ସାଉଁଟୁଥିଲେ ପ୍ରଶଂସା , ଏବେ କେହି ପଚାରୁ ନାହାନ୍ତି ! ପଲିଥିନ ତଳେ କଟୁଛି ଜାତୀୟ ଖେଳାଳି ରାଧେଶ୍ୟାମଙ୍କ ଜୀବନ, ପ୍ରଶାସନ ଅନ୍ଧ

ନୂଆପଡ଼ା ୧୬/୧୧ (ରତନ କେତକୀ): ଖେଳୁଥିଲେ, ପ୍ରଶଂସା ସାଉଁଟୁଥିଲେ । ଖେଳ ଶେଷ ହେଲା, ସମସ୍ତେ ଭୁଲି ଗଲେ । ସେ କେମିତି ଅଛନ୍ତି, କ’ଣ କରୁଛନ୍ତି, କେହି କେବେ ପଚାରି ନାହାନ୍ତି । ଜରାଜୀର୍ଣ୍ଣ ଘର, ଭାଙ୍ଗିଯାଇଛି ମାଟିକାନ୍ଥ । ଢଙ୍କା ହୋଇଛି ଜରିପାଲ । ବିପଦସଙ୍କୁଳ ଘରେ ଅତି ଦୟନୀୟ ଭାବେ ବିତୁଛି ତାଙ୍କର ଜୀବନ । ସେ ହେଉଛନ୍ତି ନୂଆପଡ଼ା ଜିଲ୍ଲା କୋମନା ସହରର ପୂର୍ବତନ ଜାତୀୟସ୍ତରର ଫୁଟବଲ ଖେଳାଳି ରାଧେଶ୍ୟାମ କରୁଆଁ ।
କୋମନା ସହର ହନୁମାନ ଛକ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ବରେ ରୁହନ୍ତି ରାଧେଶ୍ୟାମ । ବୟସ ୫୫ ବର୍ଷ । ଉଭୟ ଫୁଟବଲ ଓ ଭଲିବଲରେ ସେ ଥିଲେ ପ୍ରବୀଣ । କ୍ରିକେଟ ମଧ୍ୟ ଖେଳୁଥିଲେ । ୧୯୮୯ରେ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ରାଜ୍ୟ ଭଲିବଲ ଚାମ୍ପିଅନସିପ୍ ଖେଳିଥିଲେ । ୧୯୯୧ରେ ଓଡ଼ିଶା ଫୁଟବଲ ଦଳରୁ ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। କ୍ରିକେଟ(କର୍କ ଓ ଡିଉଜ ବଲ)ରେ ରାଧେଶ୍ୟାମ ଜିଲ୍ଲା ଦଳରେ ସ୍ଥାନ ପାଇ ଅନେକ ମ୍ୟାଚ ଖେଳିଥିଲେ । ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ ।
ରାଧେଶ୍ୟାମ କହିଛନ୍ତି, ‘ପ୍ରଥମେ ମୁଁ ଭଲିବଲ ଖେଳି ରାଜ୍ୟ ଶିବିରକୁ ଚୟନ ହୋଇଥିଲି । କଟକ ବାରବାଟୀ ଷ୍ଟାଡିୟମରେ ରହୁଥିଲି । ସେହିଠାରୁ ୧୯୯୦ରୁ ଫୁଟବଲ ଖେଳିବା ଆରମ୍ଭ କରିଥିଲି । ପରବର୍ତ୍ତୀ ସମୟରେ ଫୁଟବଲରେ ଭଲ ପ୍ରଦର୍ଶନ କରିବାରୁ ରାଜ୍ୟ ଦଳରେ ମୋତେ ସୁଯୋଗ ମିଳିଥିଲା । ଲକ୍ଷ୍ନୌ ଖେଳିବାକୁ ଆମେ ଯାଇଥିଲୁ । ସେଠାରେ ଦିଲ୍ଲୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ବିପକ୍ଷରେ ଖେଳିବାର ସୁଯୋଗ ମିଳିଥିଲା ।’
ରାଧେଶ୍ୟାମ କଳାରେ ଯୁକ୍ତଦୁଇ ପାସ୍ କରିଛନ୍ତି । ସେ କୌଣସି ସରକାରୀ ଚାକିରି ପାଇ ନାହାନ୍ତି । କୋମନା ସହରର ଏକ ସରକାରୀ ବିଦ୍ୟାଳୟରେ ଚୁକ୍ତିଭିତ୍ତିକ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ୧୫୦୦ ଟଙ୍କାରେ ଚାକିରି ଆରମ୍ଭ କରିଥିଲେ, ଏବେ ବଢ଼ି ବଢ଼ି ପ୍ରାୟ ୮୦୦୦ ଟଙ୍କା ଛୁଇଁଛି । ଏହି ସ୍ୱଳ୍ପ ଦରମାରେ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ୁଛି । କୋମନା ହନୁମାନ ଛକସ୍ଥିତ ତାଙ୍କ ମାଟି ଖପର ଘରର କାନ୍ଥ ଚାରିଆଡ଼େ ଭାଙ୍ଗି ଆଁ କରିଛି । ଛାତ ଉପର ଖପର ସବୁ ଭାଙ୍ଗିଯାଇଛି । ତେଣୁ ପଲିଥିନ ଢାଙ୍କି ରଖିଛନ୍ତି । ଖରା, ବର୍ଷା ଓ ଶୀତରେ ଏହି ପଲିଥିନ ତଳେ ତାଙ୍କ ପରିବାର ରହୁଛନ୍ତି । ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ସୁନାମ ଆଣିଥିବା ଖେଳାଳିଙ୍କ ପରିବାରର ଏଭଳି ଅବସ୍ଥା ସମସ୍ତଙ୍କୁ ମର୍ମାହତ କରିଛି ।
ସୌଜନ୍ୟ ପ୍ରମେୟ




