Judgement: ଲାଞ୍ଜିବେର୍ଣ୍ଣା ଖଣିର ଜମି ଅଧିଗ୍ରହଣ ରଦ୍ଦ କଲେ ସୁପ୍ରିମକୋର୍ଟ
ଅନୁସୂଚିିତ ଅଞ୍ଚଳରେ ଗ୍ରାମସଭାର ଅଧିକାରକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟର ଲାଞ୍ଜିବେର୍ଣ୍ଣା...

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଅନୁସୂଚିିତ ଅଞ୍ଚଳରେ ଗ୍ରାମସଭାର ଅଧିକାରକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁନ୍ଦରଗଡ଼ଜିଲ୍ଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟର ଲାଞ୍ଜିବେର୍ଣ୍ଣା ଖଣିର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ଫୋରମ ଫର୍ ଗ୍ରାମସଭା ତରଫରୁ ଦାଏର୍ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ରାୟକୁ ରଦ୍ଦ କରି ଜମି ଅଧିଗ୍ରହଣ ସମ୍ପର୍କିତ ବିଜ୍ଞପ୍ତି ଓ ତତ୍ସମ୍ପର୍କିତ ଆଦେଶଗୁଡ଼ିକୁ ମଧ୍ୟ ସୁପ୍ରିମ କୋର୍ଟ ରଦ୍ଦ କରିଛନ୍ତି। ଗ୍ରାମସଭାର ପୂର୍ବ ସମ୍ମତି ବିନା ଅନୁସୂଚିତ ଅଞ୍ଚଳରେ ଜମି ଅଧିଗ୍ରହଣ ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଆଇନ ଅନୁଯାୟୀ, ନୂତନ ଭାବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବା ଉପରେ ସୁଯୋଗ ରହିଛି। ଏହି ରାୟ ପରେ ଜିଲ୍ଲା ପ୍ରଶାସନର ଜମି ଅଧିଗ୍ରହଣ କରାସାଦି ପଦାକୁ ଆସିଥିବା ଚର୍ଚ୍ଚା ହେଉଛି।
ସୁପ୍ରିମକୋର୍ଟଙ୍କ ଅନୁଯାୟୀ, ଜମି ଅଧିଗ୍ରହଣ ଆଇନ, ୨୦୧୩ର ଧାରା ୪୧(୩) ଅନୁଯାୟୀ ଅନୁସୂଚିତ ଅଞ୍ଚଳରେ ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭାର ସମ୍ମତି ବାଧ୍ୟତାମୂଳକ। ସମ୍ମତି ନ ନେଇ ଜମି ଅଧିଗ୍ରହଣ କଲେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଆଇନଗତ ଭାବେ ତ୍ରୁଟିପୂର୍ଣ୍ଣ ହେବ। ଲାଞ୍ଜିବେର୍ଣ୍ଣା ଜମି ଅଧିଗ୍ରହଣ ପ୍ରସ୍ତାବକୁ ୨୦୨୦ ଜାନୁଆରି ୨୬ରେ ଦୁଇଟି ଗ୍ରାମସଭା ଖାରଜ କରିଥିଲେ। ଏହା ସତ୍ତ୍ବେ ସରକାର ତଥା ସ୍ଥାନୀୟ ପ୍ରଶାସନ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ାଇଥିବାରୁ ସୁପ୍ରିମକୋର୍ଟ ଏହାକୁ ଆଇନର ଗୁରୁତର ଉଲ୍ଲଂଘନ ବୋଲି କହିଛନ୍ତି। ଏହି ପ୍ରକଳ୍ପ ପାଇଁ ସାମାଜିକ ପ୍ରଭାବ ଆକଳନ ସମୟରେ ପ୍ରକୃତରେ ଜନଶୁଣାଣି ହୋଇ ନଥିଲା ବୋଲି କୋର୍ଟ ଜାଣିବାକୁ ପାଇଥିଲେ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଖଣି ଓ ଖଣିଜ ଦ୍ରବ୍ୟ ଉନ୍ନୟନ ଓ ନିୟନ୍ତ୍ରଣ ଆଇନ ୧୯୫୭ ଅନୁଯାୟୀ ଖଣି ଲିଜ୍ ମିଳିଥିଲେ ମଧ୍ୟ ତାହା ତୃତୀୟ ପକ୍ଷ ଜମି ମାଲିକଙ୍କ ସମ୍ପତ୍ତି ଅଧିକାରକୁ ପ୍ରଭାବିତ କରିପାରିବ ନାହିଁ। ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ପାଇଁ ଲାଞ୍ଜିବେର୍ଣ୍ଣା ଓ ବିହାବନ୍ଧ ମୌଜାର ଯଥାକ୍ରମେ ୨୭.୨୬ ଏକର ଓ ୯.୨୨ ଏକର ଜମି ଅଧିଗ୍ରହଣକୁ ନେଇ ବିବାଦ ଉପୁଜିଥିଲା। ଗ୍ରାମସଭାରେ ଜମି ଅଧିଗ୍ରହଣ ପ୍ରସ୍ତାବକୁ ପ୍ରଭାବିତ ଖଟଙ୍ଗ, କୁକୁଡ଼ା, କେଶ୍ରାମାଲ, ଝଗରପୁର, ଅଲଣ୍ଡା ପଞ୍ଚାୟତର ଅଧିବାସୀ ଖାରଜ କରିଥିଲେ। ଏହା ସତ୍ତ୍ବେ ଜିଲ୍ଲା ପ୍ରଶାସନ ତଞ୍ଚକତା କରି ଗ୍ରାମସଭାରେ ପାରିତ କରିବା, ‘ଜେ’ ଫର୍ମରେ ସହମତି ନନେଇ ଜମି ଅଧିଗ୍ରହଣ କରୁଥିବା ପ୍ରଭାବିତ ଅଭିଯୋଗ କରିଥିଲେ। ତେବେ ଓଡ଼ିଶା ହାଇକୋର୍ଟ କମ୍ପାନି ସପକ୍ଷରେ ରାୟ ଦେବା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରିଥିଲା ପ୍ରଶାସନ। ଏହାକୁ ବିରୋଧ କରି ଗ୍ରାମସଭା କମିଟି ସୁପ୍ରିମକୋର୍ଟରେ ଆବେଦନ କରିବା ସହ ୨୦୨୫ ଡିସେମ୍ବର ୧୯ରେ ଅର୍ଥନୈତିକ ଅବରୋଧ କରିଥିଲେ।
ସୌଜନ୍ୟ ସମ୍ବାଦ




