Chhath Puja Ends : ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ସହ ଛଟ୍ ପୂଜା ସମାପନ, ଛଟି ମୟାଙ୍କ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର

ଭୁବନେଶ୍ଵର, ୧୬/୧୧ : ଚାରି ଦିନ ବ୍ୟାପୀ ଚାଲିଥିବା ଆସ୍ଥାର ମହାପର୍ବ ଛଟ୍ ର ଆଜି ଉଦଯାପନ ଦିବସ । ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ସହ ବ୍ରତ ସମାପନ କଲେ ବ୍ରତଧାରୀ । ସକାଳୁ ସକାଳୁ ସୁନ୍ଦରଗଡ଼ର ଇବ୍ ନଦୀ କୂଳ ଏବଂ ରାଉରକେଲାର ଝିରିପାଣୀ କୋଏଲ ନଦୀ ଘାଟରେ ଶ୍ରଦ୍ଧାଳୁ ଓ ବ୍ରତଧାରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇଥିବା ବେଳେ, ଆଜି ଭୋରରୁ ପାଣି ଭିତରେ ରହି ଉଦୟଗାମୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇଛନ୍ତି ମାନସିକଧାରୀ ।
ସମ୍ବଲପୁରରେ ଆଜି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ସହ ସମାପନ ହୋଇଛି ପବିତ୍ର ଛଟ୍ ପୂଜା । ସହରର ବିଭିନ୍ନ ସ୍ଥାନରେ ଛଟ୍ ପୂଜା ପାଳନ କରାଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ଉଦିତ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରି ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମାରୱାଡିପଡ଼ା ଘାଟ, ମନ୍ଦଳିଆ ଘାଟ ପହଞ୍ଚି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି । ଛଟ୍ ପୂଜାରେ ସାମିଲ ହୋଇ ସେ ଶ୍ରଦ୍ଧାଳୁମାନଙ୍କ ସହ ଏହି ଧାର୍ମିକ ପର୍ବ ପାଳନ କରିଛନ୍ତି । ଗତକାଲି ମଧ୍ୟ ସାଂସଦ ବରେଇପାଲି, ବୁର୍ଲା, ହୀରାକୁଦ, ରେମେଡ଼ରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ ।
ସୌଜନ୍ୟ ପ୍ରମେୟ




