Badagada Ponds: ସୁଧୁରିଲାନି ବଡ଼ଗଡ଼ ପୁଷ୍କରିଣୀ ଅବସ୍ଥା, ପାଣିରେ ପଡ଼ିଲା ୧୮ ଲକ୍ଷ

ଭୁବନେଶ୍ୱର,(ଲିଙ୍ଗରାଜ ମହାପାତ୍ର) ୧୭/୧୧: ବଡ଼ଗଡ଼ ଗ୍ରାମରେ ଥିବା ୩ଟି ଐତିହ୍ୟ ପୁଷ୍କରିଣୀର ସମସ୍ୟା ସୁଧୁରୁନାହିଁ । ଗତବର୍ଷ ଟୁବି ଗାଡ଼ିଆରେ ବିଏମସି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । କିନ୍ତୁ ଏ ବର୍ଷ ଏହି ଗାଡ଼ିଆରେ ଦଳ ଓ ପଚା ପାଣିର ଦୁର୍ଗନ୍ଧ ଯୋଗୁଁ ଲୋକେ ପାଦ ପକାଇବାକୁ ଯାଉନାହାନ୍ତି ।
ବଡ଼ଗଡ଼କୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିବାକୁ ସରକାରଙ୍କ ନିକଟରେ ବାରମ୍ବାର ଦାବି ହୋଇଆସୁଛି । କିନ୍ତୁ ଏହି ୩ଟି ପୋଖରୀ ସମସ୍ୟା ଦୂର ହେଉ ନାହିଁ । ଏହି ପୋଖରୀଗୁଡିକ ହେଲା ନୂଆ ପୋଖରୀ ନୂଆସାହି, ଟୁବି ଗାଡ଼ିଆ ଓ ଗୋପାଳୁଣୀ ଗାଡ଼ିଆ । ବାରମ୍ବାର ଟଙ୍କା ଖର୍ଚ୍ଚ ହେଲେ ବି କିଛିଦିନ ମଧ୍ୟରେ ପୋଖରୀଗୁଡିକ ପ୍ରଦୂଷିତ ହୋଇଯାଉଛି । ପାଣି ଉପରେ ଦଳ ମାଡିଯାଉଛି । ପାଣିରୁ ଭୀଷଣ ଦୁର୍ଗନ୍ଧ ବାହାରୁଛି । ମଶା, ମାଛି, କୀଟ ପତଙ୍ଗ ସେଥିରେ ଘର କରି ରହୁଛନ୍ତି । ତେଣୁ ପୋଖରୀଗୁଡ଼ିକ ଲୋକଙ୍କ କାମରେ ଆସୁନାହିଁ । ଗତବର୍ଷ ତଳେ ଟୁବି ଗାଡ଼ିଆରେ ବିଏମସି ୧୮ ଲକ୍ଷ ଟଙ୍କା ଖର୍ଚ୍ଚରେ କାମ କରିଥିଲା । କିନ୍ତୁ ବର୍ତ୍ତମାନ ସେହି ଗାଡ଼ିଆରେ ପାଣି ନିଷ୍କାସନ ହୋଇ ନ ପାରିବାରୁ ପାଣି ପଚି ଦୁର୍ଗନ୍ଧ ହେଉଛି । ସେହି ଗାଡ଼ିଆରେ ଲୋକ ପଶୁ ନାହାନ୍ତି । ଗୋପାଳୁଣୀ ଗାଡ଼ିଆରେ ଗତ ଦୁଇ ବର୍ଷ ତଳେ ବିଏମ୍ସି ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ କରିଥିଲା । କିନ୍ତୁ ଏହି ଗାଡ଼ିଆର ବର୍ତ୍ତମାନ ଅବସ୍ଥା ଦେଖିଲେ ସେଥିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କେହି ଜାଣିପାରିବେ ନାହିଁ ।
ସେହିପରି ନୂଆ ସାହି ନୂଆ ପୋଖରୀ ସମ୍ପୂର୍ଣ ପରିତ୍ୟକ୍ତ ହୋଇ ଆବର୍ଜନାର ଖାଲ ପାଲଟିଛି । ଉକ୍ତ ପୋଖରୀ ପୁନରୁଦ୍ଧାର ପାଇଁ ଚଳିତବର୍ଷ ବିଏମ୍ସି ୩୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରିଛି । କିନ୍ତୁ ଅନ୍ୟ ପୋଖରୀଗୁଡିକ ଭଳି ଏହି ପୋଖରୀର ଅବସ୍ଥା ହୋଇଯିବ ବୋଲି ଗ୍ରାମବାସୀ କହୁଛନ୍ତି । ପାଣି ନିଷ୍କାସନର ବାଟ ବନ୍ଦ ହୋଇଯିବା ଫଳରେ ପୋଖରୀ ପାଣି ଗୋଟିଏ ଜାଗାରେ ଜମି ରହି ପଚି ଶଢ଼ିଯାଉଛି । ଫଳରେ ଦଳ ଓ ଘାସ ମାଡ଼ିଯାଇ ପୋଖରୀକୁ ସମ୍ପୂର୍ଣ ନଷ୍ଟ କରିଦେଉଛି । ଏହି ସମସ୍ୟା ଉପରେ ସ୍ଥାନୀୟ ଗ୍ରାମବାସୀ ବାରମ୍ବାର ବିଏମ୍ସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ।
ସୌଜନ୍ୟ ପ୍ରମେୟ




