Congress Questions Additional Budget ରାଜ୍ୟର ୪୪ଟି ବିଭାଗ ମଧ୍ୟରୁ ପ୍ରାୟ ୨୫ଟି ବିଭାଗ ନିଜ ବଜେଟ ରାଶିର ୭ପ୍ରତିଶତ ମଧ୍ୟ ଖର୍ଚ୍ଚ କରିନାହାନ୍ତି : କଂଗ୍ରେସ
ଓଡ଼ିଶା ସରକାରଙ୍କ ଅତିରିକ୍ତ ୨୪,୧୫୦ କୋଟି ଟଙ୍କାର ବଜେଟ୍କୁ କଂଗ୍ରେସ ସମାଲୋଚନା କରିଛି। ବିଭିନ୍ନ ବିଭାଗ ବଜେଟ୍ ଅର୍ଥ ଖର୍ଚ୍ଚ କରିପାରୁନଥିବା ଅଭିଯୋଗ।

ଭୁବନେଶ୍ୱର: ଗତକାଲି ବିଧାନସଭାରେ ଅତିରିକ୍ତ ୨୪୧୫୦ କୋଟି ଟଙ୍କାର ବଜେଟ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ହଟ୍ଟଗୋଳ ଭିତରେ ଏହାକୁ ବିନା ଆଲୋଚନାରେ ପାରିତ କରିନେଲେ। ପୂର୍ବ ବଜେଟର ବ୍ୟୟ ବରାଦ ଅର୍ଥ ବିଭିନ୍ନ ବିଭାଗ ୫ପ୍ରତିଶତ ଖର୍ଚ୍ଚ ମଧ୍ୟ କରିନାହାନ୍ତି, କିନ୍ତୁ ସରକାର ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଅତିରିକ୍ତ ବଜେଟ୍ ଅଣାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଆଜି (ଗୁରୁବାର) ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଓ ଅନ୍ୟତମ ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି ଉପସ୍ଥିତ ଥିଲେ। ରାଜ୍ୟର ଅତିରିକ୍ତ ବଜେଟ୍ ଉପସ୍ଥାପନାକୁ ସମାଲୋଚନା କରି କହିଥିଲେ, ଚଳିତ ଫେବ୍ରୁଆରିରେ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଣିଥିଲେ । ତନ୍ମମଧ୍ୟରୁ ୧ଲକ୍ଷ ୮୦ ହଜାର କୋଟି ଟଙ୍କା କେବଳ ଯୋଜନା ବ୍ୟୟ ଥିଲା । ରାଜ୍ୟ ସରକାରଙ୍କର ୪୪ଟି ବିଭାଗ ମଧ୍ୟରୁ ପାଖାପାଖି ୨୫ଟି ବିଭାଗ ନିଜ ବଜେଟ ରାଶିର ୭ପ୍ରତିଶତ ମଧ୍ୟ ଖର୍ଚ୍ଚ କରିନାହାନ୍ତି । ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ହେଲା ପୁଞ୍ଜି ବ୍ୟୟବରାଜ ମୂଳ ବଜେଟର ୭୨ ହଜାର ୧ଶହ କୋଟି ଟଙ୍କା ଥିଲାବେଳେ ଏହି ଆର୍ଥିକ ବର୍ଷରେ ୮ମାସ ପରେ ମାତ୍ର ୧୮ ହଜାର ୧୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଯାଇଛି । ଯାହାକି ସମୁଦାୟ ବଜେଟ ରାଶିର ୨୫.୨ ପ୍ରତିଶତ ।
ସେହିପରି ସ୍ୱାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗର ବଜେଟ ଅନୁଦାନ ୨୩ ହଜାର ୧୮୨ କୋଟି ଟଙ୍କା ଥିବାବେଳେ ୮ ମାସ ପରେ ମାତ୍ର ୮ ହଜାର ୮୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ୩୫.୨୨ ପ୍ରତିଶତ । ସେହିପରି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗକୁ ୩୪ ହଜାର ୧୬୬ କୋଟି ଟଙ୍କା ଚଳିତ ବଜେଟରେ ଖର୍ଚ୍ଚ କରିବା ପାଇଁ ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଏହି ଆର୍ଥିକ ବର୍ଷ ଅକ୍ଟୋବର ମାସ ସୁଧା ମାତ୍ର ୭ ହଜାର ୮୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ୨୩ ପ୍ରତିଶତ ସାମଗ୍ରିକ ଭାବରେ ରାଜ୍ୟ ସରକାର ୩୫.୨୨ ପ୍ରତିଶତ ବ୍ୟୟ ବରାଦ ରାଶିର ଅର୍ଥ ଖର୍ଚ୍ଚ କରିଛନ୍ତି ଅକ୍ଟୋବର ମାସ ସୁଧା । ଏହି ଆର୍ଥିକ ବର୍ଷରେ ଆଉ ମାତ୍ର ୪ମାସ ମଧ୍ୟରେ କିଭଳି ଭାବରେ ୬୫ପ୍ରତିଶତ ଅର୍ଥ ରାଶି ଖର୍ଚ୍ଚ ହେବ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି । ଖାଲି ସେଥିକି ନୁହେଁ ଗତ ଆର୍ଥିକ ବର୍ଷରେ ସରକାର ୨୮ ପ୍ରତିଶତରୁ ଅଧିକ ବ୍ୟୟ ବରାଦ ରାଶି ଖର୍ଚ୍ଚ କରିପାରିନାହାନ୍ତି। ଏହି କାରଣରୁ ରାଜ୍ୟର ପ୍ରଗତି ପରିବର୍ତ୍ତେ ରାଜ୍ୟ ଦୁର୍ଗତି ଆଡକୁ ମୁହାଁଇଛି ବୋଲି ସେମାନେ କହିଥିଲେ।
ସୌଜନ୍ୟ ସମ୍ବାଦ




