ରାଜ୍ୟ

Arrest: ଜମି କିସମ ବଦଳାଇବାକୁ ଲାଞ୍ଚ: ତହସିଲଦାର ଓ ଗାଡ଼ିଚାଳକ ଗିରଫ

ଜମି କିସମ ପରିବର୍ତ୍ତନ ପାଇଁ ମାଗିଥିଲେ ଲାଞ୍ଚ। ଦାବି ମୁତାବକ ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଓ ତାଙ୍କ ଗାଡ଼ିଚାଳକ ପଙ୍କଜ ସିପ୍‌କା ଲାଞ୍ଚ କାରବାରରେ

ଭବାନୀପାଟଣା: ଜମି କିସମ ପରିବର୍ତ୍ତନ ପାଇଁ ମାଗିଥିଲେ ଲାଞ୍ଚ। ଦାବି ମୁତାବକ ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ। କଳାହାଣ୍ଡିଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଓ ତାଙ୍କ ଗାଡ଼ିଚାଳକ ପଙ୍କଜ ସିପ୍‌କା ଲାଞ୍ଚ କାରବାରରେ ଧରାପଡ଼ିବା ଘଟଣା ଜିଲ୍ଲାରେ ହଟଚମଟ ସୃଷ୍ଟି କରିଛି। ଉଭୟଙ୍କୁ ଗିରଫ କରାଯାଇଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।

ଗୋଲାମୁଣ୍ଡା ତହସିଲ ଅନ୍ତର୍ଗତ ଗଣ୍ଡାମେର ଗାଁର ଚନ୍ଦ୍ର କେତକୀ ନିଜର ୨୪ ଡେସିମିଲ ଜମିର କିସମ ଘରବାରିକୁ ପରିବର୍ତ୍ତନ କରିବା ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏ ସମ୍ପର୍କରେ ବୃନ୍ଦାବାହାଲ ରାଜସ୍ୱ ନିରୀକ୍ଷକ ତଦନ୍ତ କରି ଆବଶ୍ୟକ କାଗଜପତ୍ର ତହସିଲରେ ଦାଖଲ କରିଥିଲେ। ତହସିଲଦାରଙ୍କୁ ଭେଟିବାରୁ ୧୫ ହଜାର ଟଙ୍କା ଦେଲେ କିସମ ପରିବର୍ତ୍ତନ ହେବ ବୋଲି ରୋକଠୋକ କହିଥିଲେ। ଏପରିକି ତହସିଲଦାରଙ୍କ ଗାଡ଼ି ଚାଳକ ପଙ୍କଜ ସିପ୍‌କା ମଧ୍ୟ ନିଜ ପାଇଁ ୨ ହଜାର ଏବଂ ତହସିଲଦାରଙ୍କ ପାଇଁ ୧୦ ହଜାର ଟଙ୍କା ନ ଦେଲେ କାମ ହେବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ପରେ ଚନ୍ଦ୍ର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗର ଯାଞ୍ଚ ପରେ ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ.ବି.ଜେଠୁଆ ଓ ଜୟପୁର ଭିଜିଲାନ୍ସ ଏସ୍‌ପି ଚଢ଼ଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ଡିଏସ୍‌ପି ପ୍ରମିଳା ସୁନାଙ୍କ ନେତୃତ୍ୱରେ ଏକ ଦଳ ଯୋଜନାବଦ୍ଧ ଭାବେ ତହସିଲଦାରଙ୍କ ଗତିବିଧି ଉପରେ ନଜର ରଖିଥିଲା। ପୂର୍ବ ଯୋଜନା ଅନୁଯାୟୀ ଆଜି ଚନ୍ଦ୍ର ଗାଡ଼ିଚାଳକ ପଙ୍କଜଙ୍କ ମାଧ୍ୟମରେ ୧୨ ହଜାର ଟଙ୍କା ଦେଇଥିଲେ। ସେଥିରୁ ୧୦ ହଜାର ଟଙ୍କା ତହସିଲଦାରଙ୍କୁ ଦେବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଦଳ ଉଭୟଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ରଙ୍ଗବୋଳା ୧୨ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ପରେ ଉଭୟଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ସେଠାରେ ଜେରା କରାଯାଇଥିଲା। ଅନ୍ୟପକ୍ଷରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ତହସିଲଦାରଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ଗାଡ଼ିଚାଳକଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ଜାରି ରଖିଛି। ଉଲ୍ଲେଖଯୋଗ୍ୟ, ଗୋଲାମୁଣ୍ଡା ବ୍ଲକ୍‌ର ସମିତିସଭ୍ୟ ଦୀନେଶ ରାଉତ, ପୂର୍ବତନ ବିଡିଓ ଅକ୍ଷୟମିତା କାର୍ତ୍ତିକ ବେଆଇନ ସୂତ୍ରରୁ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button