Pet dog issue : ରାଜଧାନୀରେ ଭୟ ବଢ଼ାଇଲେଣି ପୋଷା କୁକୁର, ପାର୍କ ଏବଂ ସର୍ବସାଧାରଣ ସ୍ଥାନରେ ହାଉଯାଉ, ୩ ବର୍ଷ ପରେ ବି ଆସି ପାରିଲାନି ବାଇ-ଲ’
ଭୁବନେଶ୍ୱରର ପାର୍କ, ଖେଳପଡ଼ିଆ ଓ ସର୍ବସାଧାରଣ ସ୍ଥାନରେ ପୋଷା କୁକୁରଙ୍କ ଅବାଧ ଯାତାୟାତ ନେଇ ଚିନ୍ତା ବଢ଼ୁଛି। ବିଏମ୍ସିର ନିୟମ ଥିଲେ ମଧ୍ୟ ଅନେକ ମାଲିକ ତାହା ମାନୁନାହାନ୍ତି, ଫଳରେ କୁକୁର କାମୁଡ଼ା ଓ ଆକ୍ରମଣ ଭଳି ଘଟଣା ଘଟୁଛି। ପୋଷା କୁକୁର ରଖିବା ପାଇଁ ବିଏମ୍ସିରେ ₹୫୦୦ ଦେଇ ପଞ୍ଜୀକରଣ ବାଧ୍ୟତାମୂଳକ ହୋଇଥିବା ବେଳେ, ପ୍ରସ୍ତାବିତ ବାଇ-ଲ’ ୩ ବର୍ଷ ପରେ ମଧ୍ୟ ଲାଗୁ ହୋଇପାରିନାହିଁ।

ଭୁବନେଶ୍ୱର, ୧୪/୮ : ଫରେଷ୍ଟ ପାର୍କରେ ଜଣେ ବ୍ୟକ୍ତି ନିଜ ପୋଷା କୁକୁର ଧରି ବୁଲିଲେ । କୁକୁର ଅନ୍ୟଙ୍କୁ କାମୁଡ଼ିବାକୁ ଗୋଡ଼ାଇ ଆସିଲା । ଏମିତି ସର୍ବସାଧାରଣ ସ୍ଥାନ, ଖେଳପଡ଼ିଆରେ ପୋଷା କୁକୁର ହାଉଯାଉ । ବିଏମ୍ସି ପକ୍ଷରୁ ପୋଷା କୁକୁର ବାରଣ କରାଯାଇଥିବା ବେଳେ ଏହି ନିୟମକୁ ଫୁ’ରେ ଉଡ଼ାଉଛନ୍ତି ମାଲିକ । ସେପଟେ ୩ ବର୍ଷ ପରେ ବି ବିଏମ୍ସି ବାଇ-ଲ’ ଆସି ପାରିଲା ନାହିଁ ।
ନିକଟରେ ପଞ୍ଜାବରେ ଜଣେ ମହିଳାଙ୍କୁ ପୋଷା କୁକୁର ଆକ୍ରମଣ କରିବା ଘଟଣାରେ ସାମ୍ନାକୁ ଆସିଛି । ଭୁବନେଶ୍ୱରରେ ମଧ୍ୟ ପୋଷା କୁକୁର ସଂଖ୍ୟା ବଢ଼ି ଚାଲିଛି । ମନଇଚ୍ଛା କୁକୁର ରଖିବା ଦ୍ୱାରା ସାଧାରଣ ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ଏପରି କି କୁକୁର କାମୁଡ଼ା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ବିଏମ୍ସି ପକ୍ଷରୁ କୁକୁର ରଖିବା ପୂର୍ବରୁ ବିଏମ୍ସିରେ ପଞ୍ଜୀକରଣ ବାଧ୍ୟତାମୂଳକ । ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ । ଏଥିପାଇଁ ମାଲିକଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିବ । ଏହା ପରେ ବିଏମ୍ସି ପକ୍ଷରୁ ଏକ ଟ୍ୟାଗ୍ ମିଳିବ । ଏଥିରେ ମାଲିକଙ୍କ ନାମ ସହିତ ସମ୍ପୂର୍ଣ୍ଣ ତଥ୍ୟ ରହିବ ।
ସେହିପରି ପ୍ରତିବର୍ଷ ଏପ୍ରିଲ ୧ ପୂର୍ବରୁ କୁକୁର ରି- ପଞ୍ଜୀକରଣ କରିବାକୁ ପଡ଼ିବ । ଏଥିପାଇଁ ଅତିରିକ୍ତ ୨୫୦ ଟଙ୍କା ଦେବାକୁ ପଡ଼ିବ । ଏହି ନିୟମକୁ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ୧୦ ହଜାର ଟଙ୍କା ଜରିମାନା କରାଯିବ ବୋଲି କୁହାଯାଇଥିଲା । ଯଦି ମାଲିକ କୁକୁରକୁ ବାହାରକୁ ବୁଲାଇ ନେବେ ତାହାଲେ ଚେନ୍ରେ ବାନ୍ଧିବା ବାଧ୍ୟତା ମୂଳକ । ସେହିପରି ପାର୍କ, ରେଷ୍ଟୁରାଣ୍ଟ, ଜିମ୍, ମଲକୁ କୁକୁର ନେବା ଉପରେ ବାରଣ କରାଯାଇଛି । କୁକୁର ଭ୍ୟାକ୍ସିନ ରାବିସ୍ ଦେବାକୁ ବାଧ୍ୟତାମୂଳକ କରାଯାଇଥିଲା । ହେଲେ ଏହି ନିୟମକୁ ଏବେ ଅଣଦେଖା କରାଯାଉଛି । ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏହି ନିୟମ ନଗର ଉନ୍ନୟନ ବିଭାଗକୁ ପଠାଯାଇଛି । ଅନୁମୋଦନ ମିଳିନି।
ସୌଜନ୍ୟ ପ୍ରମେୟ




