Iqbal Treatment: ଯନ୍ତ୍ରଣାରୁ ମୁକ୍ତି ପାଇବ ଇକବାଲ! ଚିକିତ୍ସା ପାଇଁ ହାତ ବଢାଇଲେ ଅନନ୍ତ ଅମ୍ବାନି
ପୋଖରୀ ହିଁ ଘର, ପାଣିରୁ ବାହାରିଲେ ଶରୀର ହୁଏ ଜଳାପୋଡ଼ା । ଦିନ ରାତି କଟି ଯାଇଥାଏ ପୋଖରୀର ପାଣି ଭିତରେ । ୧୬ ବର୍ଷର ପୁଅ ଇକବାଲ ଘର ଛାଡି ପୋଖରୀରେ ରହିବାର ୫ ବର୍ଷ ହୋଇଗଲାଣି । କେବେ କେବେ ୪-୫ ଦିନ ତ କେବେ ୭ ଦିନ ପର୍ଯ୍ୟନ୍ତ ପାଣିରେ ରହିଯାଉଛି। ହେଲେ ଆଉ ପାଣିରେ ରହିବନି ଇକବାଲକୁ ।

ନୂଆଦିଲ୍ଲୀ: ପୋଖରୀ ହିଁ ଘର, ପାଣିରୁ ବାହାରିଲେ ଶରୀର ହୁଏ ଜଳାପୋଡ଼ା । ଦିନ ରାତି କଟି ଯାଇଥାଏ ପୋଖରୀର ପାଣି ଭିତରେ । ୧୬ ବର୍ଷର ପୁଅ ଇକବାଲ ଘର ଛାଡି ପୋଖରୀରେ ରହିବାର ୫ ବର୍ଷ ହୋଇଗଲାଣି । କେବେ କେବେ ୪-୫ ଦିନ ତ କେବେ ୭ ଦିନ ପର୍ଯ୍ୟନ୍ତ ପାଣିରେ ରହିଯାଉଛି। ହେଲେ ଆଉ ପାଣିରେ ରହିବନି ଇକବାଲକୁ । ଯନ୍ତ୍ରଣାରୁ ପାଇବ ମୁକ୍ତି । ଦୂର ହେବ ଇକବାଲର ଅସହ୍ୟ କଷ୍ଟ । ଇକବାଲର ଚକିତ୍ସା ପାଇଁ ହାତ ବଢାଇଛନ୍ତି ଅନନ୍ତ ଅମ୍ବାନୀ । ସୋସିଆଲ ମିଡିଆରେ ଇକବାଲର ଭିଡିଓ ଖୁବ୍ ଭାଇରାଲ୍ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ପାଣିରୁ ବାହାରିଲେ ଶରୀରରେ ପ୍ରବଳ ଜଳାପୋଡ଼ା ହେଉଥିବା ସେ ଦାବି କରୁଥିଲେ। ଅର୍ଥାଭାବରୁ ପରିବାର ଉନ୍ନତ ଚିକିତ୍ସା କରାଇପାରୁନଥିବା ବେଳେ, ଭାଇରାଲ୍ ଭିଡିଓ ଦେଖି ସହାୟତାର ହାତ ବଢ଼ାଇଛନ୍ତି ଅନନ୍ତ ଅମ୍ବାନୀ। ଏବେ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ଅଣାଯାଇଛି ଇକବାଲ୍କୁ । ମୁମ୍ବାଇରେ ଇକବାଲ୍କୁ ଏକ ବଡ଼ ଡାକ୍ତରୀ ଟିମ୍ ପରୀକ୍ଷା କରିବ । ତାଙ୍କ ଶରୀରରେ ଦେଖାଦେଉଥିବା ଲକ୍ଷଣର ପ୍ରକୃତ କାରଣ ଚିହ୍ନଟ ପାଇଁ ବିଶେଷଜ୍ଞ ଡାକ୍ତରମାନେ ଯାଞ୍ଚ କରିବେ। ରୋଗର କାରଣ ସ୍ପଷ୍ଟ ହେବା ପରେ ହିଁ ଉପଯୁକ୍ତ ଚିକିତ୍ସା ପଦ୍ଧତି ସ୍ଥିର କରାଯିବ । ପଶ୍ଚିମବଙ୍ଗର ମୁର୍ଶିଦାବାଦ, ବେଲଡଙ୍ଗା ଅଞ୍ଚଳର ଇକବାଲ୍। ଦିନରାତି ପୋଖରୀ ପାଣିରେ ରହୁଥିବା ଦେଖିବାକୁ ମିଳୁଥିଲେ। କେତେବେଳେ ପାଣିରେ ବସି ଖାଉଥିଲେ, ତ ଆଉ କେତେବେଳେ ଦୀର୍ଘ ସମୟ ଧରି ପାଣିରେ ରହୁଥିଲେ।
ଏହି ଅସ୍ୱାଭାବିକ ଦୃଶ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ରେ ଏହି ଖବର ପ୍ରକାଶିତ ହୋଇଥିଲା । ପାଣିରେ ବୁଡ଼ି ରହିଥିବା ଭିଡ଼ିଓ ଖୁବ୍ ଭାଇରାଲ ହୋଇଥିଲା । ପରେ ଇକବାଲ୍ଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଇକବାଲ୍ଙ୍କ କହିବା ଅନୁସାରେ, ପୋଖରୀ ପାଣିରୁ ବାହାରିଲେ ତାଙ୍କ ଶରୀରରେ ପ୍ରବଳ ଜଳାପୋଡ଼ା ଅନୁଭବ ହେଉଥିଲା। ଏହି ଅସୁବିଧାରୁ ରକ୍ଷା ପାଇବା ପାଇଁ ସେ ଦୀର୍ଘ ସମୟ ପାଣିରେ ରହୁଥିଲେ। କେବଳ ଗୋଟିଏ ପୋଖରୀ ନୁହେଁ, ବେଳେବେଳେ ଗୋଟିଏ ପୋଖରୀରୁ ଅନ୍ୟ ପୋଖରୀକୁ ଯାଉଥିବା ମଧ୍ୟ ସ୍ଥାନୀୟ ଲୋକେ ଦେଖିଥିବା କୁହାଯାଉଛି। ତାଙ୍କର ଏହି ଅଜବ ଲକ୍ଷଣର ପ୍ରକୃତ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଇକବାଲ୍ଙ୍କ ପରିବାର ପୂର୍ବରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ନେଇଥିଲେ। କିନ୍ତୁ ଦୀର୍ଘ ସମୟର ଚିକିତ୍ସା ଏବଂ ପରୀକ୍ଷା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ପରିବାର ପାଇଁ କଷ୍ଟକର ହୋଇଥିଲା। ଫଳରେ ଇକବାଲ୍ଙ୍କ ଚିକିତ୍ସା ଆଗକୁ ବଢ଼ାଇବାରେ ସମସ୍ୟା ହେଉଥିଲା। ଏପଟେ ତାଙ୍କର ଅସ୍ୱାଭାବିକ ସ୍ଥିତି ଦେଖି ସ୍ଥାନୀୟ ଲୋକେ ମଧ୍ୟ ଚିନ୍ତିତ ଥିଲେ। ଭିଡିଓ ଭାଇରାଲ୍ ହେବା ପରେ ଇକବାଲ୍ଙ୍କ ଘଟଣା ଅନନ୍ତ ଅମ୍ବାନୀଙ୍କ ନଜରକୁ ଆସିଥିଲା। ଏହାପରେ ତାଙ୍କ ପକ୍ଷରୁ ଇକବାଲ୍ଙ୍କ ଉନ୍ନତ ଚିକିତ୍ସା ପାଇଁ ସହାୟତାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଏବେ ପରିବାରର ଆଶା ଉନ୍ନତ ଚିକିତ୍ସା ମାଧ୍ୟମରେ ଇକବାଲ୍ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ଏବଂ ସେ ପୁଣି ସ୍ୱାଭାବିକ ଜୀବନକୁ ଫେରିପାରିବେ। ଗୋଟିଏ ଭାଇରାଲ୍ ଭିଡିଓ, ଜଣେ ୧୬ ବର୍ଷର ପୁଅର ଯନ୍ତ୍ରଣା ଏବଂ ଶେଷରେ ସହାୟତାର ହାତ। ପୋଖରୀ ପାଣିରେ ଦିନରାତି ବିତାଉଥିବା ଇକବାଲ୍ଙ୍କ କାହାଣୀ ଏବେ ମୁର୍ଶିଦାବାଦରୁ ମୁମ୍ବାଇ ପହଞ୍ଚିଛି। ତାଙ୍କ ରୋଗର ପ୍ରକୃତ କାରଣ କ’ଣ ଏବଂ ଚିକିତ୍ସା ପରେ ଇକବାଲ୍ଙ୍କ ଜୀବନରେ କେତେ ବଡ଼ ପରିବର୍ତ୍ତନ ଆସିବ ଏବେ ସମସ୍ତଙ୍କ ନଜର ସେହି ଦିଗରେ।
ସୌଜନ୍ୟ ସମ୍ବାଦ




