Dr. Guleria warned: ସତର୍କ କଲେ ଡା. ଗୁଲେରିଆ: ବୟସ୍କ, ଶିଶୁ ଓ ସ୍ବାସ୍ଥ୍ୟ ଜଟିଳତା ଥିବା ଲୋକ ଅଧିକ ବିପଦରେ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଛି। ବିଶେଷ କରି ଉତ୍ତର ଭାରତରେ ସ୍ଥିତ ଅଧିକ ଜଟିଳ ରହିଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଅଂଶୁଘାତ ସମସ୍ୟା ବଢ଼ୁଥିବା ବେଳେ ପ୍ରଖ୍ୟାତ ଶ୍ବସନ ରୋଗ ବିଶେଷଜ୍ଞ ଡାକ୍ତର ରଣଦୀପ ଗୁଲେରିଆ ଲୋକମାନଙ୍କୁ ପ୍ରବଳ ଗରମଜନିତ ଅସୁସ୍ଥତା, ଜଳଶୁ‌ଷ୍କତା ଓ ଅତ୍ୟଧିକ ଥକା ଲାଗିବା ଭଳି ସଙ୍କେତ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗୁରୁଗ୍ରାମ ମେଦାନ୍ତର ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଟରନାଲ୍‌ ମେଡିସିନ୍‌, ରେସ୍ପିରେଟୋରି ଆଣ୍ଡ ସ୍ଲିପ୍‌ ମେଡିସିନ୍‌ ଅଧ୍ୟକ୍ଷ ଡା. ଗୁଲେରିଆ କହିଛନ୍ତି, ଦେଶରେ ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମଲହରି ଜାରି ରହିଛି। ବିଶେଷ କରି ଉତ୍ତର ଭାରତ ସ୍ଥିତି ଅତି ଖରାପ ରହିଛି। ଗରମ ବଢ଼ୁଥିବାରୁ ଡା. ଗୁଲେରିଆ କହିଛନ୍ତି, ଅଧିକ ସମୟ ଟାଣ ଖରା ସଂସ୍ପର୍ଶରେ ଆସିବା ଦ୍ବାରା ଅଂଶୁଘାତ ହେବାର ସମ୍ଭାବନା ରହିଛି। ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରେ। ଶରୀରର ତାପମାତ୍ରା ନିୟନ୍ତ୍ରଣ ବାହାରକୁ ଚାଲିଗଲେ ମଧ୍ୟ ଅଂଶୁଘାତ ହୁଏ।

ଡା. ଗୁଲେରିଆ କହିଛନ୍ତି, ବୟସ୍କ ବ୍ୟକ୍ତି, ଶିଶୁ ଓ ବିଭିନ୍ନ ସ୍ବାସ୍ଥ୍ୟ ସଙ୍କଟ ଥିବା ଲୋକ ତଥା ବିଶେଷ କରି ହୃଦ୍‌ରୋଗ ଓ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଗ୍ରୀଷ୍ମଲହରି ଅଧିକ ବିପଦ। ଅତ୍ୟଧିକ ଖରା ସମୟରେ ଲୋକମାନଙ୍କୁ ବାହାରକୁ ନ ଯିବାପାଇଁ ଏବଂ ପ୍ରବଳ ପାଣି, ଓଆର୍‌ଏସ୍‌, ଲେମ୍ବୁ ପାଣି ଓ ପଇଡ଼ ପାଣି ପିଇବାପାଇଁ ସେ ପରାମର୍ଶ ଦେଇଛନ୍ତି। ସେହିପରି ସିଧାସଳଖ ଟାଣ ଖରାକୁ ନ ଯିବା, ଛତା, ଟୋପି ଓ ପଗଡ଼ି ବ୍ୟବହାର କରିବା, ଅତ୍ୟଧିକ ଗରମ ଯୋଗୁ କ୍ଳାନ୍ତ ଲାଗୁଥିଲେ ତୁରନ୍ତ ପାଣି ପିଇବା ଏବଂ ଯଥାସମ୍ଭବ ଗରମ ସମୟରେ ଘରେ ରହିବା ପାଇଁ ଡାକ୍ତର ଗୁଲେରିଆ ଅନୁରୋଧ କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ