Ravenshaw University: ରେଭେନ୍ସା ବିବାଦରେ ନୂଆ ମୋଡ଼: ବିଧାୟକଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ରେଭେନ୍ସା କର୍ତ୍ତୃପକ୍ଷ!
ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପରୋକ୍ଷରେ ସଦର ବିଧାୟକଙ୍କ ଦାବି ନିକଟରେ ମୁଣ୍ଡ ନୁଆଁଇଛନ୍ତି। ଇଷ୍ଟ ହଷ୍ଟେଲର ଡେପୁଟି ୱାର୍ଡେନ୍ଙ୍କୁ ବଦଳାଇବା ପାଇଁ ସଦର ବିଧାୟକ ପ୍ରକାଶ ସେଠୀ ଦାବି କରିଥିବା ବେଳେ ଆଜି ବିଶ୍ବବିଦ୍ୟାଳୟ...

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପରୋକ୍ଷରେ ସଦର ବିଧାୟକଙ୍କ ଦାବି ନିକଟରେ ମୁଣ୍ଡ ନୁଆଁଇଛନ୍ତି। ଇଷ୍ଟ ହଷ୍ଟେଲର ଡେପୁଟି ୱାର୍ଡେନ୍ଙ୍କୁ ବଦଳାଇବା ପାଇଁ ସଦର ବିଧାୟକ ପ୍ରକାଶ ସେଠୀ ଦାବି କରିଥିବା ବେଳେ ଆଜି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚିଫ୍ ୱାର୍ଡେନ୍ଙ୍କ ସମେତ ୧୫ଟି ହଷ୍ଟେଲ୍ର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କୁ ବଦଳାଇ ଦେଇଛନ୍ତି। ଫଳରେ ବିଧାୟକ ଓ ରେଭେନ୍ସା ଅଧ୍ୟାପକଙ୍କ ମଧ୍ୟରେ ଚାଲିଥିବା ବିବାଦ ଏକ ନୂଆ ମୋଡ଼ ନେବାକୁ ଯାଉଛି। ଗତ ୪ ତାରିଖରୁ ବିଧାୟକ ପ୍ରକାଶ ସେଠୀ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା) ମଧ୍ୟରେ ଚାଲିଥିବା ବିବାଦର ସମାଧାନ ଉଦ୍ୟମ ସମୟରେ ପ୍ରଥମେ ଇଷ୍ଟ ହଷ୍ଟେଲ ଡେପୁଟି ୱାର୍ଡେନଙ୍କୁ ବଦଳାଇବା ପାଇଁ ବିଧାୟକ ଶ୍ରୀ ସେଠୀ କହିଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ରୁଟା କିଭଳି ଭାବେ ଗ୍ରହଣ କରିବ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ରୁଟା ଆଜି ଏ ସଂପର୍କରେ ଅବଗତ ନଥିବା ବେଳେ ଆସନ୍ତାକାଲି ଆଲୋଚନା ପରେ ଏ ସଂପର୍କରେ ମତାମତ ରଖିବ ବୋଲି ସ୍ପଷ୍ଟ କରିଛି।
ସୂଚନା ଅନୁଯାୟୀ ଇଷ୍ଟ ହଷ୍ଟେଲ ଛାତ୍ର ଡେପୁଟି ୱାର୍ଡେନ୍ଙ୍କୁ ବଦଳାଇବା ଦାବିରେ ଅଗଷ୍ଟ ୨ ତାରିଖରେ ଅନଶନ ଆରମ୍ଭ କରିଥିଲେ। କୁଳପତି, ଚିଫ୍ ୱାର୍ଡେନ୍ ଓ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଏକ ବୈଠକ ୩ ତାରିଖ ରାତିରେ ଇଷ୍ଟ ହଷ୍ଟେଲ ପରିସରରେ ବସିଥିଲା। ଏଥିରେ ଛାତ୍ରଙ୍କ ସହ ଆଲୋଚନା କରି ସେମାନଙ୍କୁ ଅନଶନରୁ ଉଠାଇବା ଦିଗରେ କର୍ତ୍ତୃପକ୍ଷ ସଫଳ ହୋଇଥିଲେ। ମାତ୍ର ବୈଠକର ଶେଷ ଆଡ଼କୁ ବିଧାୟକ ପ୍ରକାଶ ସେଠୀ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ଛାତ୍ରମାନେ ଡେପୁଟି ୱାର୍ଡେନ୍ଙ୍କୁ ହଟାଇବାକୁ ଦାବି ରଖିଥିବା ଜାଣି ଡେପୁଟି ୱାର୍ଡେନ୍ଙ୍କୁ ବୈଠକକୁ ଡାକିବାକୁ ବିଧାୟକ କହିଥିଲେ।
ବିଶ୍ବବିଦ୍ୟାଳୟର ଚିଫ୍ ୱାର୍ଡେନ୍ଙ୍କ ସମେତ ବଦଳିଲେ ସବୁ ହଷ୍ଟେଲର ୱାର୍ଡେନ୍, ଡେପୁଟି ୱାର୍ଡେନ୍
ମାତ୍ର ଡେପୁଟି ୱାର୍ଡେନ୍ଙ୍କୁ ହଷ୍ଟେଲକୁ ନଡାକି କୁଳପତିଙ୍କ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିବାକୁ ଚିଫ୍ ୱାର୍ଡେନ୍ ସୁଦର୍ଶନ ମିଶ୍ର କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବିଧାୟକ ଚିଫ୍ ୱାର୍ଡେନ୍ଙ୍କୁ ଦୁର୍ବ୍ୟବହାର କରିଥିଲେ। ବିଧାୟକଙ୍କ ଏପରି ବ୍ୟବହାରକୁ ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ(ରୁଟା) ପକ୍ଷରୁ ବିରୋଧ କରାଯାଇଥିଲା। ଅଗଷ୍ଟ ୪ ତାରିଖରେ ବିଶ୍ବବିଦ୍ୟାଳୟର ସମସ୍ତ ହଷ୍ଟେଲର ୱାର୍ଡେନ୍ ଓ ଡେପୁଟ ୱାର୍ଡ ସେମାନଙ୍କ ପଦରୁ ସମୂହ ଇସ୍ତଫା ଦେଇଥିଲେ। ମାତ୍ର ଏହାକୁ କୁଳପତି ଗ୍ରହଣ କରିନଥିଲେ। ଅନ୍ୟପଟେ ଚିଫ ୱାର୍ଡେନ୍ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି ବୋଲି ଦର୍ଶାଇ ବିଧାୟକ ପ୍ରକାଶ ସେଠୀ ବିଧାନସଭାର ବାଚସ୍ପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗରୁ ବିଧାୟକ ଓହରି ଗଲେ ରୁଟା ପକ୍ଷରୁ ବିଧାୟକଙ୍କ ସହ ଆଲୋଚନା କରାଯିବ ବୋଲି କୁହାଯାଇଥିଲା।
ସେପଟେ ଇଷ୍ଟ ହଷ୍ଟେଲର ଡେପୁଟି ୱାର୍ଡେନ୍ଙ୍କୁ ତାଙ୍କ ଦାୟିତ୍ବରୁ ହଟାଇବା ପରେ ବାଚସ୍ପତିଙ୍କ ନିକଟରେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବେ ବୋଲି ଶ୍ରୀ ସେଠୀ କହିଥିଲେ। ଏଭଳି ଅଚଳାବସ୍ଥା ଭିତରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଇଷ୍ଟ ହଷ୍ଟେଲ ଡେପୁଟି ୱାର୍ଡେନ୍ଙ୍କ ସହ ରେଭେନ୍ସାର ଚିଫ୍ ୱାର୍ଡେନ୍, ସମସ୍ତ ହଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କୁ ବଦଳାଇ ଦେଇଛନ୍ତି। ଏ ସଂପର୍କରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସମହାପାତ୍ର କହିଛନ୍ତି ଯେ ବିଶ୍ବବିଦ୍ୟାଳୟର ହଷ୍ଟେଲ ଦାୟିତ୍ବ ବଦଳାଇବା ଏକ ନିୟମିତ ପ୍ରକ୍ରିୟା। ଅଭିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ହଷ୍ଟେଲଗୁଡ଼ିକର ନୂଆ ଦାୟିତ୍ବ ଦିଆଯାଇଛି। ଯେଉଁମାନେ ହଷ୍ଟେଲ ଦାୟିତ୍ବରୁ ବଦଳିଲେ। ସେମାନେ ଆଗକୁ ମଧ୍ୟ ରେଭେନ୍ସା ପାଇଁ କାର୍ଯ୍ୟ କରିବେ ବୋଲି କୁଳପତି କହିଛନ୍ତି।
ସୌଜନ୍ୟ ସମ୍ବାଦ




