ରାଜ୍ୟ

Bharat Mata : ଏଠାରେ ପୂଜା ପାଆନ୍ତି ‘ଭାରତ ମାତା’, ଅଗଷ୍ଟ ୧୫ ଓ ଜାନୁଆରୀ ୨୬ରେ ହୁଏ ସ୍ଵତନ୍ତ୍ର ପୂଜା

ବୌଦ୍ଧ ଜିଲ୍ଲାର ବନପାଲି ଗାଁରେ ୧୯୪୨ ମସିହାରୁ ରହିଛି ଅନନ୍ୟ ‘ଭାରତ ମାତା’ ମନ୍ଦିର। ଏଠାରେ ଭାରତ ମାତାଙ୍କୁ ଇଷ୍ଟଦେବୀ ଭାବେ ପ୍ରତିଦିନ ପୂଜା କରାଯାଏ ଏବଂ ସକାଳେ ଦେଶଭକ୍ତି ସଙ୍ଗୀତ ସହ ‘ବନ୍ଦେ ମାତରମ୍‌’ ଗାନ କରାଯାଏ। ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଏଠାରେ ହୁଏ ସ୍ୱତନ୍ତ୍ର ପୂଜା। ସ୍ୱାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଏହି ମନ୍ଦିର ଆଜି ବି ଗାଁର ଏକତା ଓ ଭାଇଚାରାର ପ୍ରତୀକ ହୋଇ ରହିଛି।

ବୌଦ୍ଧ, ୧୪/୮ (ପ୍ରମୋଦ କୁମାର ବାଘ): ଗାଁ ମଝିରେ ମନ୍ଦିରଟିଏ । ମନ୍ଦିର ଭିତରେ ସିଂହ ପୃଷ୍ଠରେ ବିରାଜିତା ଭାରତ ମାତା । ହାତରେ ଶୋଭା ପାଉଛି ତ୍ରିରଙ୍ଗା ପତାକା । ପ୍ରତିଦିନ ସକାଳୁ ସେଇଠି ବାଜିଉଠେ ଦେଶଭକ୍ତି ସଂଗୀତ । ପାଖଆଖରେ ଯିଏ ଥିଲେ ମନ୍ଦିର ପାଖରେ ସମବେତ ହୁଅନ୍ତି । ସାମୂହିକ ଗାନ କରନ୍ତି ମାତୃବନ୍ଦନା, ‘ବନ୍ଦେ ମାତରମ୍‌’ । ପରେ ପରେ ପ୍ରତ୍ୟୁଷ ଆଳତି ହେବା ସହ ମାତାଙ୍କ ସ୍ୱତନ୍ତ୍ର ପୂଜା ହୋଇଥାଏ । ଏଭଳି ଏକ ଅନନ୍ୟ ମନ୍ଦିର ରହିଛି ବୌଦ୍ଧ ଜିଲ୍ଲା ଗୋଚ୍ଛାପଡ଼ା ପଞ୍ଚାୟତର ବନପାଲି ଗ୍ରାମରେ । ଭାରତ ମାତା ହେଉଛନ୍ତି ବନପାଲିବାସୀଙ୍କ ଇଷ୍ଟଦେବୀ । ଅନ୍ୟାନ୍ୟ ଶକ୍ତିପୀଠ ଭଳି ସେଠାରେ ମଧ୍ୟ ଭାରତ ମାତାଙ୍କ ନିତ୍ୟ ପୂଜା ବିଧି ପାଳନ ହୋଇଥାଏ । ବିଭିନ୍ନ ପର୍ବପର୍ବାଣି ସହିତ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ପୂଜାର ଆୟୋଜନ ହୁଏ ।

ବୌଦ୍ଧ-ସୁବର୍ଣ୍ଣପୁର ରାସ୍ତାରେ ପ୍ରାୟ ୩୧ କିଲୋମିଟର ଦୂରରେ ଅବସ୍ଥିତ ବନପାଲି । ଜାତୀୟ ରାଜପଥ ୫୭ରେ ୨୫ କିଲୋମିଟର ଯିବା ପରେ ବହିରା ହାଇସ୍କୁଲ ଛକରୁ ଭିତରକୁ ପ୍ରାୟ ୬ କିଲୋମିଟର ଗଲେ ଗାଁମୁଣ୍ଡରେ ରହିଛି ମନ୍ଦିର । ଗ୍ରାମରେ ବିଭିନ୍ନ ସଂପ୍ରଦାୟର ଲୋକ ବସବାସ କରନ୍ତି । ମୋଟ ଜନସଂଖ୍ୟା ୫୬୦ । ତନ୍ମଧ୍ୟରୁ ମେହେର ସମ୍ପ୍ରଦାୟର ଜନସଂଖ୍ୟା ଅଧିକ । ସେମାନେ ସମସ୍ତେ ଲୁଗା ବୁଣି ପରିବାରର ଗୁଜୁରାଣ ମେଣ୍ଟାଇଥାଆନ୍ତି ।   ଗ୍ରାମବାସୀଙ୍କ କହିବାନୁସାରେ, ସ୍ୱାଧୀନତା ସଂଗ୍ରାମ ସମୟରେ ଗ୍ରାମର ଅନେକ ବ୍ୟକ୍ତି ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ । ସମୟ ସମୟରେ ବନପାଲିରେ ସଂଗ୍ରାମୀମାନଙ୍କ ବୈଠକ ହେଉଥିଲା । ସେହି ସମୟରେ କେତେଜଣ ବ୍ୟକ୍ତି ଉଦ୍‌ବୁଦ୍ଧ ହୋଇ ୧୯୪୨ ମସିହାରେ ପ୍ରତିଷ୍ଠା କରିଥିଲେ ଭାରତ ମାତାଙ୍କର ଏକ ମନ୍ଦିର । ମନ୍ଦିରର ପୂଜକ ପର୍ଶୁରାମ ମେହେରଙ୍କ ସୂଚନା ଅନୁସାରେ, ଗ୍ରାମର ଗୋପୀନାଥ ମେହେର, ଦମନ ମେହେର, ରଘୁନାଥ ମେହେର ପ୍ରମୁଖ ଏକ ପ୍ରସ୍ତର ମୂର୍ତ୍ତି ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ସହଯୋଗରେ ନୂତନ ମୂର୍ତ୍ତି ସ୍ଥାପନ ସହ ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ କରାଯାଇଥିଲା । ପୂର୍ବରୁ ବୃଷଭ ମେହେର ଏଠାରେ ପୂଜା କରିଆସୁଥିଲେ । ସମୟକ୍ରମେ ସେ ଅକ୍ଷମ ହେବାରୁ ତାଙ୍କ ପୁଅ ପର୍ଶୁରାମ ଦୀର୍ଘ ୧୫ବର୍ଷ ହେଲା ପୂଜାର୍ଚ୍ଚନା ଦାୟିତ୍ୱ ସମ୍ଭାଳି ଆସୁଛନ୍ତି । ଅନ୍ୟାନ୍ୟ ଦେବୀ ପୀଠ ଭଳି ଏଠାରେ ଗତାନୁଗତିକ ଶକ୍ତି ପୂଜା, ନାମଯଜ୍ଞ, ବିଭିନ୍ନ ପର୍ବପର୍ବାଣି ଆଦି ପାଳିତ ହୋଇଆସୁଛି । ଭାରତ ମାତାଙ୍କ ମନ୍ଦିର ଓ ପୂଜାର୍ଚ୍ଚନା ଯୋଗୁଁ ଗ୍ରାମରେ ଭାଇଚାରା ଅତୁଟ ରହିଛି ।

ମନ୍ଦିର ପରିଚାଳନା କମିଟି ସଭାପତି ବେଣୁଧର ମେହେରଙ୍କ କହିବା ଅନୁସାରେ, ସାଧାରଣତଃ ଆମ ସମାଜରେ କୁଳ, ଗୋତ୍ର, ଜାତି, ଗ୍ରାମ ବା ସହରର ନାମ ଅଧାରରେ ଇଷ୍ଟ ଦେବଦେବୀ ରହିଛନ୍ତି । କିନ୍ତୁ ବନପାଲିବାସୀଙ୍କ ଇଷ୍ଟ ଦେବୀ ହେଉଛନ୍ତି ଭାରତମାତା । ଗ୍ରାମରେ ଶ୍ରୀରାମଙ୍କ ମନ୍ଦିର ଓ ପନ୍ଥେଇ କନେ୍ଧନ ବୁଢ଼ୀଙ୍କ ମନ୍ଦିର ମଧ୍ୟ ରହିଛି । ମାତ୍ର କୌଣସି ସାମାଜିକ କାର୍ଯ୍ୟ, ମାଙ୍ଗଳିକ କର୍ମାରମ୍ଭ, ପର୍ବପର୍ବାଣି ଆଦିରେ ଇଷ୍ଟଦେବୀ ଭାରତମାତାଙ୍କ ମନ୍ଦିରରୁ ପ୍ରଥମେ ପୂଜା କରାଯାଇଥାଏ । ଅନ୍ୟ ମନ୍ଦିର ଗୁଡ଼ିକରେ ଶ୍ରଦ୍ଧାଳୁମାନେ ଦେବଦେବୀଙ୍କ ଧ୍ୱଜା ଚଢ଼ାଇବା ବିଧି ପ୍ରଚଳିତ ଥିବାବେଳେ ଏଠାରେ ଏଠାରେ ଭାରତ ମାତାଙ୍କୁ ତ୍ରିରଙ୍ଗା ଚଢ଼ାଇବା ପରମ୍ପରା ପ୍ରଚଳିତ ରହିଛି । ଗ୍ରାମର ଯୁବକମାନେ ଭାରତ ମାତାଙ୍କ ନାଁରେ ଏକ ସଂଘ ଗଠନ କରି ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ କରିଆସୁଛନ୍ତି । ଗ୍ରାମର ସବୁ ନିଷ୍ପତ୍ତି, ସଭାସମିତି ମନ୍ଦିର ପ୍ରାଙ୍ଗଣରେ ବସି ନିଆଯାଇଥାଏ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଗ୍ରାମବାସୀ ଭାରତ ମାତାଙ୍କ ନିକଟରେ ପ୍ରଥମେ ନୂଆଅନ୍ନ ଲାଗି କରିବା ପରେ ନବାନ୍ନ ଭକ୍ଷଣ କରିଥାନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button