ରାଜ୍ୟ

Badagada Ponds: ସୁଧୁରିଲାନି ବଡ଼ଗଡ଼ ପୁଷ୍କରିଣୀ ଅବସ୍ଥା, ପାଣିରେ ପଡ଼ିଲା ୧୮ ଲକ୍ଷ

ଭୁବନେଶ୍ୱର,(ଲିଙ୍ଗରାଜ ମହାପାତ୍ର) ୧୭/୧୧: ବଡ଼ଗଡ଼ ଗ୍ରାମରେ  ଥିବା ୩ଟି ଐତିହ୍ୟ ପୁଷ୍କରିଣୀର ସମସ୍ୟା ସୁଧୁରୁନାହିଁ ।  ଗତବର୍ଷ ଟୁବି ଗାଡ଼ିଆରେ ବିଏମସି ୧୮ ଲକ୍ଷ ଟଙ୍କା  ଖର୍ଚ୍ଚ କରିଥିଲା । କିନ୍ତୁ ଏ ବର୍ଷ ଏହି ଗାଡ଼ିଆରେ  ଦଳ ଓ ପଚା ପାଣିର ଦୁର୍ଗନ୍ଧ ଯୋଗୁଁ ଲୋକେ ପାଦ  ପକାଇବାକୁ ଯାଉନାହାନ୍ତି ।

ବଡ଼ଗଡ଼କୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା  କରିବାକୁ ସରକାରଙ୍କ ନିକଟରେ ବାରମ୍ବାର ଦାବି  ହୋଇଆସୁଛି । କିନ୍ତୁ ଏହି ୩ଟି ପୋଖରୀ ସମସ୍ୟା  ଦୂର ହେଉ ନାହିଁ । ଏହି ପୋଖରୀଗୁଡିକ ହେଲା  ନୂଆ ପୋଖରୀ ନୂଆସାହି, ଟୁବି ଗାଡ଼ିଆ ଓ  ଗୋପାଳୁଣୀ ଗାଡ଼ିଆ । ବାରମ୍ବାର ଟଙ୍କା ଖର୍ଚ୍ଚ ହେଲେ  ବି କିଛିଦିନ ମଧ୍ୟରେ ପୋଖରୀଗୁଡିକ ପ୍ରଦୂଷିତ  ହୋଇଯାଉଛି । ପାଣି ଉପରେ ଦଳ ମାଡିଯାଉଛି ।  ପାଣିରୁ ଭୀଷଣ ଦୁର୍ଗନ୍ଧ ବାହାରୁଛି । ମଶା, ମାଛି,  କୀଟ ପତଙ୍ଗ ସେଥିରେ ଘର କରି ରହୁଛନ୍ତି । ତେଣୁ  ପୋଖରୀଗୁଡ଼ିକ ଲୋକଙ୍କ କାମରେ ଆସୁନାହିଁ ।  ଗତବର୍ଷ ତଳେ ଟୁବି ଗାଡ଼ିଆରେ ବିଏମସି ୧୮ ଲକ୍ଷ  ଟଙ୍କା ଖର୍ଚ୍ଚରେ କାମ କରିଥିଲା । କିନ୍ତୁ ବର୍ତ୍ତମାନ ସେହି  ଗାଡ଼ିଆରେ ପାଣି ନିଷ୍କାସନ ହୋଇ ନ ପାରିବାରୁ  ପାଣି ପଚି ଦୁର୍ଗନ୍ଧ ହେଉଛି । ସେହି ଗାଡ଼ିଆରେ  ଲୋକ ପଶୁ ନାହାନ୍ତି । ଗୋପାଳୁଣୀ ଗାଡ଼ିଆରେ ଗତ   ଦୁଇ ବର୍ଷ ତଳେ ବିଏମ୍‌ସି ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ  କରିଥିଲା । କିନ୍ତୁ ଏହି ଗାଡ଼ିଆର ବର୍ତ୍ତମାନ ଅବସ୍ଥା  ଦେଖିଲେ ସେଥିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି  ବୋଲି କେହି ଜାଣିପାରିବେ ନାହିଁ ।

ସେହିପରି ନୂଆ ସାହି ନୂଆ ପୋଖରୀ ସମ୍ପୂର୍ଣ  ପରିତ୍ୟକ୍ତ ହୋଇ ଆବର୍ଜନାର ଖାଲ ପାଲଟିଛି । ଉକ୍ତ  ପୋଖରୀ ପୁନରୁଦ୍ଧାର ପାଇଁ ଚଳିତବର୍ଷ ବିଏମ୍‌ସି  ୩୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରିଛି । କିନ୍ତୁ  ଅନ୍ୟ ପୋଖରୀଗୁଡିକ ଭଳି ଏହି ପୋଖରୀର ଅବସ୍ଥା  ହୋଇଯିବ ବୋଲି ଗ୍ରାମବାସୀ କହୁଛନ୍ତି । ପାଣି  ନିଷ୍କାସନର ବାଟ ବନ୍ଦ ହୋଇଯିବା ଫଳରେ ପୋଖରୀ  ପାଣି ଗୋଟିଏ ଜାଗାରେ ଜମି ରହି ପଚି ଶଢ଼ିଯାଉଛି ।  ଫଳରେ ଦଳ ଓ ଘାସ ମାଡ଼ିଯାଇ ପୋଖରୀକୁ ସମ୍ପୂର୍ଣ  ନଷ୍ଟ କରିଦେଉଛି । ଏହି ସମସ୍ୟା ଉପରେ ସ୍ଥାନୀୟ  ଗ୍ରାମବାସୀ ବାରମ୍ବାର ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ  ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button