Bhadrak constituency: ଭଦ୍ରକ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ: ‘ପ୍ରକୃତି ସତେଜ ରହିଲେ ଆମେ ସୁସ୍ଥ ରହିବା’
ଅତ୍ୟଧିକ ପ୍ଲାଷ୍ଟିକ୍ ବ୍ୟବହାର ଦ୍ବାରା ପରିବେଶ ନଷ୍ଟ ହେବାକୁ ବସିଛି। ଆମ ପାଣି, ପବନ, ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଆମକୁ ଏବେଠାରୁ ସଜାଗ ରହିବାକୁ ପଡ଼ିବ। ଏ ପୃଥିବୀ ପୃଷ୍ଠରେ ଆମେ ସୁସ୍ଥ ଭାବରେ ବଞ୍ଚିବାକୁ ପ୍ରକୃତିକୁ ସତେଜ ରଖିବା....

ଭଦ୍ରକ: ଅତ୍ୟଧିକ ପ୍ଲାଷ୍ଟିକ୍ ବ୍ୟବହାର ଦ୍ବାରା ପରିବେଶ ନଷ୍ଟ ହେବାକୁ ବସିଛି। ଆମ ପାଣି, ପବନ, ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଆମକୁ ଏବେଠାରୁ ସଜାଗ ରହିବାକୁ ପଡ଼ିବ। ଏ ପୃଥିବୀ ପୃଷ୍ଠରେ ଆମେ ସୁସ୍ଥ ଭାବରେ ବଞ୍ଚିବାକୁ ପ୍ରକୃତିକୁ ସତେଜ ରଖିବା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ଆଜି ଭଦ୍ରକ ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଆରଡିଛକସ୍ଥିତ ବିନାୟକ ଯୁକ୍ତଦୁଇ ଆବାସିକ କଲେଜ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର କହିଥିଲେ, ‘ସମ୍ବାଦ’ର ‘ପରିବେଶ ପଞ୍ଚାୟତ’ ଓ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଏକ ଅଭିନବ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ଆମମାନଙ୍କ ପାଇଁ ଏକ ବଡ଼ ଆହ୍ବାନ। ଆମକୁ ଜୈବ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଜୈବିକ ଜୀବନଶୈଳୀ ଭିତରେ ବଞ୍ଚିବାକୁ ପଡ଼ିବ। ଆମ ପରିବେଶ ଭଲ ରହିଲେ ଆମେ ସମସ୍ତେ ଭଲରେ ରହିବା ବୋଲି ବିଧାୟକ ଶ୍ରୀ ମହାପାତ୍ର କହିଥିଲେ।
‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ଡ. ହରିହର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଅଧ୍ୟାପିକା ଲୋପାମୁଦ୍ରା ପାଣିଗ୍ରାହୀ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ଅଧ୍ୟାପକ ଶିରୀଷ ଚନ୍ଦ୍ର ପତି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ କଲେଜ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଭଦ୍ରକ ଜିଲ୍ଲା ‘ସମ୍ବାଦ-ସାହିତ୍ୟଘର’ର ସାଧାରଣ ସମ୍ପାଦକ ପ୍ରଫେସର ନିହାର ରଞ୍ଜନ କର, ନାଟ୍ୟଶ୍ରୀ ନିର୍ମଳଚନ୍ଦ୍ର ରାଉତ, କବି ଅରୂପ ଅଭିଷେକ ନାୟକ, ସମାଜସେବୀ ଅମର ପାଣିଗ୍ରାହୀ, କବି ବିପ୍ଲବ ହୋତା ପ୍ରମୁଖ ଯୋଗ ଦେଇଥିଲେ।
ସୌଜନ୍ୟ ସମ୍ବାଦ




