ରାଜ୍ୟ

Boita Bandana 2026: ବୋଇତ ବନ୍ଦାଣ ପାଇଁ ଏକାମ୍ରରେ ମହାଆୟୋଜନ, ଭୋର ୩ଟାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

​​​​​​ଭୁବନେଶ୍ୱର, ୧୮।୧୧: ଆସନ୍ତା ୨୪ ତାରିଖ ମଙ୍ଗଳବାର ବୋଇତ ବନ୍ଦାଣ ଉତ୍ସବ । ପବିତ୍ର ମହାକାର୍ତ୍ତିକ ବ୍ରତର ଉଦ୍‌ଯାପନୀ ଦିବସ । ଏହି ଅବସରରେ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ସହ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ସ୍ମରଣକରି ସମସ୍ତେ ଜଳାଶୟରେ ଡଙ୍ଗା ଭସାଇବେ । ରାଜଧାନୀର ଅଧିକାଂଶ ଲୋକ ଏକାମ୍ର କ୍ଷେତ୍ରକୁ ଆସିବେ । ଏଠାରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ଅନ୍ୟ ଦେବଦେବୀଙ୍କ ଦର୍ଶନ କରିବା ସହ ବିଭିନ୍ନ ଐତିହ୍ୟ ପୁଷ୍କରିଣୀରେ ଡଙ୍ଗା ଭସାଇବେ । ଭଜନ ଜଣାଣରେ ଜମିବ ଅନେକ ଆଧ୍ୟାତ୍ମିକ ମଞ୍ଚ । ସନ୍ଧ୍ୟାରେ ଶୁଭାରମ୍ଭ ହେବ ବାଲିଯାତ୍ରା ଉତ୍ସବ । ଏଥିପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଛି । ଡଙ୍ଗା ନିର୍ମାଣ, ଜଳାଶୟ ଘାଟ ସଫେଇ, ଆଲୋକୀକରଣ, ଦେବାଳୟରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ବାଲିଯାତ୍ରା ପଡ଼ିଆ ସାଜସଜା ଜୋରସର ଚାଲିଛି । ସେହିପରି ଶୃଙ୍ଖଳା ରକ୍ଷା ଓ ଅଘଟଣ ଏଡାଇବାକୁ ପୁଲିସ ପ୍ରଶାସନ, ଅଗ୍ନିଶମ ବାହିନୀ ପ୍ରସ୍ତୁତି ଚଳାଇଛନ୍ତି ।

ବିନ୍ଦୁସାଗରରେ ଦୁଇ ବୃହତ ଡଙ୍ଗା:   

ପବିତ୍ର ସରୋବର ବିନ୍ଦୁସାଗରରେ ଚଳିତବର୍ଷ ଭାସିବ ଦୁଇଟି ବୃହତ ଡଙ୍ଗା । ଗୋଟିଏ ଡଙ୍ଗା ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ଭସାଯିବ, ଯାହାକି ଏକ ବିରାଟ ହଂସ ଆକୃତିର । ପ୍ରାୟ ୨୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଡଙ୍ଗାର ଲମ୍ବା ୧୫ ଫୁଟ ଓ ଉଚ୍ଚତା ସାଢେ ୮ ଫୁଟ । ଏଥିରେ ବିରାଜିବେ ମାଟି ନିର୍ମିତ ସାଧବ ପୁଅମାନେ । ଉତ୍ତରେଶ୍ୱର ଘାଟରେ ହେବାକୁ ଥିବା ଏହି ବୋଇତ ବନ୍ଦାଣ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦେବୀ ମିଶ୍ର, ମନ୍ମଥ ରାଉତରାୟ, ଅମୀୟ ଦାସ, ମେୟର ସୁଲୋଚନା ଦାସଙ୍କ ସମେତ ବହୁ ବିଧାୟକ ସାମିଲ ହେବେ । ଆରାଧନା ଭଜନ ସନ୍ଧ୍ୟା ତରଫରୁ ଭଜନ ପରିବେଷଣ କରାଯିବ । ମଞ୍ଚରେ କିଛି ସଫଳ ବ୍ୟକ୍ତିଙ୍କୁ ‘ଏକାମ୍ର ସଂସ୍କୃତି ସମ୍ମାନ’ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ବେହେରା କହିଛନ୍ତି । ସେହିପରି ଦେବୟୁଗ ପରିବାରର ଅଧ୍ୟକ୍ଷ ଦେବବ୍ରତ ନାୟକଙ୍କ ନେତୃତ୍ୱରେ ବିନ୍ଧ୍ୟ ବାସିନୀ ସଂଲଗ୍ନ ବିନ୍ଦୁସାଗର ତୁଠରେ ଆଉ ଏକ ବୋଇତ ବନ୍ଦାଣ ଉତ୍ସବ ହେବ । ଏଠାରେ ମୟୂର ଆକୃତିର ଏକ ବୋଇତ ଭସାଯିବ । ୧୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ବୋଇତର ଲମ୍ବ ୧୨ଫୁଟ ଓ ଉଚ୍ଚତା ୬ଫୁଟ ରହିଛି । ଏହି ଦୁଇଟି ଯାକ ଡଙ୍ଗା ନଳାମୁହଁ ସାହିର ହୃଷିକେଶ ବେହେରା ଓ ତାଙ୍କ ଭାଉଜ ସୌଦାମିନୀ ସାମଲ ତିଆରି କରୁଛନ୍ତି ।

ମଣିକର୍ଣ୍ଣିକା ପୁଷ୍କରିଣୀରେ କାର୍ତ୍ତିକ ପୂର୍ଣ୍ଣିମା: 

କପିଳେଶ୍ୱର ମନ୍ଦିର ବେଢ଼ା ସ୍ଥିତ ମଣିକର୍ଣ୍ଣିକା ପୁଷ୍କରିଣୀଠାରେ କପିଳେଶ୍ୱର କାର୍ତ୍ତିକ ପୂଜା କମିଟି ଆନୁକୂଲ୍ୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ । ସୋମବାର ସଂନ୍ଧ୍ୟା ୬ଟାରେ ନୃତ୍ୟ ପ୍ରତିଯୋଗିତା ସହ ମଙ୍ଗଳବାର ଭୋରରେ ଡଙ୍ଗା ଭସାଣ ଓ ଭଜନ କାର୍ଯ୍ୟକ୍ରମ ହେବ ବୋଲି ଅନୁଷ୍ଠାନର ସଭ୍ୟ ପ୍ରଭାତ କୁମାର ମହାନ୍ତି କହିଛନ୍ତି ।

ଭୋର ୩ଟାରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର: 

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଭୋର ୩ଟାରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ପହୁଡ ଖୋଲି ମଙ୍ଗଳ ଆଳତୀ ଓ ଅବକାଶ ବଢି ୪ଟା ବେଳକୁ ଭକ୍ତଙ୍କୁ ଦର୍ଶନାନୁମତି ଦିଆଯିବ । ଏହିପରି ଭାବେ ସାହାଣମେଲା ଦର୍ଶନ ଠିକ ସକାଳ ୧୦ଟାରେ ବନ୍ଦ କରାଯାଇ କେବଳ ଆଡ କାଠ ଦର୍ଶନ ହୋଇପାରିବ । ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ପାଇଁ ମନ୍ଦିର ପ୍ରଶାସନ ତରଫରୁ ସେବାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତିତ ଏକାମ୍ରର ଅନ୍ୟ ସମସ୍ତ ପ୍ରମୁଖ ମନ୍ଦିରଗୁଡିକ ମଧ୍ୟ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଭୋରୁ ଖୋଲା ରହିବ ।

ଜମିବ ଏକାମ୍ର କ୍ଷେତ୍ର ବାଲିଯାତ୍ରା: 

ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଙ୍କୁଆଳ ସ୍ଥିତ କୂଆଖାଇ ନଦୀପଠାରେ ମଙ୍ଗଳବାର ସକାଳ ୬ଟାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ, ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷ ନିରୂପମା ସାହୁ ପ୍ରମୁଖ ଯୋଗ ଦେବେ । ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ତଥା ଏକାମ୍ର ବିଧାୟକଙ୍କ ଦ୍ୱାରା ବାଲିଯାତ୍ରା ମହୋତ୍ସବ ଉଦ୍‌ଘାଟନ କରାଯିବ ବୋଲି ସାଧାରଣ ସମ୍ପାଦକ କବିରାଜ ସ୍ୱାଇଁ କହିଛନ୍ତି । ବାଲିଯାତ୍ରାର ପୁରା ଅବଧି ମଧ୍ୟରେ ପ୍ରତ୍ୟେହ ୨୦ଟି ଚାରାରୋପଣ କରାଯିବ ବୋଲି ସେ କହିଛନ୍ତି । ଆସନ୍ତା ୨୪ରୁ ଡିସେମ୍ବର ୩ ତାରିଖ ଯାଏଁ ହେବାକୁ ଥିବା ସାଂସ୍କୃତିକ ସନ୍ଧ୍ୟାରେ ବହୁ କଳାକାର ଯୋଗ ଦେବେ । ୩ ତାରିଖରେ ନାଟକ ‘କାନ୍ଦେନା ଲୁହ ସରିଯିବ’ ପରିବେଷିତ ହେବ । ଏଠାରେ ପ୍ରାୟ ୨୫୦ ଦୋକାନ ବଜାର ସାଙ୍ଗକୁ ଦୋଳି, ମୀନା ବଜାର ଆଦି ପଡ଼ିବ । ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ସାଙ୍ଗକୁ ୧୦୦ଟି ସ୍ଥାନରେ ସିସି କ୍ୟାମେରା ଲାଗିବ । ବିଭିନ୍ନ ଗ୍ରାମର ଯୁବ ସ୍ୱେଚ୍ଛାସେବୀ, ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟ ସହଯୋଗ କରିବେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button