Gandhi jayanti: ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ… ସତ୍ୟ ଓ ଅହିଂସାର ବାର୍ତ୍ତାକୁ ମନେ ପକାଇଲା ଦେଶ
ଦେଶକୁ ସ୍ୱାଧୀନତାର ପଥ ଦେଖାଇଥିବା ମହାତ୍ମା... ସତ୍ୟ ଓ ଅହିଂସାକୁ ଅସ୍ତ୍ର କରି ବ୍ରିଟିଶ ଶାସନକୁ ଚ୍ୟାଲେଞ୍ଜ ଦେଇଥିବା ମହାନ ନେତା... ଆଜି ସେହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ। ବାପୁଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶ ତାଙ୍କୁ ସ୍ମରଣ କରିଥିବା ବେଳେ, ଦିଲ୍ଲୀର ରାଜଘାଟରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧା ଓ ସମ୍ମାନର ଅନନ୍ୟ ଦୃଶ୍ୟ। ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ନୂଆଦିଲ୍ଲୀ: ଦେଶକୁ ସ୍ୱାଧୀନତାର ପଥ ଦେଖାଇଥିବା ମହାତ୍ମା… ସତ୍ୟ ଓ ଅହିଂସାକୁ ଅସ୍ତ୍ର କରି ବ୍ରିଟିଶ ଶାସନକୁ ଚ୍ୟାଲେଞ୍ଜ ଦେଇଥିବା ମହାନ ନେତା… ଆଜି ସେହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ। ବାପୁଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶ ତାଙ୍କୁ ସ୍ମରଣ କରିଥିବା ବେଳେ, ଦିଲ୍ଲୀର ରାଜଘାଟରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧା ଓ ସମ୍ମାନର ଅନନ୍ୟ ଦୃଶ୍ୟ।
ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ବାପୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ଜଣାଇବା ସହ ତାଙ୍କ ଆଦର୍ଶକୁ ସ୍ମରଣ କରିଥିଲେ। ଏହାପରେ ଗାନ୍ଧୀ ସମାଧିଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ବିଭିନ୍ନ ଧର୍ମର ପ୍ରତିନିଧିମାନେ ଏଥିରେ ଯୋଗଦେଇ ପ୍ରାର୍ଥନା କରିଥିଲେ ଏବଂ ବାପୁଙ୍କ ସତ୍ୟ, ଅହିଂସା ଓ ସଦ୍ଭାବନାର ବାର୍ତ୍ତାକୁ ମନେ ପକାଇଥିଲେ।
ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଦିଲ୍ଲୀ ଉପରାଜ୍ୟପାଳ ତରଣଜିତ ସିଂହ ସନ୍ଧୁ ଓ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ରାଜଘାଟରେ ପହଞ୍ଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗଦେଇ ସେମାନେ ଗାନ୍ଧୀଙ୍କ ଆଦର୍ଶକୁ ଆଜି ମଧ୍ୟ ପ୍ରାସଙ୍ଗିକ ବୋଲି କହିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଗାନ୍ଧୀଜୀଙ୍କ ସ୍ୱଦେଶୀ ଓ ସ୍ୱରାଜର ବିଚାର ଆଗାମୀ ପିଢ଼ିକୁ ପ୍ରେରଣା ଦେଇଚାଲିବ। ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ଆତ୍ମନିର୍ଭରତାର ବାର୍ତ୍ତାକୁ ସ୍ମରଣ କରିଥିଲେ। ସମୟ ବଦଳିଛି, ପିଢ଼ି ବଦଳିଛି। କିନ୍ତୁ ବାପୁଙ୍କ ସତ୍ୟ, ଅହିଂସା, ସହିଷ୍ଣୁତା ଓ ମାନବତାର ବାର୍ତ୍ତା ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ। ତେଣୁ ଗାନ୍ଧୀ ଜୟନ୍ତୀ କେବଳ ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରିବାର ଦିନ ନୁହେଁ, ବରଂ ତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବାର ସଂକଳ୍ପ ନେବାର ଅବସର।
ସୌଜନ୍ୟ ସମ୍ବାଦ




