Ganja seized ମାଲକାନଗିରିରୁ ୨୪୫ କିଲୋ ଗଞ୍ଜେଇ ଜବତ, ବିଜେଡି ନେତ୍ରୀଙ୍କ ସ୍ୱାମୀଙ୍କ ସମେତ ୨ ଗିରଫ
ଛତିଶଗଡ଼ରେ ଜାଗୁଆର ବସ୍ରୁ ୨୪୫ କିଲୋ ଗଞ୍ଜେଇ ଜବତ। ମାଲକାନଗିରି ବିଜେଡି ନେତ୍ରୀଙ୍କ ସ୍ୱାମୀଙ୍କ ସମେତ ୨ ଜଣ ଗିରଫ ହୋଇଛନ୍ତି।

ମାଲକାନଗିରି: ମାଲକାନଗିରି ରାଜନୀତିରେ ହଡକମ୍ପ! ବରିଷ୍ଠ ବିଜେଡି ନେତ୍ରୀଙ୍କ ସ୍ୱାମୀ ଦିଲୀପ କୁମାର ହିଣ୍ଡିଆ ୨୪୫ କେଜି ଗଞ୍ଜେଇ ସହ ଗିରଫ ହୋଇଛନ୍ତି। ଛତିଶଗଡ଼ର ପାଣ୍ଡରୀ ଥାନା ପୁଲିସ ଜାଗୁଆର ବସକୁ ଅଟକାଇ ଯାଞ୍ଚ ବେଳେ ବସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ତାଙ୍କର ଅନ୍ୟ ଜଣେ ସହଯୋଗୀ ଭୀମସେନ କେଉଁଟ ମଧ୍ୟ ଗିରଫ ହୋଇଛନ୍ତି।
ସୂଚନା ଅନୁସାରେ, ମାଲକାନଗିରିରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଜାଗୁଆର ନାମକ ଏକ ଘରୋଇ ବସ୍କୁ ପାଣ୍ଡରୀ ଥାନା ପୁଲିସ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବସ୍ର ଡିକି ଓ ସିଟ୍ ତଳୁ ୩ଟି ବସ୍ତାରୁ ୪୯ ପ୍ୟାକେଟ ଗଂଜେଇ ମିଳିଥିଲା। ଏହାର ଓଜନ ୨୪୫ କେଜି ହୋଇଥିବା ଜଣାପଡିଛି। ଯାହାର ବଜାର ମୂଲ୍ୟ ପ୍ରାୟ ୧ କୋଟି ୨୨ ଲକ୍ଷ ଟଂକା ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଅଭିଯୁକ୍ତ ଦିଲୀପ କୁମାର ମାଲକାନଗିରିର ଜଣେ ବରିଷ୍ଠ ବିଜେଡି ନେତ୍ରୀଙ୍କ ସ୍ୱାମୀ ବୋଲି ଜଣାପଡିଛି।
ଏହି ଘଟଣା ପରେ ମାଲକାନଗିରି ବିଜେଡି ଶିବିରରେ ଅସନ୍ତୋଷ ଦେଖିବାକୁ ମିଳିଛି। ବିଜେଡି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ। ଦିଲୀପ କୁମାର ବିଜେଡି ବଡ ବଡ ନେତାଙ୍କ ସହ ଫଟୋ ଉଠାଇ ଏହାର ଫାଇଦା ଉଠାଉଥିଲା ବୋଲି କୁହାଯାଇଛି। ପୋଲିସ ତିନି ଜଣଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି। ଏହି ଗଞ୍ଜେଇ ଚାଲାଣ ପଛରେ ଆଉ କିଏ ଅଛନ୍ତି ତାର ଖୋଳତାଡ଼ କରୁଛି ପୁଲିସ।
ସୌଜନ୍ୟ ସମ୍ବାଦ



