Abhishek Banarjee: ଅଭିଷେକ ବାନାର୍ଜୀଙ୍କ ପିଏଙ୍କ ତଦନ୍ତ ରେକର୍ଡ ଯାଞ୍ଚ କରିବେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ବୁଧବାର ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ବ୍ୟକ୍ତିଗତ ସହାୟକ ସୁମିତ ରୟଙ୍କ ବିରୋଧରେ ଚାଲିଥିବା ଏକ ତଦନ୍ତ ରେକର୍ଡ ଯାଞ୍ଚ କରିବାକୁ ରାଜି ହୋଇଛନ୍ତି।

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ବ୍ୟକ୍ତିଗତ ସହାୟକ ସୁମିତ ରୟଙ୍କ ବିରୋଧରେ ଚାଲିଥିବା ଏକ ତଦନ୍ତ ରେକର୍ଡ ଯାଞ୍ଚ କରିବାକୁ ରାଜି ହୋଇଛନ୍ତି। ଏକ ଜମି ଦଖଲ ମାମଲାରେ ରୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ମଧ୍ୟ କୋର୍ଟ ଆସନ୍ତା ସପ୍ତାହରେ କରିବେ ବୋଲି ଧାର୍ଯ୍ୟ କରିଛନ୍ତି। କୋର୍ଟ ଅଗଷ୍ଟ ୬ ତାରିଖରେ ରୟଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଥିଲେ। ପଶ୍ଚିମବଙ୍ଗ ପୁଲିସ କୋର୍ଟଙ୍କୁ କହିଛି ଯେ ରୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ ମଧ୍ୟ ତଦନ୍ତରେ ସହଯୋଗ କରୁନାହାନ୍ତି।
ପୁଲିସ ତଦନ୍ତ ରେକର୍ଡ କୋର୍ଟରେ ଦାଖଲ କରି କହିଛି ଯେ ଏହି ମାମଲାରେ ତଦନ୍ତ ରେକର୍ଡର ଏହା କେବଳ ଏକ କ୍ଷୁଦ୍ର ଅଂଶ । କୌଣସି ଆଦେଶ ଦେବା ପୂର୍ବରୁ କୋର୍ଟ ଏହି ରେକର୍ଡଗୁଡ଼ିକୁ ଯାଞ୍ଚ କରନ୍ତୁ ବୋଲି ରାଜ୍ୟ ପକ୍ଷ ଅନୁରୋଧ କରିଥିଲା।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ କହିଛନ୍ତି, ‘ ଆମେ ଏହାକୁ ଯାଞ୍ଚ କରିବୁ ଏବଂ ଆସନ୍ତା ସପ୍ତାହରେ ମାମଲାର ଶୁଣାଣି କରିବୁ। ରାଜ୍ୟ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ୍ ତୁଷାର ମେହଟା କହିଥିଲେ, ମୁଁ ରେକର୍ଡଗୁଡ଼ିକୁ ଯାଞ୍ଚ କରିଛି ଏବଂ କହିପାରିବି ଯେ ଏହା ବିସ୍ତୃତ ରେକର୍ଡର ଏକ କ୍ଷୁଦ୍ର ଅଂଶ। ତେବେ ରାୟଙ୍କ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ କହିଛନ୍ତି, ତାଙ୍କ ମହକିଲ ତଦନ୍ତରେ ସହଯୋଗ କରୁଛନ୍ତି।
ସୌଜନ୍ୟ ସମ୍ବାଦ




