ୱାସିଂଟନ/ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଂକଟ କେବେ ଟଳିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ପ୍ରାୟ ୩ ମାସ ତଳୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସାରା ବିଶ୍ବକୁ ଆତଙ୍କିତ କରି ରଖିଛି। ଯୁଦ୍ଧ ଶେଷ କରିବା ପାଇଁ ଇରାନ ସହିତ ଚୁକ୍ତି ପ୍ରାୟତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିବାର କିଛି ସମୟ ପରେ ଟ୍ରମ୍ପ ଆଜି ଆଉ ଏକ ନୂଆ ମନ୍ତବ୍ୟ ଦେଇଛନ୍ତି। ସେ ତାଙ୍କ ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ସୋମବାର ଲେଖିଛନ୍ତି, ଇରାନ ସହିତ ହେବାକୁ ଥିବା ଚୁକ୍ତି ମହାନ ଏବଂ ଅର୍ଥପୂର୍ଣ୍ଣ ହେବ କିମ୍ବା ଚୁକ୍ତି ହେବ ନାହିଁ।
ଟ୍ରମ୍ପଙ୍କ ଏହି ନୂଆ ବିବୃତି ଆସିବା ପୂର୍ବରୁ ଇରାନ ବିଦେଶ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଇସମାଇଲ ବଘାଇ କହିଛନ୍ତି ଆଲୋଚନାର ଅଧିକାଂଶ ଅଂଶକୁ ନେଇ ଆମେ ନିଷ୍କର୍ଷରେ ପହଞ୍ଚିଛୁ। ତେବେ ଏହାର ଅର୍ଥ ନୁହେଁ ଯେ ରାଜିନାମା ଆସନ୍ନ। ତେହେରାନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଦୁଇ ଦେଶ ମଧ୍ୟରେ ଆଣବିକ ପ୍ରସଙ୍ଗରେ ଆଲୋଚନା ହେଉନାହିଁ। କିନ୍ତୁ ସେମାନଙ୍କର ଲକ୍ଷ୍ୟ ହେଉଛି ଫେବ୍ରୁଆରି ୨୮ରେ ଆରମ୍ଭ ହୋଇଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବା। ସେ ଏହା ମଧ୍ୟ ଦୋହରାଇଛନ୍ତି ଯେ ସମ୍ଭାବ୍ୟ ଚୁକ୍ତିକୁ ଯୁକ୍ତରାଷ୍ଟ୍ର ଆମେରିକା ସମ୍ମାନ ଜଣାଇବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ତେହେରାନ ମଧ୍ୟ କୌଣସି ପ୍ରକାର ଧମକକୁ ଖାତିର କରେ ନାହିଁ ବୋଲି ସେ କହିଛନ୍ତି।
ରବିବାର ଟ୍ରମ୍ପ ଲେଖିଥିଲେ ଯେ ଚୁକ୍ତି ସ୍ବାକ୍ଷର ନହେବା ପର୍ଯ୍ୟନ୍ତ ଇରାନର ବନ୍ଦରଗୁଡ଼ିକୁ ଆମେରିକାର ନାକାବନ୍ଦୀ ଜାରି ରହିବ। ଉଭୟ ପକ୍ଷ ଏ ନେଇ ସମୟ ନେଇ କାର୍ଯ୍ୟ କରିବେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଇରାନ ଓ ଆମେରିକା ମଧ୍ୟରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ତା’ର କୂଟନୈତିକ ଉଦ୍ୟମ ଚଳାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ସେନା ମୁଖ୍ୟ ଅସୀମ ମୁନିର ବେଜିଂ ଗସ୍ତରେ ଅଛନ୍ତି। ସେମାନେ ଆଜି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି।
ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଲାଗି ପାକିସ୍ତାନ ସହ ମିଶି ଚୀନ ସକାରାତ୍ମକ ଯୋଗଦାନ ରଖିବ ବୋଲି ବେଜିଂ କହିଛି। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ମହସିନ ନକ୍ଭି ଓ ସେନା ମୁଖ୍ୟ ମୁନିର ଯୁଦ୍ଧର ସମାଧାନ ରାସ୍ତା ବାହାର କରିବା ଲାଗି ଗତ ସପ୍ତାହରେ ତେହେରାନ ଗସ୍ତ କରିଥିଲେ। ୱାସିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଗତ ଏପ୍ରିଲ ୮ ତାରିଖରୁ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ହର୍ମୁଜ ପ୍ରଣାଳୀକୁ ଏପର୍ଯ୍ୟନ୍ତ ଅବରୋଧ କରି ରଖାଯାଇଛି।
ସୌଜନ୍ୟ ସମ୍ବାଦ

