Revenue Minister Reviews Flood Damage ବନ୍ୟା ପ୍ରଭାବିତ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ସରଜମିନ ସମୀକ୍ଷା କଲେ ରାଜସ୍ବମନ୍ତ୍ରୀ
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ଓ ବରଗଡ଼ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ସମୀକ୍ଷା କରିଛନ୍ତି। ତ୍ୱରିତ ଆକଳନ ଓ ସହାୟତା ନିର୍ଦ୍ଦେଶ।

ଭୁବନେଶ୍ୱର /ଝାରସୁଗୁଡ଼ା: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି (ଗୁରୁବାର) ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। କ୍ଷୟକ୍ଷତିର ତ୍ୱରିତ ଆକଳନ କରି ପ୍ରଭାବିତ ଲୋକଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଲଖନପୁର ତହସିଲର ଶୁଖାସୋଡ଼ା ଓ ସେମିଲିଆ ଗ୍ରାମ ପରିଦର୍ଶନ କରି ମାନ୍ୟବର ମନ୍ତ୍ରୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ବିଶେଷକରି ମତ୍ସ୍ୟଜୀବୀ ସମ୍ପ୍ରଦାୟର ସମସ୍ୟା ଶୁଣିବା ସହ ବନ୍ୟା ଯୋଗୁଁ ସେମାନଙ୍କର ମାଛଧରା ଜାଲ ଓ ଡଙ୍ଗାର କ୍ଷୟକ୍ଷତି ସମ୍ପର୍କରେ ସେ ଅବଗତ ହୋଇଥିଲେ। ସମ୍ପୃକ୍ତ କୃଷି ଅଧିକାରୀଙ୍କୁ ବନ୍ୟା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ କୁହାଯାଇଥିଲା। ତହସିଲଦାରଙ୍କୁ ଗୃହ କ୍ଷୟକ୍ଷତିର ଆକଳନ ଓ ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ସୌଜନ୍ୟ ସମ୍ବାଦ




