ରାଜ୍ୟ

Climate change: ‘ପୃଥିବୀକୁ ସଜାଡ଼ିବାର ଦାୟିତ୍ବ ଆମର’

ପୃଥିବୀକୁ ଆମେ ଭାଙ୍ଗିଛୁ, ଏହାକୁ ସଜାଡ଼ିବାର ଦାୟିତ୍ବ ମଧ୍ୟ ଆମର। ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଜାଣିଥିଲେ ମଧ୍ୟ ଆମେ ଏଯାଏ ସଚେତନ ହୋଇନାହୁଁ। ଏବେ ନିଜ ଦାୟିତ୍ବକୁ ଉପଲବ୍ଧି କରିବାର ସମୟ ଆସିଛି।

ବାଲେଶ୍ବର/ରେମୁଣା: ପୃଥିବୀକୁ ଆମେ ଭାଙ୍ଗିଛୁ, ଏହାକୁ ସଜାଡ଼ିବାର ଦାୟିତ୍ବ ମଧ୍ୟ ଆମର। ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଜାଣିଥିଲେ ମଧ୍ୟ ଆମେ ଏଯାଏ ସଚେତନ ହୋଇନାହୁଁ। ଏବେ ନିଜ ଦାୟିତ୍ବକୁ ଉପଲବ୍ଧି କରିବାର ସମୟ ଆସିଛି। ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଆମକୁ ସେହି ଦାୟିତ୍ବ ମନେପକାଇ ଦେଉଛି। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ ସମ୍ମେଳନର ତୃତୀୟ ସଂସ୍କରଣର ‘ଗ୍ରିନ୍‌ କ୍ୟାମ୍ପସ୍‌ ଆଣ୍ଡ୍‌ ଦି ଡିମାଣ୍ଡ୍ସ ଅଫ୍‌ ଜେନ୍‌-ସି (ଜେନେରେସନ୍‌ କ୍ଲାଇମେଟ୍‌)’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହା କହିଛନ୍ତି।

ଗୁରୁବାର ଦିନ ଫକୀରମୋହନ ବିଶ୍ବବିଦ୍ୟାଳୟ ‘ପି.ଜି. କାଉନ୍‌ସିଲ୍‌ କନ୍‌ଫେରେନ୍ସ ହଲ୍‌’ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କୁଳପତି ପ୍ର. ତ୍ରିପାଠୀ କହିଥିଲେ, ଅପ୍ରତ୍ୟାଶିତ ବନ୍ୟା, ଅପ୍ରତ୍ୟାଶିତ ପାହାଡ଼ ଧସିବା, ଅପ୍ରତ୍ୟାଶିତ ଅଗ୍ନି କହି ଆମେ ଆମ ଦାୟିତ୍ବରୁ ଓହରି ଯାଉଛେ। କଥାରେ ଅଛି ଚେଇଁ ଶୋଇଥିବା ଯିଏ, ତାକୁ ଉଠେଇବ କିଏ। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ବିଷୟରେ ଆମେ ସମସ୍ତେ ଜାଣିଛେ, ତାର ପ୍ରଭାବରେ କଣ କଣ ହେଉଛି ତାକୁ ବି ବୁଝିଛେ। କିନ୍ତୁ ଆମେ ସଚେତନ ନୁହନ୍ତି। ଏବେ ଆମର ଦାୟିତ୍ବକୁ ଉପଲବ୍ଧି କରିବାର ସମୟ ଆସିଛି।

ଏହି ଅବସରରେ କୁଳପତି କହିଥିଲେ, ଗ୍ରିନ୍‌ କ୍ୟାମ୍ପସ୍‌ ପାଇଁ ବିଶ୍ବବିଦ୍ୟାଳୟ ଅନେକ ପଦକ୍ଷେପ ନେଇଛି। ଯୋଜନା କେବଳ କ୍ୟାମ୍ପସ୍‌ରେ ସୀମିତ ନାହିଁ। ୫ଟି ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସଚେତନତା ଓ ବୃକ୍ଷରୋପଣ ଭଳି କାର୍ଯ୍ୟ ମଧ୍ୟ କରାଯାଉଛି। ଆଗାମୀଦିନରେ ନିକଟସ୍ଥ ଅଞ୍ଚଳର ଗୋଟିଏ ବି ପୋଖରୀକୁ ନଷ୍ଟ ହେବାକୁ ଦିଆଯିବ ନାହିଁ। ପୋଖରୀଗୁଡ଼ିକର ପୁନରୁଦ୍ଧାର ଦିଗରେ ବିଶ୍ବବିଦ୍ୟାଳୟ ଦାୟିତ୍ବ ନେବ। ଏଥିସହ ବିଶ୍ବବିଦ୍ୟାଳୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍‌ମୁକ୍ତ କରାଯିବ ବୋଲି ସେ ଘୋଷଣା କରିଥିଲେ।

ପରିବେଶବିତ୍‌ ଡ. ସୁବ୍ରତ ନାୟକ ପରିବେଶ ପ୍ରତି ଦାୟିତ୍ବବୋଧ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରଥମେ ପରିବେଶ ବିଗିଡ଼ିବାର କାରଣ ଜାଣିବା, କେଉଁଠି ଭୁଲ୍‌ ରହିଲା, ତାହା ଜାଣିବା ବହୁତ ଜରୁରି। ଆଜିର ଦିନରେ ଯୁବକମାନେ ଚାହିଲେ କିଛି ବି କରିପାରିବେ। ପରିବେଶ ପାଇଁ ମୁଁ କଣ କରିପାରିବି ତାକୁ ଦାୟିତ୍ବ ଦେଇ ଭାବିବା ଓ ତାକୁ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button