Approval of new Form-6: ନୂଆ ଫର୍ମ-୬କୁ ଅନୁମୋଦନ କିମ୍ବା ଖାରଜ କରାଯାଇନାହିଁ: ସୁପ୍ରିମ୍କୋର୍ଟ
ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ବ୍ୟବହୃତ ନୂଆ ଫର୍ମ-୬ର ବୈଧତା ଉପରେ ସୁପ୍ରିମ୍କୋର୍ଟ ଏଯାଏଁ କୌଣସି ରାୟ ଦେଇନାହାନ୍ତି। ଏହାକୁ ଅନୁମୋଦନ କିମ୍ବା ଖାରଜ କରିନାହାନ୍ତି ବୋଲି ସୋମବାର ସ୍ପଷ୍ଟ କରିଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ।

ନୂଆଦିଲ୍ଲୀ: ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ବ୍ୟବହୃତ ନୂଆ ଫର୍ମ-୬ର ବୈଧତା ଉପରେ ସୁପ୍ରିମ୍କୋର୍ଟ ଏଯାଏଁ କୌଣସି ରାୟ ଦେଇନାହାନ୍ତି। ଏହାକୁ ଅନୁମୋଦନ କିମ୍ବା ଖାରଜ କରିନାହାନ୍ତି ବୋଲି ସୋମବାର ସ୍ପଷ୍ଟ କରିଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ। ଅଦାଲତଙ୍କ ପୂର୍ବ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯିବା ଉଚିତ ନୁହେଁ ବୋଲି କହିବା ସହ ଏ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ଅକ୍ଟୋବର ୨୭ରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଓ ଭି ମୋହନା ମଧ୍ୟ ଏହି ଖଣ୍ଡପୀଠରେ ଅଛନ୍ତି।
ସୋମବାର ଏହି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ନରେନ୍ଦ୍ର ମିଶ୍ର ନିର୍ବାଚନ ଆୟୋଗ ନୂଆ ଫର୍ମକୁ ସୁପ୍ରିମ୍କୋର୍ଟଙ୍କ ଅନୁମୋଦନ ମିଳିଥିବା ଦାବି କରୁଥିବା ପ୍ରସଙ୍ଗ ଉଠାଇଥିଲେ। ଏହାର ଜବାବରେ ଜଷ୍ଟିସ୍ ବାଗ୍ଚୀ କହିଥିଲେ ଯେ ନୂଆ ଫର୍ମ-୬ ସମ୍ପର୍କରେ ଅଦାଲତ କୌଣସି ନ୍ୟାୟିକ ନିଷ୍ପତ୍ତି ନେଇନାହାନ୍ତି। ଅଦାଲତଙ୍କ ମନ୍ତବ୍ୟକୁ ନିଜ ସୁବିଧା ଅନୁଯାୟୀ ବ୍ୟାଖ୍ୟା ନ କରିବାକୁ ମଧ୍ୟ ଖଣ୍ଡପୀଠ ଚେତାଇ ଦେଇଥିଲେ। ଏହି ବିବାଦର ମୂଳରେ ରହିଛି ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭୋଟର ପଞ୍ଜୀକରଣ ଫର୍ମରେ ଯୋଡ଼ାଯାଇଥିବା ଅତିରିକ୍ତ ଘୋଷଣାପତ୍ର। ଏଥିରେ ଆବେଦନକାରୀଙ୍କ ନିଜ ନାମ କିମ୍ବା ତାଙ୍କ ବାପା-ମାଆ ବା ଜେଜେବାପା-ଜେଜେମାଆଙ୍କ ନାମ ପୂର୍ବର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କରେ ତଥ୍ୟ ଦେବାକୁ ପଡ଼ୁଛି।
ସୌଜନ୍ୟ ସମ୍ବାଦ




