Cyclone Breaking: ମାଡ଼ି ଆସୁଛି ବିପଦ, ଆଜି ସମୁଦ୍ରରେ ସୃଷ୍ଟି ହେବ ବାତ୍ୟା ‘ଅକଭାନ’, ରାତି ଅଧରେ ଏହି ସ୍ଥାନରେ ରଚିବ ତାଣ୍ଡବ !

ଭୁବନେଶ୍ୱର,୧୬/୧୧: ସମ୍ଭାବ୍ୟ ବାତ୍ୟା ‘ଅକଭାନ’ ଗତିପଥ ଓ ଲ୍ୟାଣ୍ଡଫଲ୍କୁ ନେଇ ତାଜା ଆକଳନ ଜାରି କରିଛନ୍ତି ବିଭିନ୍ନ ମଡେଲ୍ ଓ ବିଶେଷଜ୍ଞ । ଏହି ଆକଳନ ଅନୁସାରେ ବାତ୍ୟା ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ । ଯଦି ଏଭଳି ହୁଏ, ତେବେ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିନପାରେ । ତଥାପି ବର୍ଷା ସହ ପବନ ଆଶଙ୍କା ରହିଛି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେବା ଆଶଙ୍କା ଅଛି । ଆସନ୍ତା ୧୯ ତାରିଖ ରାତିରେ ଉତ୍ତର ତାମିଲନାଡ଼ୁରୁ ଦକ୍ଷିଣ ଆନ୍ଧ୍ର ଉପକୂଳ ମଧ୍ୟରେ ଏହା ସ୍ଥଳଭାଗରେ ପ୍ରବେଶ (ଲ୍ୟାଣ୍ଡଫଲ୍) କରିପାରେ । ଏହା ପ୍ରଭାବରେ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏ ନେଇ ଆଗକୁ ଚିତ୍ର ଅଧିକ ସ୍ପଷ୍ଟ ହେବ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ନେଇ ଏଯାବତ୍ କୌଣସି ନିର୍ଦ୍ଦିଷ୍ଟ ସୂଚନା ଜାରି କରିନି । ହେଲେ ଶନିବାର ରାତିରେ ଆଇଏମଡି ଜାରି କରିଥିବା ବାତ୍ୟାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଜଣାପଡ଼ୁଛି, ଆନ୍ଧ୍ରର ଦକ୍ଷିଣ ଉପକୂଳକୁ ମୁହାଁଇପାରେ ଅକଭାନ୍ ।
ଆଇଏମ୍ଡ଼ି ଅନୁସାରେ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ଉତ୍ତର-ଉତ୍ତର ପଶ୍ଚିମରେ ଗତି କରି ସୋମବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ ନେଇପାରେ । ୧୭ ସନ୍ଧ୍ୟା ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ୧୮ ତାରିଖକୁ ଅତି ଭୀଷଣ ବାତ୍ୟା ରୂପ ନେଇପାରେ ସମୁଦ୍ର ଭିତରେ । ୧୯ ତାରିଖ ସକାଳ ସାଢ଼େ ୫ଟା ସୁଦ୍ଧା ଏହା ଅତି ଭୀଷଣ ବାତ୍ୟା ରୂପ ନେଇ ସାରିଥିବ । ସେତେବେଳେ ସମୁଦ୍ରରେ ପବନ ବହୁଥିବ ପ୍ରାୟ ୧୧୦-୧୨୦ କିମି ବେଗରେ । ଝଟକା ପବନ ୧୩୦ କିମି ପର୍ଯ୍ୟନ୍ତ ରହିପାରେ । ସନ୍ଧ୍ୟା ସୁଦ୍ଧା ପବନ ବେଗ ବଢ଼ ି ୧୨୦-୧୩୦ କିମି ଛୁଇଁପାରେ । ଝଟକା ପବନ ୧୪୫ କିମି ଯାଇପାରେ ।
ସୌଜନ୍ୟ ପ୍ରମେୟ




