ ଅନୁଯାୟୀ ମିଳୁଛି । ଏଥିପାଇଁ ବର୍ଷତମାମ ଫଟୋଗ୍ରାଫରଙ୍କୁ ତର ମିଳୁନି । ୧୯୮୮ ମସିହାରେ ରାଉରକେଲା ସହରରେ ମାତ୍ର ୧୫-୨୦ଟି ଷ୍ଟୁଡିଓ ଥିଲା । ସେତେବେଳେ ଫଟୋ ଉଠାଇବା ପାଇଁ କସରତ କରିବାକୁ ପଡୁଥିଲା ।

ଆତ୍ମୀୟଙ୍କ ସହ ହେଉ କି ବ୍ୟକ୍ତିଗତ, ଫଟୋ ଉଠାଇବାକୁ ସମ୍ଭ୍ରାନ୍ତ ଶ୍ରେଣୀର ପ୍ରତୀକ ବୋଲି ବିଚାର କରାଯାଉଥିଲା । ସେତେବେଳ ଆନାଲଗ୍‌ କ୍ୟାମେରାରେ ଫଟୋ ଉଠା ହେଉଥିଲା । ଷ୍ଟୁଡିଓରେ ଆଲୋକ ସାଜସଜ୍ଜା ସହ ଅନ୍ୟ ଉପକରଣ ରହୁଥିଲା । ଆନାଲଗ୍‌ କ୍ୟାମେରାରେ ପଡୁଥିବା ରିଲ୍‌ରୁ ନେଗେଟିଭ୍‌ ଏବଂ ସେଥିରୁ ଫଟୋ ପ୍ରିଣ୍ଟ ହେଉଥିଲା । ପୋଷ୍ଟକାର୍ଡ ସାଇଜ୍‌ର ଫଟୋ ପାଇଁ ସେତେବେଳେ ୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଅର୍ଥାତ୍‌ ଫଟୋ ଉଠାଇବା ସାଧାରଣ ଲୋକଙ୍କ ପାଇଁ ବ୍ୟୟବହୁଳ ଥିଲା । ତଥାପି ଲୋକେ ଫଟୋ ଉଠାଉଥିଲେ, ଆଲ୍‌ବମ୍‌ କରି ସ୍ମୃତି ସାଇତି ରଖୁଥିଲେ । ଏଥିପାଇଁ ଦିନ ଦିନ ଲାଗୁଥିଲା । ଜରୁରି ସମୟରେ ଆବଶ୍ୟକତା ଦୃଷ୍ଟିରୁ ଲୋକେ ଆଗୁଆ ପାସ୍‌ପୋର୍ଟ ଫଟୋ ଉଠାଇ ପାଖରେ ରଖୁଥିଲେ । ଏପରି କି ମନିପର୍ସରେ ଫଟୋ ରଖିବା ଲୋକଙ୍କ ସଉକ ପାଲଟିଥିଲା । ପରିବର୍ତ୍ତିତ ସମୟରେ ଡିଜିଟାଲ ଫଟୋଗ୍ରାଫି ଧାରା ଆରମ୍ଭ ହେଲା । କ୍ୟାମେରା କଳେବର ବଦଳିଲା । ଅତ୍ୟାଧୁନିକ ଲେନ୍ସରେ ଫଟୋ ଉଠା ସହଜ ହେଲା । ସୌଖୀନ ଲୋକଙ୍କ ଆବଶ୍ୟକତାକୁ ନେଇ ଫଟୋଗ୍ରାଫିର ପରିଭାଷା ବଦଳିଲା । ରାଉରକେଲାରେ ଏବେ ୧୦୦୦ରୁ ଊଦ୍ଧ୍ୱର୍ ଫଟୋଗ୍ରାଫର ଅଛନ୍ତି । ଲୋକଙ୍କ ସହ ଯୋଡ଼ିହେବାକୁ ସେମାନେ ନିଜନିଜର ଷ୍ଟୁଡିଓ କରିଛନ୍ତି । ବରାଦ ଅନୁଯାୟୀ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଛି । ବିବାହ, ବ୍ରତ ଭଳି ସାମାଜିକ କାର୍ଯ୍ୟକ୍ରମ ବ୍ୟତୀତ ରାଜନୈତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ପାଇଁ ସେମାନଙ୍କୁ ଡକରା ମିଳୁଛି । ଏଥିରୁ ଭଲ ଦି ପଇସା ରୋଜଗାର ମଧ୍ୟ ହେଉଛି । ହେଲେ ଷ୍ଟୁଡିଓରେ ଫଟୋଗ୍ରାଫି ପ୍ରାୟତଃ କମିଗଲାଣି । ଲୋକମାନେ କେବଳ ପାସପୋର୍ଟ ଫଟୋ ଉଠାଇବାକୁ ଏଠାକୁ ଆସୁଛନ୍ତି ।

ଏବେ ଡିଜିଟାଲ ଫଟୋରୁ ସହଜରେ ରଙ୍ଗିନ ପ୍ରିଣ୍ଟ ବାହାରୁଥିବାରୁ ସବୁବେଳେ ଫଟୋ ଉଠାଇବାକୁ ମଧ୍ୟ ପଡୁନି । କଲର ପ୍ରିଣ୍ଟର ସହାୟତାରେ ମାତ୍ର କେଇ ମିନିଟ୍‌ ଅପେକ୍ଷାରେ ଫଟୋ ମିଳିଯାଉଛି । ସେହିପରି ଆଲ୍‌ବମ ଯୁଗ ମଧ୍ୟ ସରିଆସିଲାଣି । ଏବେ ଲୋକେ ଡିଜିଟାଲ ଆଲବମକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । କାର୍ଯ୍ୟକ୍ରମ ସମୟର ଫଟୋ ସୋସିଆଲ ମିଡିଆରେ ମାତ୍ରାଧିକ ପ୍ରସାର ହେଉଥିବା ବେଳେ ଡିଜିଟାଲ ଆଲବମ୍‌ ଚାହିଦା ମଧ୍ୟ ବଢୁଛି । ମୋଟ୍ ଉପରେ କହିବାକୁ ଗଲେ ରାଉରକେଲାରେ ଫଟୋଗ୍ରାଫି ବଜାର କୋଟି କୋଟି ଟଙ୍କାରେ ପହଞ୍ଚିଛି । ବିବାହ ଋତୁ ବ୍ୟତୀତ ବର୍ଷତମାମ ଏଠାକାର ଫଟୋଗ୍ରାଫର ରୋଜଗାର କରୁଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button