ରାଜ୍ୟ

‘ମୂଳବସନ୍ତ’ ବିରୂପା କୂଳରେ ବସନ୍ତର ପ୍ରଥମ ସ୍ପର୍ଶ ! , ବନ୍ୟା ଓ ବିସ୍ଥାପନର ଗାଥା ‘ହଇରାଣପୁର’

କେଉଁ ଗାଁର ନାଁ ଶୁଣିଲେ କୌତୂହଳ ଜାଗେ ତ ଆଉ କେଉଁ ଗାଁର ନାଁ ଲାଗେ କିଛିମାତ୍ରାରେ ଅଜବ । କିନ୍ତୁ ସବୁ ନାମ ପଛରେ ରହିଛି କିଛି ନା କିଛି ଇତିହାସ । କଟକ ଜିଲ୍ଲାରେ ଏମିତି ଅନେକ ଗାଁ ରହିଛି ଯାହାର ନିଆରା ନାମକରଣ ପଛରେ ରହିଛି ରୋଚକ ଲୋକକଥା, ପରମ୍ପରା ଓ ସଂସ୍କୃତିର କାହାଣୀ । ନାମ ଶୁଣି କମିକିଯିବେ, କିନ୍ତୁ ଏହାପଛରେ କାହାଣୀ ଜାଣିଲେ ଇତିହାସ ସହ ଯୋଡ଼ି ହୋଇଯିବେ । କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଏମିତି କିଛି ଗାଁର ନାମକରଣକୁ ନେଇ ଏହି ସ୍ବତନ୍ତ୍ର ରିପୋର୍ଟ…

ରିପୋର୍ଟରେ, ପତିତପାବନ ରାଉତ , ଅଜୟ ପଣ୍ଡା , ହୃଷିକେଷ ମଲ୍ଲିକ , ଅଶୋକ ଦାଶ, ଗିରିଜା ମିଶ୍ର ,ପ୍ରିୟଦର୍ଶିନୀ ସାହୁ

ମୁଗୁନିପଥରର ଗାଁ

‘ପଥୁରିପଡ଼ା’ଗାଁ ର ନାଁ ପଥୁରିପଡ଼ା । ନାଁ ଶୁଣିଲେ ମନକୁ ଆସେ ପଥରର କଥା । ପ୍ରକୃତରେ ଏହି ଗାଁର ପରିଚୟ ସହ ପଥରର ରହିଛି ଏକ ନିବିଡ଼ ସମ୍ପର୍କ । ଚାରିପାଖରେ କଳା ମୁଗୁନି ପଥରର ସମ୍ଭାର । ପଥର ଏଠାକାର ପ୍ରାକୃତିକ ପରିବେଶର ଏକ ପରିଚିତ ଦୃଶ୍ୟ । ପଥୁରିପଡ଼ାରୁ ଅନୁଆରୀ ରାସ୍ତାରେ ଗଲେ ରାସ୍ତାକଡ଼ରେ ପଥର କାଟି ଛୋଟ ଛୋଟ ଖଣ୍ଡରେ ବିକ୍ରି କରୁଥିବା ଲୋକଙ୍କୁ ଦେଖିବାକୁ ମିଳେ । ଗାଁର ଭୌଗୋଳିକ କ୍ଷେତ୍ରଫଳ ୫୬୨ ହେକ୍ଟର । ୨୦୧୧ ଜନଗଣନା ଅନୁସାରେ ଏଠାରେ ୫୧୧ ପରିବାରର ୨,୨୮୩ ଜଣ ବସବାସ କରୁଥିଲେ । ଗାଁର ଅନ୍ୟତମ ପରିଚୟ ହେଉଛି ଏହାର ପଥର କାରିଗରୀ ଓ ବ୍ୟବସାୟ । ତେବେ ପଥୁରିପଡ଼ା ନାମଟି ସଂସ୍କୃତର ‘ପ୍ରସ୍ତରପଲ୍ଲୀ’ ଶବ୍ଦରୁ ଆସିଥିବା ନେଇ ସ୍ଥାନୀୟ ଲୋକେ ମତ ଦିଅନ୍ତି । ପଥର ସହ ଗାଁର ଭୌଗୋଳିକ ଓ ଜୀବିକା ଜଡ଼ିତ ଥିବାରୁ ଗାଁର ନାମକରଣ ଯଥାର୍ଥ ବୋଲି କୁହାଯାଏ ।

ମାହାଙ୍ଗାର ‘ମୂଳବସନ୍ତ’

ଏକ ନିଆରା ଗାଁ ହେଉଛି ମାହାଙ୍ଗା ବ୍ଲକ ମୂଳବସନ୍ତ । ଏହା ପଛରେ ରହିଛି ଦୁଇଟି ଭିନ୍ନ ଲୋକକଥା । ସ୍ଥାନୀୟ ଲୋକଙ୍କ ମତରେ, ବିରୂପା ନଦୀକୂଳରେ ଅବସ୍ଥିତ ଏହି ଅଞ୍ଚଳକୁ ବସନ୍ତ ଋତୁର ମଳୟ ପବନ ପ୍ରଥମେ ସ୍ପର୍ଶ କରିଥିଲା । ପ୍ରକୃତିର ଏହି ପ୍ରଥମ ସ୍ପର୍ଶରୁ ଅଞ୍ଚଳର ନାମ ମୂଳବସନ୍ତ ହୋଇଥିବା କୁହାଯାଏ । ବିରୂପା ନଦୀର ଅବବାହିକାରେ ଥିବାରୁ ଏହି ଅଞ୍ଚଳ ବସବାସ ପାଇଁ ଅନୁକୂଳ ଥିଲା । ତେଣୁ ବାହାର ଅଞ୍ଚଳରୁ ଆସି ଅନେକ ପରିବାର ଏଠାରେ ବସତି ସ୍ଥାପନ କରିଥିଲେ । ଅନ୍ୟ ଏକ ଲୋକକଥା ଅନୁସାରେ, ମହାରାଷ୍ଟ୍ର ଅଞ୍ଚଳରୁ ଆସିଥିବା ଗାତ୍ରୀୟ ବ୍ରାହ୍ମଣମାନେ ଏହି ଅଞ୍ଚଳରେ ବସତି ସ୍ଥାପନ କରିଥିଲେ । ସେମାନଙ୍କ ମଧ୍ୟରୁ ବସନ୍ତ ନାମକ ଜଣେ ବ୍ରାହ୍ମଣ ପ୍ରଥମେ ଏଠାରେ ପରିବାର ସହ ଘରଦ୍ୱାର କରି ରହିଥିଲେ । ତାଙ୍କ ନାମରୁ ଏହି ଅଞ୍ଚଳର ନାମ ମୂଳବସନ୍ତ ହୋଇଥିବା ମଧ୍ୟ ଲୋକମତ ରହିଛି । ତେବେ ନାମକରଣର ଏହି ଦୁଇ କାହାଣୀ ମଧ୍ୟରୁ କେଉଁଟି ସତ, ତାର ପ୍ରାମାଣିକ ତଥ୍ୟ କିଛି ନାହିଁ । କିନ୍ତୁ ବିରୂପା ନଦୀର ଶୀତଳ ପବନ ଓ ଗାଁର ପୁରୁଣା ସ୍ମୃତିକୁ ନେଇ ମୂଳବସନ୍ତର ପରିଚୟ ଆଜି ବି ନିଆରା ।

ହାତୀଦାଣ୍ଡରୁ ‘କୋରକରା’

ଆଳି ନିକଟ ଗାଁର ନାଁ କୋରକରା । ଆଜିର ପିଢ଼ି ପାଇଁ ଏହି ନାଁ ହୁଏତ ଏକ କୌତୂହଳର ବିଷୟ ହୋଇପାରେ । ହେଲେ ସ୍ଥାନୀୟ ଲୋକଙ୍କ ମତରେ ଏହା ପଛରେ ରହିଛି ଏକ କାହାଣୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବରୁ ଏହି ଗାଁର ନାମ ଥିଲା “ହାତୀଦାଣ୍ଡ’ । କାରଣ ହାତୀମାନେ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ । ବ୍ରାହ୍ମଣ ଶ୍ରେଣୀର ଲୋକମାନେ ଏଠାରେ ବସବାସ କରୁଥିଲେ । ସେମାନେ ପୂଜାପାଠ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମଧ୍ୟ ଆଗ୍ରହୀ ଥିଲେ । ନିଆଳିର ଅନ୍ୟ ଏକ ଗାଁରୁ କିଛି ଲୋକ ହାତୀଦାଣ୍ଡ ଦେଇ ଆମେଣାକୁଦ ଅଞ୍ଚଳରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ । କାର୍ଯ୍ୟକ୍ରମରେ ଅସନ୍ତୁଷ୍ଟ ହୋଇ ସେମାନେ ପୁଣି ନିଜ ଗାଁକୁ ଫେରି ଆସୁଥିଲେ । ରାଗରେ ସେହି ଗାଁରୁ ଦୁଇଟି ପଥର ମୂର୍ତ୍ତିକୁ ଟେକିଆଣିଥିଲେ । ଫେରିବା ସମୟରେ ସେମାନେ ହାତୀଦାଣ୍ଡଠାରେ ପଥର ମୂର୍ତ୍ତି ଦୁଇଟିକୁ ରଖିଥିଲେ । ସକାଳ ବ୍ରାହ୍ମଣମାନେ ଗାଁରେ ଦେବୀଙ୍କର ଦୁଇଟି ପଥର ମୂର୍ତ୍ତି ଦେଖି ପୂଜାର୍ଚ୍ଚନା କରିଥିଲେ । ନଡ଼ିଆ ତୋଳି ତାକୁ କୋରି ମୂର୍ତ୍ତି ପାଖରେ ଭୋଗ ଲଗାଇଥିଲେ । ନଡ଼ିଆ କୋରିବାରୁ ଗାଁର ନାମ “କୋରକରା’ ଭାବେ ପରିଚିତ ହେଲା ବୋଲି ନିକଟସ୍ଥ ଶୋଭନେଶ୍ୱର ମନ୍ଦିରର ସେବକ ପୂଜକ କୈଳାସ ତିହାଡ଼ି ପ୍ରକାଶ କରିଛନ୍ତ

ନରସିଂହପୁରର ‘ହଇରାଣପୁର’

ଗାଁ ର ନାଁ ହଇରାଣପୁର । ନାଁ ଶୁଣିଲେ ମନରେ ଆପେଆପେ ପ୍ରଶ୍ନ ଉଠେ, କାହିଁକି ଏମିତି ନାଁ? କେଉଁ ପରିସ୍ଥିତିରେ ଗାଁଟିର ନାମ ହଇରାଣପୁର ହେଲା? ଏହି ନାମ ଏହା ପଛରେ ଲୁଚି ରହିଥିବା କାହାଣୀ ବେଶ୍ ମର୍ମସ୍ପର୍ଶୀ । ମହାନଦୀ ବନ୍ୟାର ଦୁର୍ଦ୍ଦଶା, ଭିଟାମାଟି ଛାଡ଼ିବାର ଯନ୍ତ୍ରଣା ଓ ନୂଆ ଜାଗାରେ ପୁଣି ଥରେ ଜୀବନ ଗଢ଼ିବାର ସଂଘର୍ଷର କରୁଣ କାହାଣୀ କହେ ହଇରାଣପୁର । ନରସିଂହପୁର ବ୍ଲକ୍ କୋକୋଳବା ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ରାଜସ୍ୱ ଗ୍ରାମ ଅଧୀନରେ ରହିଛି ହଇରାଣପୁର । ସୂଚନା ଅନୁସାରେ, ୧୯୮୦ ମସିହା ପୂର୍ବରୁ ଏଠାକାର ଲୋକମାନେ ମହାନଦୀ ବନ୍ଧ ଭିତରେ ବସବାସ କରୁଥିଲେ । ସେତେବେଳେ ଏହି ଅଞ୍ଚଳ ପୁରୁଷୋତ୍ତମପୁର ରାଜସ୍ୱ ଗ୍ରାମର ଅଧୀନରେ ଥିଲା । ମହାନଦୀ ବନ୍ଧ ଭିତରେ ରହିଥିବାରୁ ପ୍ରତିବର୍ଷ ବନ୍ୟା ଆସିଲେ ଗାଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ୁଥିଲା । ଘରଦ୍ୱାର, ଚାଷଜମି ଓ ଜୀବନଜୀବିକା ବନ୍ୟାରେ ପ୍ରଭାବିତ ହେଉଥିଲା । ବର୍ଷା ଦିନ ଆସିଲେ ଲୋକଙ୍କ ମନରେ ଭୟ ଓ ଆଶଙ୍କା ଘାରୁଥିଲା । ବାରମ୍ୱାର ବନ୍ୟାର ଦୁର୍ଦ୍ଦଶାରୁ ମୁକ୍ତି ପାଇବା ପାଇଁ ଶେଷରେ ଗ୍ରାମବାସୀଙ୍କୁ ଭିଟାମାଟି ଛାଡ଼ିବାକୁ ପଡ଼ିଥିଲା । ୧୯୯୦ରୁ ୧୯୯୪ ମସିହା ମଧ୍ୟରେ ପ୍ରାୟ ୬୩ଟି ପରିବାରକୁ ନଦୀବନ୍ଧର ଅପରପାଶ୍ୱ ର୍ରେ ଥିବା ବର୍ତ୍ତମାନର ହଇରାଣପୁର ଅଞ୍ଚଳକୁ ଆଣି ଥଇଥାନ କରାଯାଇଥିଲା । ପୁରୁଣା ଗାଁ ଛାଡ଼ି ଅଜଣା ଜାଗାରେ ନୂଆ କରି ସଂସାର ଗଢ଼ିବା ସେମାନଙ୍କ ପାଇଁ ସହଜ ନଥିଲା । ନୂଆ ଘର, ନୂଆ ପରିବେଶ ଓ ଜୀବିକାର ଚିନ୍ତା ଭିତରେ ଆରମ୍ଭ ହୋଇଥିଲା ଜୀବନର ଆଉ ଏକ ଅଧ୍ୟାୟ ।

ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଚଳିତ କଥା ଅନୁସାରେ, ବନ୍ୟା ଯୋଗୁଁ ବାରମ୍ୱାର ହଇରାଣ ହେବା ଓ ଶେଷରେ ବିସ୍ଥାପିତ ହୋଇ ନୂଆ ଜାଗାରେ ବସତି ସ୍ଥାପନ କରିବାର ଅନୁଭୂତିରୁ ଏହି ସ୍ଥାନର ନାମ “ହଇରାଣପୁର’ ହୋଇଛି । ନାମ ପଛରେ ରହିଛି ଅନେକ ପରିବାରର ଦୁଃଖ, ଦୁର୍ଦ୍ଦଶା ଓ ଭିଟାମାଟି ହରାଇବାର ବେଦନା । ସମୟ ସହିତ ହଇରାଣପୁରର ଲୋକମାନେ ନୂଆ ପରିବେଶ ସହ ନିଜକୁ ଖାପଖୁଆଇ ନେଇଛନ୍ତି । ନିଜ ପରିଶ୍ରମରେ ଗଢ଼ିଛନ୍ତି ଘରଦ୍ୱାର ଓ ଜୀବନଜୀବିକା । ହେଲେ ପୁରୁଣା ଗାଁର ସ୍ମୃତି ଓ ବନ୍ୟାର ସେହି ଭୟଙ୍କର ଅନୁଭୂତି ଆଜି ବି ସେମାନଙ୍କ ମନରୁ ଲିଭିନାହିଁ । ନୂଆ ପିଢ଼ି ପାଇଁ ହଇରାଣପୁର ଏକ ସାଧାରଣ ଗାଁ ହୋଇଥାଇପାରେ, କିନ୍ତୁ ପୁରୁଣା ପିଢ଼ି ପାଇଁ ଏହା ବିସ୍ଥାପନର ଯନ୍ତ୍ରଣା ଓ ପୁନର୍ବାସର ସଂଘର୍ଷର ସ୍ମୃତି ବହନ କରେ । ଏହା କେବଳ ଏକ ଗାଁର ନାମ ନୁହେଁ, ବରଂ ବନ୍ୟାରେ ଭିଟାମାଟି ହରାଇ ନୂଆ ଠିକଣା ଖାଜିଥିବା ୬୩ଟି ପରିବାରର ଜୀବନ କାହାଣୀ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button