ଦେଶ ବିଦେଶ

Supremecourt: ନିଖୋଜ ଓ ଉଦ୍ଧାର ଶିଶୁଙ୍କ ପାଇଁ ଡିଏନ୍‌ଏ, ବାୟୋମେଟ୍ରିକ୍ ବ୍ୟବସ୍ଥା ସ୍ଥାପନ: କେନ୍ଦ୍ରଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ରୀପକ କଂସଲଙ୍କ ଦ୍ୱାରା ଦାଖଲ ଆବେଦନକୁ ବିଚାରକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ଏନ୍‌ସିପିସିଆର୍‌କୁ ନୋଟିସ କରିଛନ୍ତି।

ନୂଆଦିଲ୍ଲୀ: ନିଖୋଜ ଓ ଉଦ୍ଧାର ହୋଇଥିବା ଶିଶୁଙ୍କ ଡିଏନ୍‌ଏ , ବାୟୋମେଟ୍ରିକ୍ ପରିଚୟ ପାଇଁ ଆଇନଗତ ସୁରକ୍ଷା ସହ ଏକ କେନ୍ଦ୍ରୀକୃତ ବ୍ୟବସ୍ଥା ସୃଷ୍ଟି କରିବାକୁ କେନ୍ଦ୍ର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଆଜି କୋର୍ଟ କେନ୍ଦ୍ର ସରକାର ଏବଂ ଏନ୍‌ସିପିସିଆର (ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ)କୁ ନୋଟିସ୍‌ କରି ଜବାବ ମାଗିଛନ୍ତି। ନିଖୋଜ ଓ ଉଦ୍ଧାର ଶିଶୁଙ୍କୁ ବୈଜ୍ଞାନିକ ଉପାୟରେ ଚିହ୍ନଟ କରିବା, ସେମାନଙ୍କୁ ଖୋଜିବା ଏବଂ ସେମାନଙ୍କ ପରିବାର ସହ ପୁନର୍ମିଳନ କରାଇବା ପାଇଁ ସାରା ଦେଶରେ ଡିଏନ୍‌ଏ ଓ ବାୟୋମେଟ୍ରିକ୍ ଡାଟାବେସ୍ ସୃଷ୍ଟି କରିବାକୁ ଦାବି କରି ଏହି ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲା।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ରୀପକ କଂସଲଙ୍କ ଦ୍ୱାରା ଦାଖଲ ଆବେଦନକୁ ବିଚାରକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ଏନ୍‌ସିପିସିଆର୍‌କୁ ନୋଟିସ କରିଛନ୍ତି। ଆଇନଜୀବୀ ପ୍ରବୀର ଚୌଧୁରୀଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଆବେଦନରେ କେନ୍ଦ୍ର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ଆଇନଗତ ସୁରକ୍ଷା ସହ ନିଖୋଜ ଓ ଉଦ୍ଧାର ହୋଇଥିବା ଶିଶୁଙ୍କ ଡିଏନ୍‌ଏ ଏବଂ ବାୟୋମେଟ୍ରିକ୍ ପରିଚୟ ପାଇଁ ଏକ କେନ୍ଦ୍ରୀକୃତ ବ୍ୟବସ୍ଥା ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ନିଖୋଜ ଓ ଉଦ୍ଧାର ଶିଶୁଙ୍କ ପାଇଁ ଏକ ଜାତୀୟ ଡିଏନ୍‌ଏ ଏବଂ ବାୟୋମେଟ୍ରିକ୍ ପରିଚୟ ବ୍ୟବସ୍ଥା ସ୍ଥାପନ କରିବାକୁ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଜାରି କରାଯାଉ ବୋଲି ଆବେଦନରେ କୁହାଯାଇଛି।

ଏଥିରେ ଉପଯୁକ୍ତ ଆଇନଗତ ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ, ଯାହା ଦ୍ୱାରା ସାଇଣ୍ଟିଫିକ୍‌ ମ୍ୟାଚିଙ୍ଗ ଏବଂ ପରିଚୟ ପୁନଃସ୍ଥାପନ ସମ୍ଭବ ହେବ। ଏଥିସହ ନିଖୋଜ ଶିଶୁଙ୍କ ଇଚ୍ଛୁକ ଜୈବିକ ମାତାପିତା ଓ ଅଭିଭାବକଙ୍କ ସମ୍ମତି ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରି, ସମସ୍ତ ଅଚିହ୍ନଟ ଉଦ୍ଧାର ଶିଶୁଙ୍କର ଡିଏନ୍‌ଏ ନମୁନା ସଂଗ୍ରହ ବାଧ୍ୟତାମୂଳକ କରିବାକୁ ମଧ୍ୟ ଆବେଦନରେ ଦାବି କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କୁ ପରିବାର ସହ ପୁନର୍ମିଳନ କରାଇବା ଏବଂ ସେମାନଙ୍କ ପରିଚୟ ନିଶ୍ଚିତ କରିବା।

ସେହିପରି ପୁଲିସ ରେକର୍ଡ, ଆଶ୍ରୟସ୍ଥଳ, ଶିଶୁ କଲ୍ୟାଣ କମିଟି ଏବଂ ଆଣ୍ଟି-ହ୍ୟୁମାନ୍ ଟ୍ରାଫିକିଂ ୟୁନିଟ୍‌ ସମେତ ଶିଶୁ ସୁରକ୍ଷା ସହ ଜଡ଼ିତ ସମସ୍ତ ବର୍ତ୍ତମାନର ଡାଟାବେସ୍‌କୁ ଏକ କେନ୍ଦ୍ରୀକୃତ ଏବଂ ରିଅଲ୍-ଟାଇମ୍ ଜାତୀୟ ବ୍ୟବସ୍ଥାରେ ସଂଯୋଗ କରିବାକୁ ଆବେଦନରେ କୁହାଯାଇଛି। ଏଥିସହ ନିଖୋଜ ବ୍ୟକ୍ତିଙ୍କ ବୟସ କିମ୍ବା ଲିଙ୍ଗ ନିର୍ବିଶେଷରେ ତୁରନ୍ତ ଏତଲା ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କିତ ଦାବି ମଧ୍ୟ ଉଲ୍ଲେଖ କରାଯାଇଛି। ନିଖୋଜ ଏବଂ ମାନବ ଚାଲାଣର ଶିକାର ହୋଇଥିବା ଶିଶୁଙ୍କ ମାମଲାରେ ରାଜ୍ୟମାନଙ୍କ ମଧ୍ୟରେ ବାଧ୍ୟତାମୂଳକ ସମନ୍ୱୟ, ସମୟସୀମା ମଧ୍ୟରେ ତଦନ୍ତ, ଉଦ୍ଧାର ଏବଂ ପୁନର୍ବାସନ ସୁନିଶ୍ଚିତ କରିବା ପାଇଁ ଜାତୀୟ ଓ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଏବଂ ଆଣ୍ଟି-ଟ୍ରାଫିକିଂ ଟାସ୍କ ଫୋର୍ସ ଗଠନ କରିବାକୁ ଆବେଦନରେ ଦାବି କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button