Sensor Technology: ଆଇଜର୍ ଗବେଷକଙ୍କ ନୂଆ ପ୍ରଯୁକ୍ତି ବିକାଶ, ସେନ୍ସର୍ ଚିହ୍ନିବ ଡାଇବେଟିକ୍ କିଡ୍ନୀ ରୋଗ

ବ୍ରହ୍ମପୁର, ୦୬/୧୦: ସପ୍ତାହେ ପୂର୍ବରୁ ଆଇଜର୍ ଓ ରାଉରକେଲା ଏନ୍ଆଇଟି ଗବେଷକ ଦଳ ମୁଖଗହ୍ୱର କର୍କଟ ରୋଗର ବିକଳ୍ପ ଓ କମ୍ ମୂଲ୍ୟରେ ଚିକିତ୍ସା ସମ୍ପର୍କିତ ଗବେଷଣାର ପେଟେଣ୍ଟ୍ ହାସଲ କରିଛନ୍ତି । ଏହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରମୁଖ ସଫଳତା ବୋଲି କୁହାଯାଉଛି । ଏବେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ (ଆଇଜର୍)ର ଗବେଷକମାନେ ଡାଇବେଟିକ୍ କିଡ୍ନୀ ରୋଗ (ଡିକେଡି)ର ଶୀଘ୍ର ଓ ସଠିକ୍ ଚିହ୍ନଟ ପାଇଁ ନାନୋ-ଟେକ୍ନୋଲୋଜି ଆଧାରିତ ନୂଆ ଫ୍ଲୋରାସେଣ୍ଟ୍ ସେନ୍ସର୍ ପ୍ରସ୍ତୁତ କରିଛନ୍ତି । ଏହି ଟେକ୍ନଲୋଜି ଦ୍ୱାରା ପରିସ୍ରା ନମୁନା ପରୀକ୍ଷା କରି ଅତି କମ୍ ସମୟରେ ଡିକେଡି ଚିହ୍ନଟ କରାଯାଇ ପାରିବ ବୋଲି ଗବେଷକମାନେ ଦାବି କରିଛନ୍ତି ।
ସାଧାରଣତଃ ଅନ୍ୟାନ୍ୟ କିଡ୍ନୀ ରୋଗ ଏବଂ ଡାଇବେଟିକ୍ କିଡ୍ନୀ ରୋଗର ଲକ୍ଷଣ ସମାନ ଦେଖାଯାଉଥିବାରୁ ଏହାକୁ ଭିନ୍ନ ଭାବେ ଚିହ୍ନଟ କରିବା ଡାକ୍ତରମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଥାଏ । ମାତ୍ର ଏହି ନୂତନ ସେନ୍ସର୍ ପରିସ୍ରାରେ ଥିବା ଏନ୍ଜିଏଏଲ୍ ନାମକ ସ୍ୱତନ୍ତ୍ର ପ୍ରୋଟିନ୍କୁ ଚିହ୍ନଟ କରି ଡାଇବେଟିକ୍ କିଡ୍ନୀ ରୋଗକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ।
ସୌଜନ୍ୟ ପ୍ରମେୟ




