ରାଜ୍ୟ

Electricity tariff: ଶିଳ୍ପସଂସ୍ଥାକୁ ୟୁନିଟ୍‌ ପିଛା ବିଦ୍ୟୁତ୍‌ ଶୁଳ୍କ ୫୦ପଇସା ଛାଡ଼: ଅକ୍ଷୟ ଶକ୍ତି ବ୍ୟବହାର ବଢ଼ାଇବାକୁ ନୀତିରେ ସଂଶୋଧନ

ରାଜ୍ୟରେ ଅକ୍ଷୟ ଶକ୍ତିର ବ୍ୟବହାରକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଆଜି ଓଡ଼ିଶା ଅକ୍ଷୟ ଶକ୍ତି ନୀତି,୨୦୨୨ର କେତେକ ବ୍ୟବସ୍ଥାରେ ସଂଶୋଧନ କରିଛନ୍ତି। ଆଜି ରାଜ୍ୟ କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ....

ଭୁବନେଶ୍ବର: ରାଜ୍ୟରେ ଅକ୍ଷୟ ଶକ୍ତିର ବ୍ୟବହାରକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଆଜି ଓଡ଼ିଶା ଅକ୍ଷୟ ଶକ୍ତି ନୀତି,୨୦୨୨ର କେତେକ ବ୍ୟବସ୍ଥାରେ ସଂଶୋଧନ କରିଛନ୍ତି। ଆଜି ରାଜ୍ୟ କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଏହି ନୀତି ଅବଧି ମଧ୍ୟରେ ରାଜ୍ୟରେ ସ୍ଥାପିତ ଅକ୍ଷୟ ଶକ୍ତି ପ୍ରକଳ୍ପରୁ ବିଦ୍ୟୁତ୍‌ ବ୍ୟବହାର କରୁଥିବା ‌ଯୋଗ୍ୟ ନେଟ୍ ମିଟରିଂ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଶୁଳ୍କ (ଇଲେକ୍ଟ୍ରିସିଟି ଡ୍ୟୁଟି) ୟୁନିଟ୍‌ ପିଛା ୫୦ପଇସା ଛାଡ଼ କରାଯିବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ୧୦ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ରାଜ୍ୟ ସରକାରଙ୍କ ଏହି ନିୟମ ଦ୍ବାରା ରାଜ୍ୟରେ ବିଶେଷକରି ଶିଳ୍ପ ସଂସ୍ଥା ଉପକୃତ ହେବେ। କାରଣ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରୁଥିବା ସଂସ୍ଥା ଏବେ ୭୦% ତାପଜ ବିଦ୍ୟୁତ୍‌ ବ୍ୟବହାର କରୁଥିବାବେଳେ ୩୦% ଅକ୍ଷୟ ଶକ୍ତି ବ୍ୟବହାର କରୁଛନ୍ତି। ଏହି ଅକ୍ଷୟ ଶକ୍ତି ବ୍ୟବହାର ପାଇଁ ଶିଳ୍ପ ସଂସ୍ଥା ପ୍ରତି ୟୁନିଟ୍‌ ପିଛା ୬୦ପଇସା ବିଦ୍ୟୁତ୍‌ ଶୁଳ୍କ ଦେଉଥିବାବେଳେ ଏବେ ମାତ୍ର ୧୦ପଇସା ଦେବେ। ହେଲେ ପିଏମ୍ ସୂର୍ଯ୍ୟଘର ଯୋଜନାରେ ଯେଉଁମାନେ ଘରର ଛାତ ଉପରେ ସୌର ପ୍ରକଳ୍ପ କରିଛନ୍ତି ସେମାନେ ବିଶେଷ ଉପକୃତ ହେବେନି। ଏହାସହ ସ୍ବତନ୍ତ୍ର ବ୍ୟାଟେରି ଶକ୍ତି ସଂରକ୍ଷଣ ପ୍ରଣାଳୀ ପାଇଁ ପ୍ରତି ୟୁନିଟ୍‌ ପିଛା ୨୦ ପଇସା ରାଜ୍ୟ ସଞ୍ଚାରଣ ୟୁଟିଲିଟି (ଏସ୍‌ଟିୟୁ) ଶୁଳ୍କ ଛାଡ଼ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ପ୍ରଥମେ ଆସ, ପ୍ରଥମେ ପାଅ ବ୍ୟବସ୍ଥାରେ ପବନ ଶକ୍ତି ପ୍ରକଳ୍ପ ବଣ୍ଟନ ପାଇଁ ବର୍ତ୍ତମାନ ରହିଥିବା ୫୦୦ ମେଗାୱାଟ୍ ସାମଗ୍ରିକ ସୀମାକୁ ହଟାଇ ଦିଆଯାଇଛି। ଅର୍ଥାତ୍ ଯେତେ ମେଗାୱାଟ୍‌ର ପବନ ଶକ୍ତି ପ୍ରକଳ୍ପ ବସାଇଲେ ବି ରାଜ୍ୟ ସରକାରଙ୍କ ସୁବିଧା ମିଳିବ। ରାଜ୍ୟରେ ଯେପରି ସର୍ବସାଧାରଣ ସ୍ଥାନରେ ଅଧିକ ଅକ୍ଷୟ ଶକ୍ତି ବ୍ୟବହାର ହେବ ସେଥିପାଇଁ ପବନ ଶକ୍ତି ପାର୍କ ସ୍ଥାପନ ଓ ବିକାଶକୁ ପ୍ରୋତ୍ସାହନ ଦିଆଯାଇଛି। ନବୀକରଣଯୋଗ୍ୟ ଶକ୍ତିର କ୍ୟାପ୍ଟିଭ୍ ପ୍ରକଳ୍ପଗୁଡ଼ିକ ପାଇଁ କ୍ଷମତାର ସର୍ବାଧିକ ୨୫% ପର୍ଯ୍ୟନ୍ତ ‘ପ୍ରଥମ ପ୍ରତ୍ୟାଖ୍ୟାନ ଅଧିକାର’ ପ୍ରଦାନ କରାଯାଇଛି। କାର୍ଯ୍ୟାନ୍ବୟନ ନିର୍ଦ୍ଦେଶାବଳୀର ସମନ୍ବୟକରଣ କରାଯିବା ସହ ପୁରାତନ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ବୟନ ପାଇଁ ଗ୍ରିଡ୍‌କୋକୁ ନୋଡାଲ ସଂସ୍ଥା ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ଶକ୍ତି ବିଭାଗ ପ୍ରସ୍ତାବ ଦେଇଥିବା ଓଡ଼ିଶା ପମ୍ପଡ୍‌ ଷ୍ଟୋରେଜ୍ ପ୍ରୋଜେକ୍ଟ (ପିଏସ୍‌ପି) ନୀତିର ପରିଚାଳନା ନିର୍ଦ୍ଦେଶାବଳୀରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି। ରାଜ୍ୟ ସରକାର ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ସରୁ ପ୍ରାୟ ୧୧,୦୦୦ ମେଗାୱାଟ୍ ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button