ରାଜ୍ୟ

Vice President Visit: ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ, ବିଧାୟକଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର,୧୬/୧୧: ବିଧାୟକଙ୍କୁ  ତାଲିମ ଦେବେ ଉପରାଷ୍ଟ୍ରପତି । ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ସୋମବାର ଦିନିକିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଭୁବନେଶ୍ୱରର ଏକ ହୋଟେଲରେ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି  କାର୍ଯ୍ୟକ୍ରମ ହେବ । ଏଥିରେ ୩ଟି ଅଧିବେଶନ  ରହିବ । ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ  ଏଥିରେ ଯୋଗ ଦେଇ ବିଧାୟକମାନଙ୍କୁ ସଂସଦୀୟ  ପରମ୍ପରା ଓ ପ୍ରଭାବଶାଳୀ କାର୍ଯ୍ୟଧାରା ନେଇ  ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଓ ପ୍ରଶିକ୍ଷଣ ଦେବେ ।

ସୂଚନା ଅନୁସାରେ ଉପରାଷ୍ଟ୍ରପତି ପୂର୍ବାହ୍ନ  ପ୍ରାୟ ୯ଟା ୪୫ ମିନିଟ ସମୟରେ ଏହି  କାର୍ଯ୍ୟକ୍ରମରେ ପହଞ୍ଚିବେ । ଏଥିରେ ରାଜ୍ୟପାଳ  ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ପ୍ରମୁଖ ଉପସ୍ଥିତ ରହିବେ । ବିଭିନ୍ନ  ବିଭାଗର କାର୍ଯ୍ୟକାରିତା, ସରକାରୀ ଯୋଜନାର  ରୂପାୟନ,କାର୍ଯ୍ୟଧାରା ନେଇ ବିଧାୟକମାନେ  କିଭଳି ଗୃହରେ ପ୍ରଭାବଶାଳୀ ଭାବେ ନିଜର  ମତ, ମନ୍ତବ୍ୟ ଓ ଉପସ୍ଥାପନା ରଖିପାରିବେ,  ସେ ନେଇ ତାଲିମ ଦିଆଯିବ । ବିଶେଷ କରି  ଆଗାମୀ ବଜେଟ ଅଧିବେଶନ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଧାୟକମାନଙ୍କୁ ଅବଗତ  କରାଯିବ ।

ବୈଠକରେ ବିଜେପି ଦଳର ସମସ୍ତ  ବିଧାୟକ ଯୋଗଦେବେ ବୋଲି ଜଣାପଡ଼ିଛି । ମାତ୍ର  ବିରୋଧୀ ଦଳର ଉପସ୍ଥିତି ନେଇ ଅନିଶ୍ଚିତତା  ଦେଖା ଦେଇଛି । କଂଗ୍ରେସ ବିଧାୟକମାନେ  ଏଥିରେ ଯୋଗଦେବାକୁ ରୋକଠୋକ ମନା  କରିଦେଇଛନ୍ତି । ବିଜେଡି ବିଧାୟକ ଯୋଗଦେବା ନେଇ ଅନିଶ୍ଚିତତା ରହିଛି ।

କଂଗ୍ରେସ ରାଜ୍ୟ ସଭାପତି ଭକ୍ତଚରଣ  ଦାସ ପୂର୍ବରୁ ସ୍ପଷ୍ଟ କରିଥିଲେ, ଏହି ପ୍ରଶିକ୍ଷଣ  କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ସାମିଲ  ହେବେନି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଆମେ କେହି ଆସିବୁ ନାହିଁ ।  ଯେଉଁମାନେ ବିରୋଧୀ ଦଳକୁ ସମ୍ମାନ ଦେଇ  ଜାଣିନାହାନ୍ତି, ସେମାନେ କ’ଣ ସାମ୍ବାଧାନିକ ନୀତି,  ନିୟମ ଶିଖାଇବେ? ଗଣତନ୍ତ୍ର ଓ ସମ୍ବିଧାନକୁ  ଶାସକ ଦଳ ମାନୁନାହିଁ । ତା’ ଛଡ଼ା ଗଞ୍ଜାମରେ  ବନ୍ୟା ସ୍ଥିତି ରାଜ୍ୟକୁ ଦୋହଲାଇ ଦେଇଛି ।  ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ  ହେଲେ। ଏଭଳି ସ୍ଥିତି ପ୍ରଶିକ୍ଷଣ କ’ଣ ଦିଆଯିବ?

ବିଜେଡି ବିଧାୟକମାନେ କହିଛନ୍ତି,  ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ବ୍ୟକ୍ତିଗତ  ଭାବେ ନିମନ୍ତ୍ରଣ ମିଳିଛି । ମାତ୍ର ଯୋଗଦେବା  ନେଇ ଦଳ ତରଫରୁ କୌଣସି ସୂଚନା  କିମ୍ବା ନିର୍ଦ୍ଦେଶ ଆସିନାହିଁ । ଏଭଳି ଅସ୍ପଷ୍ଟ  ଉତ୍ତରରୁ ଅନୁମାନ କରାଯାଉଛି, ବିଜେଡି  ମଧ୍ୟ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିପାରେ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button