NDA: ଏନ୍ଡିଏ ପ୍ରାର୍ଥୀଙ୍କ ବିରୋଧରେ ବିଧାନ ପରିଷଦ ନିର୍ବାଚନ ଲଢ଼ିବାକୁ ନେଇ ଦଳର ସାଧାରଣ ସମ୍ପାଦକଙ୍କୁ ନିଲମ୍ବନ କଲା ଆର୍ଏଲ୍ଏମ୍
ଅକ୍ଟୋବର ୨୩ ତାରିଖରେ ବିହାର ବିଧାନ ପରିଷଦର ଆଠଟି ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଥିବାବେଳେ ନିର୍ବାଚନକୁ ନେଇ ଉପେନ୍ଦ୍ର କୁଶୱାହଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍ଏଲ୍ଏମ୍) ଭିତରେ ବିବାଦ ତୀବ୍ର ହୋଇଛି।

ପାଟନା: ଅକ୍ଟୋବର ୨୩ ତାରିଖରେ ବିହାର ବିଧାନ ପରିଷଦର ଆଠଟି ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଥିବାବେଳେ ନିର୍ବାଚନକୁ ନେଇ ଉପେନ୍ଦ୍ର କୁଶୱାହଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍ଏଲ୍ଏମ୍) ଭିତରେ ବିବାଦ ତୀବ୍ର ହୋଇଛି। ଦଳର ସାଧାରଣ ସମ୍ପାଦକ ତଥା ମୁଖ୍ୟ ମୁଖପାତ୍ର ରାମ ପୁକାର ସିହ୍ନାଙ୍କୁ ଦଳରୁ ଛଅ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ସିହ୍ନା ଏନ୍ଡିଏର ଆଧିକାରିକ ପ୍ରାର୍ଥୀଙ୍କ ବିରୋଧରେ ସରଣ ଟିଚର୍ସ ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ପରେ ଦଳ ପକ୍ଷରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଦଳ ଭିତରେ ଆଭ୍ୟନ୍ତରୀଣ ବିବାଦ ପଦାକୁ ଆସିବାପରେ ସୋମବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିହ୍ନାଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିବା ଦଳର ୩ ବିଧାୟକଙ୍କ ଉପରେ କୁଶୱାହ କ’ଣ ପଦକ୍ଷେପ ନେଉଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଆର୍ଏଲ୍ଏମ୍ର କାର୍ଯ୍ୟକାରୀ ରାଜ୍ୟ ସଭାପତି ତଥା ମୁଖ୍ୟାଳୟ ପ୍ରଭାରୀ ପ୍ରଶାନ୍ତ ପଙ୍କଜ ଜାରି କରିଥିବା ଏକ ଚିଠିରେ ଦଳ କହିଛି ଯେ, ସିହ୍ନା ଏନଡିଏ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରି ସାଂଗଠନିକ ଅନୁଶାସନ ଉଲ୍ଲଂଘନ କରିଛନ୍ତି। ସିହ୍ନାଙ୍କ ନିଷ୍ପତ୍ତି ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି ବୋଲି ସେ କହିଛନ୍ତି। ଏହି ବିଧାୟକମାନେ ହେଲେ ଦିନାରାର ବିଧାୟକ ତଥା ଆର୍ଏଲ୍ଏମ୍ର ବିହାର ରାଜ୍ୟ ସଭାପତି ଆଲୋକ କୁମାର ସିଂହ; ମଧୁବନୀ ବିଧାୟକ ମାଧବ ଆନନ୍ଦ ଓ ବାଜପଟ୍ଟିର ବିଧାୟକ ରାମେଶ୍ୱର ମହତୋ।
ସୌଜନ୍ୟ ସମ୍ବାଦ




