ଦେଶ ବିଦେଶ

Vijay: ବିଜୟ ସରକାର ବିରୋଧରେ ପ୍ରଥମ ଦୁର୍ନୀତି ଅଭିଯୋଗ: ମୁଖ୍ୟମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟକୁ ନେଇ କ’ଣ ରହିଛି ବିବାଦ?

ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ବାଧୀନ ତାମିଲଗା ଭେଟ୍ରି କଝଗମ୍‌ (ଟିଭିକେ) ସରକାର ୧୦୦ ଦିନ ପୂରଣ କରିଥିବାବେଳେ ପ୍ରଥମ ଥର ପାଇଁ ଦୁର୍ନୀତି ଅଭିଯୋଗକୁ ନେଇ ବିବାଦରେ ପଡ଼ିଛନ୍ତି।

ଚେନ୍ନାଇ: ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ବାଧୀନ ତାମିଲଗା ଭେଟ୍ରି କଝଗମ୍‌ (ଟିଭିକେ) ସରକାର ୧୦୦ ଦିନ ପୂରଣ କରିଥିବାବେଳେ ପ୍ରଥମ ଥର ପାଇଁ ଦୁର୍ନୀତି ଅଭିଯୋଗକୁ ନେଇ ବିବାଦରେ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)କୁ ନୂଆ ସ୍ଥାନକୁ ସ୍ଥାନାନ୍ତର ପାଇଁ ଜାରି ହୋଇଥିବା ୫.୫୪ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ବିଜେପି ଓ ଡିଏମ୍‌କେ ଉଠାଇଛନ୍ତି। ଟିଭିକେ ଏହି ଅଭିଯୋଗକୁ ଖଣ୍ଡନ କରିଛି।

ବର୍ତ୍ତମାନ ସିଏମ୍‌ଓ ଚେନ୍ନାଇର ଫୋର୍ଟ ସେଣ୍ଟ ଜର୍ଜର ମୁଖ୍ୟ ବ୍ଲକ୍‌ରେ ରହିଛି। ଏହି ଭବନରେ ତାମିଲନାଡ଼ୁ ବିଧାନସଭା ମଧ୍ୟ ରହିଛି। ବିଜୟ ସରକାର ସିଏମ୍‌ଓକୁ ସେହି ସଚିବାଳୟ ପରିସରରେ ଥିବା ନାମକ୍କାଲ କବିଞ୍ଜର ମାଳିଗାଇ ଭବନକୁ ନେବାକୁ ଯୋଜନା କରିଛନ୍ତି। ଏହି ଭବନ ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କଳାଇଞ୍ଜରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ନୂଆ କାର୍ଯ୍ୟାଳୟ ଅଧିକ ବଡ଼ ଓ ସୁବିଧାଜନକ ହେବ ବୋଲି ସରକାର କହିଛନ୍ତି।

ବିବାଦର ମୁଖ୍ୟ କାରଣ ହେଉଛି ୫.୫୪ କୋଟି ଟଙ୍କାର ଟେଣ୍ଡର। ଡିଏମ୍‌କେ ନେତା ଇଭି ଭେଲୁ ମଙ୍ଗଳବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ତାଙ୍କ ଅଭିଯୋଗ ଥିଲା, ଅଗଷ୍ଟ ୧୩ରେ ଖବରକାଗଜରେ ଟେଣ୍ଡର ସୂଚନା ପ୍ରକାଶ ପାଇଥିଲା, କିନ୍ତୁ ସରକାରୀ ୱେବ୍‌ସାଇଟ୍‌ରେ ଏହା ଅଗଷ୍ଟ ୧୭ରେ ଅପଲୋଡ୍‌ ହୋଇଥିଲା। ବିଜେପିର ଅଭିଯୋଗ ଆହୁରି ଗୁରୁତର। ଦଳ କହିଛି, ଟେଣ୍ଡର ଜାରି ହେବାର ପ୍ରାୟ ଏକ ମାସ ପୂର୍ବରୁ ହିଁ ନୂଆ କାର୍ଯ୍ୟାଳୟର କାମ ଆରମ୍ଭ ହୋଇଯାଇଥିଲା।

ଅନ୍ୟପକ୍ଷରେ ଟିଭିକେ ସରକାରର ଲୋକ ନିର୍ମାଣ ବିଭାଗ ମନ୍ତ୍ରୀ ଆଧବ ଅର୍ଜୁନ ଅଭିଯୋଗକୁ ଖାରଜ କରିଛନ୍ତି। ଟେଣ୍ଡର ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ଏବଂ ଏ ସମ୍ପର୍କରେ ବିସ୍ତୃତ ଶ୍ୱେତପତ୍ର ଜାରି କରାଯିବ ବୋଲି ସେ କହିଛନ୍ତି। ସିଏମ୍‌ଓ ସ୍ଥାନାନ୍ତର ବିଜୟଙ୍କ ବ୍ୟକ୍ତିଗତ ସୁବିଧା ପାଇଁ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀଙ୍କ ଅନୁସାରେ, ବର୍ତ୍ତମାନର ସିଏମ୍‌ଓ ନିକଟରେ କାମ କରୁଥିବା ପ୍ରାୟ ୮୦ ଜଣ କର୍ମଚାରୀଙ୍କ ପାଇଁ ଶୌଚାଳୟ ଓ ବିଶ୍ରାମ ଭଳି ମୌଳିକ ସୁବିଧା ଯଥେଷ୍ଟ ନାହିଁ। ଅତିଥିମାନଙ୍କ ପାଇଁ ରିସେପ୍ସନ୍‌ ଅଞ୍ଚଳ ମଧ୍ୟ ଅପର୍ଯ୍ୟାପ୍ତ। ତେଣୁ ନୂଆ କାର୍ଯ୍ୟାଳୟକୁ ଯିବା ନିଷ୍ପତ୍ତିକୁ ସରକାର ପ୍ରଶାସନିକ ଆବଶ୍ୟକତା ବୋଲି ଦର୍ଶାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button