Flight: ଦୁଇଥର କମିଲା ବେଗ, ୨ ଘଣ୍ଟାର ଆତଙ୍କ: ମ୍ୟୁନିକ୍ ବିମାନବନ୍ଦରରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଭିଏତନାମ୍ ବିମାନ
ଜର୍ମାନୀର ମ୍ୟୁନିକ୍ ବିମାନବନ୍ଦରରେ ଭିଏତନାମ୍ ଏୟାର୍ଲାଇନ୍ସର ଏକ ବୋଇଂ ୭୮୭-୯ ବିମାନ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି। ଅଗଷ୍ଟ ୧୫ ଅପରାହ୍ଣ ପ୍ରାୟ ୧ଟା ୪୫ରେ ଭିଏତନାମ୍ ଏୟାରଲାଇନ୍ସର ଫ୍ଲାଇଟ୍ ଭିଏନ୍୩୪ ମ୍ୟୁନିକ୍ରୁ ହାନୋଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା

ୱାସିଂଟନ: ଜର୍ମାନୀର ମ୍ୟୁନିକ୍ ବିମାନବନ୍ଦରରେ ଭିଏତନାମ୍ ଏୟାର୍ଲାଇନ୍ସର ଏକ ବୋଇଂ ୭୮୭-୯ ବିମାନ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି। ଅଗଷ୍ଟ ୧୫ ଅପରାହ୍ଣ ପ୍ରାୟ ୧ଟା ୪୫ରେ ଭିଏତନାମ୍ ଏୟାରଲାଇନ୍ସର ଫ୍ଲାଇଟ୍ ଭିଏନ୍୩୪ ମ୍ୟୁନିକ୍ରୁ ହାନୋଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ବିମାନରେ ୨୭୧ ଯାତ୍ରୀ ଓ ୧୬ ଜଣ କ୍ରୁ ସଦସ୍ୟ ଥିଲେ। ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।
ଭିଏତନାମ୍ ସିଭିଲ୍ ଏଭିଏସନ୍ ଅଥରିଟିର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରନ୍ୱେ ୨୬ଏଲ୍ରେ ଦ୍ରୁତ ଗତିରେ ଦୌଡ଼ୁଥିବା ବିମାନର ବେଗ ରନ୍ୱେର ପ୍ରାୟ ଅଧା ବାଟରେ ପହଞ୍ଚିବା ପରେ ପ୍ରାୟ ୨ ସେକେଣ୍ଡ ପାଇଁ ବଢ଼ିବା ବନ୍ଦ ହୋଇଯାଇଥିଲା। ପରେ ବେଗ ପୁଣି ବଢ଼ିଥିଲା। କିନ୍ତୁ ଏହାର କିଛି ସମୟ ପରେ ପୁଣି ବେଗ କମିଯାଇଥିଲା। ସେତେବେଳକୁ ବିମାନଟି ରନ୍ୱେର ବହୁ ଅଂଶ ଅତିକ୍ରମ କରିସାରିଥିଲା। ଏଭଳି ସ୍ଥିତିରେ ବିମାନକୁ ଅଟକାଇବା ଅଧିକ ବିପଜ୍ଜନକ ହୋଇପାରେ ବୋଲି ଭାବି ପାଇଲଟ୍ମାନେ ଉଡ଼ାଣ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଇଞ୍ଜିନ୍ର ଥ୍ରଷ୍ଟକୁ ସର୍ବାଧିକ ସ୍ତରକୁ ବଢ଼ାଇ ବିମାନକୁ ଉଡ଼ାଇଥିଲେ। ତେବେ ରନ୍ୱେ ଶେଷ ହେବାକୁ ମାତ୍ର ପ୍ରାୟ ୯୧ ମିଟର ବାକି ଥିଲା।
ଉଡ଼ାଣ ପରେ ବିମାନର ଲାଞ୍ଜ ରନ୍ୱେରେ ଘଷି ହୋଇଥିବା ଓ ଟାୟାରର ଚାପ କମିଥିବା ନେଇ ସତର୍କ ସୂଚନା ମିଳିଥିଲା। ଏହା ପରେ ପାଇଲଟ୍ମାନେ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍କୁ ସୂଚନା ଦେଇ ମ୍ୟୁନିକ୍ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନଟି ପ୍ରାୟ ୯ ହଜାର ଫୁଟ୍ ଉଚ୍ଚତାରେ ଉଡ଼ିବା ସହ ଓଜନ କମାଇବା ପାଇଁ ଆକାଶରେ ଇନ୍ଧନ ଛାଡ଼ିଥିଲା। ଏହା ପରେ ପ୍ରାୟ ୨ ଘଣ୍ଟା ମ୍ୟୁନିକ୍ ନିକଟରେ ଚକ୍କର କାଟି ସୁରକ୍ଷିତ ଅବତରଣ କରିଥିଲା। ଅବତରଣ ପରେ ବିମାନର ୪ଟି ଟାୟାର ଫାଟିଥିବା ଏବଂ ପଛ ଅଂଶରେ ରନ୍ୱେ ଘଷା ଚିହ୍ନ ମିଳିଥିଲା। ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜର୍ମାନୀ ଓ ଭିଏତନାମ୍ କର୍ତ୍ତୃପକ୍ଷ ମିଳିତ ଭାବେ ତଦନ୍ତ କରୁଛନ୍ତି। ଭିଏତନାମ୍ ଏୟାର୍ଲାଇନ୍ସ ଓ ବିମାନ ନିର୍ମାତା ବୋଇଂ ମଧ୍ୟ ତଦନ୍ତରେ ସହଯୋଗ କରୁଛନ୍ତି।
ସୌଜନ୍ୟ ସମ୍ବାଦ




