Capital expenditure : ବିକାଶ ଖର୍ଚ୍ଚ ମନ୍ଥର, ୬ ମାସରେ ପୁଞ୍ଜି ବ୍ୟୟ ୨୧%, ସାମାଜିକ କ୍ଷେତ୍ରରେ ୯.୩%

ଭୁବନେଶ୍ୱର, ୧୮/୧୧ : ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ପାନୀୟ ଜଳ, ପରିମଳ ଓ ଗୃହନିର୍ମାଣ ଭଳି ସାମାଜିକ କ୍ଷେତ୍ରରେ ପୁଞ୍ଜି ବ୍ୟୟ (କ୍ୟାପିଟାଲ ଏକ୍ସପେଣ୍ଡିଚର୍) ୧୦ ପ୍ରତିଶତ ଡେଇଁ ନାହିଁ । ସାଧାରଣ କ୍ଷେତ୍ରରେ ପୁଞ୍ଜି ବ୍ୟୟ ଟଙ୍କାଟିଏ ବି ହୋଇ ନାହିଁ । କୃଷି, ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ଶକ୍ତି ଭଳି ଆର୍ଥିକ କ୍ଷେତ୍ରରେ ପୁଞ୍ଜି ଖର୍ଚ୍ଚ ୩୨ ପ୍ରତିଶତ ଭିତରେ ସୀମିତ । ଆର୍ଥିକ ବର୍ଷର ପ୍ରଥମ ୬ ମାସ ଭିତରେ ସରକାରଙ୍କ ଖର୍ଚ୍ଚ ଉପଲବ୍ଧି ଏମିତି । ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ କହୁଛି, ସେପ୍ଟେମ୍ବର ଶେଷ ସୁଦ୍ଧା ବଜେଟ୍ ବ୍ୟୟ ବରାଦର ମାତ୍ର ୨୧ ପ୍ରତିଶତ ବିନିଯୋଗ ହୋଇଛି ପୁଞ୍ଜି ଖର୍ଚ୍ଚ । ବିକାଶର ମେରୁଦଣ୍ଡ ପୁଞ୍ଜି ଖର୍ଚ୍ଚ ପାଇଁ ୭୨ ହଜାର ୧୦୦ କୋଟି ଟଙ୍କା ବଜେଟ ବ୍ୟୟ ବରାଦ ହୋଇଥିଲା । ପ୍ରଥମ ୬ ମାସରେ ଖର୍ଚ୍ଚ ହୋଇଛି ୧୫ ହଜାର ୨୬୩ କୋଟି । ସାମାଜିକ କ୍ଷେତ୍ର ପାଇଁ ମଞ୍ଜୁର ୨୫ ହଜାର ୯୨୪ କୋଟି ବଜେଟରୁ ବିନିଯୋଗ ହୋଇଛି ୨୪୧୬ କୋଟି ଟଙ୍କା । ଆର୍ଥିକ କ୍ଷେତ୍ର ପାଇଁ ପୁଞ୍ଜି ବ୍ୟୟ ବରାଦ ୪୦ ହଜାର ୫୨୩ କୋଟି ଟଙ୍କା ମଞ୍ଜୁର ହୋଇଛି । ଖର୍ଚ୍ଚ ହୋଇଛି ୧୨ ହଜାର ୯୮୦ କୋଟି ଟଙ୍କା ।
ଅର୍ଥ ବିଭାଗ ଚଳିତ ଆଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ପ୍ରସ୍ତାବ ଆଗତ କରିବେ ବିଧାନସଭାରେ । ପୁଞ୍ଜି ବ୍ୟୟରେ ବଜେଟ ଅର୍ଥ ପାଖାପାଖି ୮୦ ପ୍ରତିଶତ ବିନିଯୋଗ ହୋଇ ନାହିଁ । ତଥାପି ପାଖାପାଖି ୨୦ ହଜାର କୋଟି ଟଙ୍କା ଅତିରିକ୍ତ ବ୍ୟୟ ପ୍ରସ୍ତାବ ରଖାଯିବ । ପ୍ରଥମ ୬ ମାସର ଆୟ ଧାରା ବି ସେମିତି ଉତ୍ସାହଜନକ ନୁହେଁ । ନିଜସ୍ୱ ଟିକସ ଆୟର ମୂଳ ଉତ୍ସ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ସୂତ୍ରରୁ ମିଳିଛି ୧୦ ହଜାର ୭୧୬ କୋଟି, ଯାହା ମୋଟ ବଜେଟ ଆକଳନର ମାତ୍ର ୩୬ ପ୍ରତିଶତ । ଚଳିତ ବର୍ଷ ଜିଏସ୍ଟି ଆୟ ୫ ପ୍ରତିଶତ ହାରରେ ବଢ଼ିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ହେଲେ ବଢ଼ିବା ବଦଳରେ ଖସିଛି ଆୟ । ଗତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଏ ସୂତ୍ରରୁ ମିଳିଥିଲା ୧୧ ହଜାର ୪୨୧ କୋଟି ଟଙ୍କା । ଏହାର ଅର୍ଥ, ଏ ବର୍ଷ ଜିଏସ୍ଟି ଆୟ ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଛି । କେନ୍ଦ୍ରୀୟ ଅନୁଦାନ ବାବଦରେ ମିଳିଛି ମାତ୍ର ୫ ହଜାର ୨୬୨ କୋଟି ଟଙ୍କା । ମୋଟ ଆକଳନର ମାତ୍ର ୧୩ ପ୍ରତିଶତ ମିଳିଛି ୬ ମାସ ଭିତରେ ।
ଅର୍ଥ ବିଭାଗର ତଥ୍ୟ ଅନୁସାରେ ସେପ୍ଟେମ୍ବର ଶେଷ ସୁଦ୍ଧା ମୋଟ ଆୟ ୯୫ ହଜାର କୋଟି ୫୦୦ କୋଟି ଟଙ୍କା ଡେଇଁଛି । ମୋଟ ଆୟ ଆକଳନର ଏହା ୩୩.୧୭% । କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ବାବଦରେ ମିଳିଛି ପାଖାପାଖି ୩୧ ହଜାର କୋଟି ଟଙ୍କା । ଅଣ ଟିକସ ରାଜସ୍ୱରୁ (ବିଶେଷ କରି ଖଣି ଆୟ) ମିଳିଛି ପ୍ରାୟ ୨୮ ହଜାର କୋଟି ଟଙ୍କା । ମୋଟ ଖର୍ଚ୍ଚ ହୋଇଛି ୯୩ ହଜାର ୯୦୧ କୋଟି ଟଙ୍କା, ଯାହା ବଜେଟ ଅଟକଳର ୩୩% । ଏଥିରୁ ରାଜସ୍ୱ ଖର୍ଚ୍ଚ (ରେଭେନ୍ୟୁ ଏକ୍ସପେଣ୍ଡିଚର) ଭାଗ ୮୪ ପ୍ରତିଶତ (୭୮ ହଜାର ୬୩୭ କୋଟି ଟଙ୍କା) । ବିତ୍ତୀୟ ନିଅଣ୍ଟ ୨ ହଜାର କୋଟି ଡେଇଁଲାଣି ।
ସୌଜନ୍ୟ ପ୍ରମେୟ




