ନୂଆଦିଲ୍ଲୀ: ଦେଶର ବଡ଼ ବଡ଼ ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ ପାଣି, ଶୌଚାଳୟ ଓ ଅନ୍ୟାନ୍ୟ ସୁବିଧାର ଦୁର୍ବଳ ସ୍ଥିତି ସାମ୍ନାକୁ ଆସିଛି। ଅଗଷ୍ଟ ୧୨ରେ ସଂସଦରେ ଉପସ୍ଥାପିତ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ରିପୋର୍ଟରେ ଦେଶର ଅନେକ ଷ୍ଟେସନର ୱାଟର କୁଲରରୁ ସଂଗୃହୀତ ପିଇବା ପାଣି ନମୁନାରେ ଇ-କୋଲାଇ ବ୍ୟାକ୍ଟେରିଆ ମିଳିଥିବା କୁହାଯାଇଛି। ମଣିଷର ମଳରେ ସାଧାରଣତଃ ମିଳୁଥିବା ଏହି ବ୍ୟାକ୍ଟେରିଆ ପାଣି ପ୍ରଦୂଷଣର ଚିନ୍ତାଜନକ ସଙ୍କେତ ବୋଲି ଧରାଯାଏ।
ସିଏଜିର ‘ଭାରତୀୟ
ରେଳର ଅଣ-ଉପନଗରୀୟ ରେଳ ଷ୍ଟେସନରେ
ଯାତ୍ରୀ ସୁବିଧା ଓ ସ୍ବଚ୍ଛତା’ ସମ୍ପର୍କିତ ରିପୋର୍ଟରେ ଦକ୍ଷିଣ ରେଳର କୋଏମ୍ବାଟୁର ଓ ପାଲକ୍କଡ, ଦକ୍ଷିଣ-ମଧ୍ୟ ରେଳର ହାଇଦ୍ରାବାଦ, ମଧ୍ୟ ରେଳର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍, ଭିୱାଣ୍ଡି ରୋଡ୍, କଲ୍ୟାଣ ଓ ଲୋନାବଲା ଏବଂ ପୂର୍ବ ରେଳର ମଧୁପୁର ଷ୍ଟେସନର ପାଣି ନମୁନାରେ ଇ-କୋଲାଇ ମିଳିଥିବା ଉଲ୍ଲେଖ ରହିଛି। ୨୦୨୨-୨୩ରେ ୮ଟି ଜୋନ୍ର ପ୍ରାୟ ୪୯ ଷ୍ଟେସନ ଏବଂ ୨୦୨୩-୨୪ରେ ପ୍ରାୟ ୫୬ ଷ୍ଟେସନର ପାଣି ନମୁନାରେ ମଧ୍ୟ ଏହି ବ୍ୟାକ୍ଟେରିଆ ମିଳିଥିଲା।
ଷ୍ଟେସନରେ ଯାତ୍ରୀ ସୁବିଧା ପାଇଁ ରେଳ ବୋର୍ଡ ଜାରି କରିଥିବା ନିର୍ଦ୍ଦେଶର ମଧ୍ୟ ଠିକ୍ ଭାବେ ପାଳନ ହେଉନଥିବା ରିପୋର୍ଟରେ କୁହାଯାଇଛି। କ୍ୟାଗ୍ ୫୧୨ଟି ଷ୍ଟେସନ ଯାଞ୍ଚ କରିଥିବା ବେଳେ ୪୫୮ଟି ଷ୍ଟେସନ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ସୁବିଧା ଯୋଗାଇବାରେ ବିଫଳ ହୋଇଥିଲା। ଏହି ଷ୍ଟେସନଗୁଡ଼ିକରେ ଆବଶ୍ୟକ ଯାତ୍ରୀ ସୁବିଧା ନଥିଲା। ଦେଶର ଅନ୍ୟ ପ୍ରମୁଖ ଷ୍ଟେସନଗୁଡ଼ିକ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଏନ୍ଏସ୍ଜି-୧ ଶ୍ରେଣୀର ନୂଆଦିଲ୍ଲୀ, ଶିଆଲଦା, ହାୱଡ଼ା ଓ ମୁମ୍ବାଇ ସେଣ୍ଟ୍ରାଲ୍ ଭଳି ଷ୍ଟେସନରେ ମଧ୍ୟ ସ୍ବଚ୍ଛତା, ବସିବା ବ୍ୟବସ୍ଥା, ଡଷ୍ଟବିନ୍ ଓ ଟ୍ରେନ୍ ସୂଚନା ବୋର୍ଡରେ ଅଭାବ ଦେଖାଯାଇଛି। ୧୨ଟି ଷ୍ଟେସନରେ ପାଣି ଟ୍ୟାପ୍, ୮ଟି ଷ୍ଟେସନରେ ପଙ୍ଖା ଓ ୮ଟିରେ ୱାଟର କୁଲର୍ ଓ ୫ଟି ଷ୍ଟେସନରେ ସାଇନ୍ବୋର୍ଡ ଭଳି ଆବଶ୍ୟକ ସୁବିଧାର ଅଭାବ ରହିଥିଲା। ସିଏଜି ରେଳବାଇକୁ ପାଣି ଯୋଗାଣ ବ୍ୟବସ୍ଥା ଯାଞ୍ଚ କରିବା ସହ ପାଣିର ଗୁଣବତ୍ତା ପରୀକ୍ଷା ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ସୁପାରିସ କରିଛି।