Gyanesh Kumar resignation: ଜ୍ଞାନେଶଙ୍କ ଇସ୍ତଫା ଦାବି: ଦିଲ୍ଲୀରେ କମ୍ପନ, ‘ଇଣ୍ଡି’ ମେଣ୍ଟର ପ୍ରତିବାଦ ପଦଯାତ୍ରା
ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ଏବଂ ସାମ୍ବିଧାନିକ ଅସଙ୍ଗତି ଅଭିଯୋଗକୁ ନେଇ ମଙ୍ଗଳବାର ଦେଶର ରାଜଧାନୀରେ ରାଜନୈତିକ କମ୍ପନ ଦେଖିବାକୁ ମିଳିଛି। କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶାସକ ଦଳକୁ ସବୁଠାରୁ ବଡ଼ ଆକ୍ରମଣ କରିଛନ୍ତି।

ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ଏବଂ ସାମ୍ବିଧାନିକ ଅସଙ୍ଗତି ଅଭିଯୋଗକୁ ନେଇ ମଙ୍ଗଳବାର ଦେଶର ରାଜଧାନୀରେ ରାଜନୈତିକ କମ୍ପନ ଦେଖିବାକୁ ମିଳିଛି। କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶାସକ ଦଳକୁ ସବୁଠାରୁ ବଡ଼ ଆକ୍ରମଣ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ମୁଖ୍ୟ ନିର୍ବାଚନ କମିସନର ‘ସିଇସି’ ଜ୍ଞାନେଶ କୁମାରଙ୍କ ବିରୋଧରେ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ‘ହାଇଜାକ୍’ ବା ଅପହରଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହି ସାମ୍ବିଧାନିକ ଅପରାଧ ତଥା ବେଆଇନ କାର୍ଯ୍ୟ ପାଇଁ ଦାୟୀ ଥିବା କୌଣସି ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଆଦୌ କ୍ଷମା କରାଯିବ ନାହିଁ ଏବଂ ସମସ୍ତଙ୍କୁ ଦୃଢ଼ ଭାବେ ଉତ୍ତରଦାୟୀ କରାଯିବ ବୋଲି ସେ କହିଛନ୍ତି।
ମଙ୍ଗଳବାର ସଂସଦ ଭବନରୁ ନିର୍ବାଚନ କମିସନଙ୍କ ମୁଖ୍ୟ କାର୍ଯ୍ୟାଳୟ ‘ନିର୍ବାଚନ ସଦନ’ ଅଭିମୁଖେ ବାହାରିଥିବା ‘ଇଣ୍ଡି’ ମେଣ୍ଟର ପ୍ରତିବାଦ ପଦଯାତ୍ରା ସମୟରେ ନୂଆଦିଲ୍ଲୀ ରାଜପଥରେ ପ୍ରବଳ ହାଇଡ୍ରାମା ଓ ଉତ୍ତେଜନା ଦେଖିବାକୁ ମିଳିଥିଲା। ସୁରକ୍ଷା କର୍ମୀମାନେ ନିତି ଆୟୋଗ କାର୍ଯ୍ୟାଳୟ ନିକଟରେ ସାଂସଦମାନଙ୍କୁ ପ୍ରଥମେ ଅଟକାଇବା ପରେ ସେମାନେ ରାସ୍ତା ଉପରେ ହିଁ ମିଳିତ ଧାରଣାରେ ବସି ରହିଥିଲେ। ଏହି ସମୟରେ ସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଥିଲା ଏବଂ ରାହୁଲ ଗାନ୍ଧୀ ତଥା ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ ପୁଲିସ ପ୍ରତିବନ୍ଧକ ବା ବାରିକେଡ୍ ଉପରକୁ ସିଧାସଳଖ ଚଢ଼ିଯାଇଥିଲେ। ପ୍ରତିବାଦ ସମୟରେ ପୁଲିସ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଟକ ରଖି ଏକ ବସ୍ରେ ନେବାକୁ ଚେଷ୍ଟା କରୁଥିବା ବେଳେ ସେ ତୁରନ୍ତ ବସ୍ରୁ ଓହ୍ଲାଇ ନିଜ ଭାଇଙ୍କ ସହ ପୁଲିସ ଅବରୋଧ ଏଡ଼ାଇ ଆକାଶବାଣୀ ଭବନ ପରିସର ମଧ୍ୟରେ ପ୍ରବେଶ କରିଥିଲେ ଓ ଏକ ଗଛ ମୂଳେ ବସି ରହିଥିଲେ। ଅପରାହ୍ଣରେ ଆକାଶବାଣୀ ଭବନ ନିକଟରେ ଉତ୍ତେଜନା ଚରମସୀମାରେ ପହଞ୍ଚିବାରୁ ପୁଲିସ ବଳପୂର୍ବକ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ପୁନର୍ବାର ଅଟକ ରଖି ସେଠାରୁ ନିକଟସ୍ଥ ପୁଲିସ ଥାନାକୁ ସ୍ଥାନାନ୍ତର କରିଥିଲା।
ରାହୁଲ-ପ୍ରିୟଙ୍କା ଅଟକ, ବାରିକେଡ୍ ଉପରକୁ ଚଢ଼ିଗଲେ
ଅପରପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓବ୍ରାଏନ୍, ଅଭିଷେକ ବାନାର୍ଜୀ ଏବଂ ଅନ୍ୟାନ୍ୟ ପ୍ରମୁଖ ବିରୋଧୀ ନେତାମାନଙ୍କୁ ମଧ୍ୟ ପୁଲିସ ଅଟକ ରଖି ବସ୍ରେ ସ୍ଥାନାନ୍ତର କରିଥିଲା। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଡିସିପି ସଚିନ ଶର୍ମା ଏକ ବିଶାଳ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପ୍ରଦର୍ଶନକାରୀଙ୍କୁ ହଟାଇବାକୁ ପ୍ରୟାସ କରିଥିଲେ। ମେଣ୍ଟର ସାଂସଦମାନେ ମୁଖ୍ୟ ନିର୍ବାଚନ କମିସନରଙ୍କ କଟ୍-ଆଉଟ୍ ଧରି ‘ଭୋଟ ଚୋର, ଗାଦି ଛାଡ଼’ ଭଳି ନାରାବାଜି କରିଥିଲେ। ରାହୁଲ ଗାନ୍ଧୀ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ସିଇସି ଜ୍ଞାନେଶ କୁମାର ପ୍ରଧାନମନ୍ତ୍ରୀ, ଅମିତ ଶାହ ଓ ମୋହନ ଭାଗବତଙ୍କୁ ନିର୍ବାଚନ ପ୍ରକ୍ରିୟା ହାଇଜାକ୍ କରିବାରେ ସମ୍ପୂର୍ଣ୍ଣ ବେଆଇନ ସହାୟତା କରିଛନ୍ତି, ଯାହା ଦେଶର ଗଣତନ୍ତ୍ରକୁ ଧ୍ୱଂସ କରିଦେଇଛି। ଦେଶ ଏବଂ ସମ୍ବିଧାନ ସହ କରାଯାଇଥିବା ଏହି ବ୍ୟବସ୍ଥା ଏକପ୍ରକାର ‘ଦେଶଦ୍ରୋହ’ ସଦୃଶ ଅଟେ। ସଂସଦରୁ ପଦଯାତ୍ରାରେ ଆସିଥିବା ବିରୋଧୀ ସାଂସଦଙ୍କୁ ମୁଖ୍ୟ ନିର୍ବାଚନ କମିସନର ସାକ୍ଷାତ ନ କରିବା ଏବଂ ପୁଲିସ ପକ୍ଷରୁ ମିଳୁଥିବା ଧମକ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ରାହୁଲ କହିଛନ୍ତି।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଏସ୍ଆଇଆର୍ ମାମଲାରେ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟକୁ ଗତକାଲି ନୋଟିସ୍ ଜାରି କରିବା ସହ ସଂଶୋଧିତ ଫର୍ମ ୬କୁ କୋର୍ଟ କୌଣସି ଅନୁମୋଦନ ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ ଜାତୀୟ ରାଜନୀତି ସରଗରମ ରହିଥିବା ବେଳେ ଆଇନଗତ ଲଢ଼େଇ ଏବଂ ଦେଶବ୍ୟାପୀ ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ ବୋଲି ବିରୋଧୀ ଦଳ ସ୍ପଷ୍ଟ କରିଛନ୍ତି।
‘ଇଣ୍ଡି’ ମେଣ୍ଟ ଆନ୍ଦୋଳନରେ ବିଜେଡି, ପଦଯାତ୍ରାରେ ସାମିଲ ହେଲେ ୨ ସାଂସଦ
ଭୁବନେଶ୍ବର/ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଏସ୍ଆଇଆର୍ ପ୍ରସଙ୍ଗରେ ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏକ ପଦଯାତ୍ରା ହୋଇଥିଲା। କଂଗ୍ରେସ ସମେତ ସଂସଦର ୧୯ଟି ବିରୋଧୀ ଦଳ ଏହି ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ବିଜେଡି ବି ଶେଷ ମୁହୂର୍ତ୍ତରେ ଏଥିରେ ସାମିଲ ହୋଇଛି। ଅଧିକାଂଶ ସମୟରେ ସମଦୂରତ୍ବ ନାଁରେ ‘ଇଣ୍ଡି’ ମେଣ୍ଟର ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ବିଜେଡି ହଠାତ ଏଭଳି ନିଷ୍ପତ୍ତି ନେବା ରାଜ୍ୟ ଓ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ଗତ ରାଜ୍ୟସଭା ନିର୍ବାଚନ ବେଳେ ବିଜେଡି ଓ କଂଗ୍ରେସ ମିଳିତ ପ୍ରାର୍ଥୀ ଦେଇଥିଲେ ହେଁ କୌଣସି ମେଣ୍ଟ ପ୍ରସଙ୍ଗରେ କେବେ ମିଳିତ ବୟାନ ଜାରି କରିନାହାନ୍ତି। ଏପରିକି ରାଜ୍ୟରେ ଏମ୍ଏମ୍ଡିଆର୍ ପ୍ରସଙ୍ଗ ହେଉ କି ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା; ସମାନ ପ୍ରସଙ୍ଗରେ ବି ପୃଥକ ପୃଥକ ଆନ୍ଦୋଳନ କରୁଥିଲେ। କିନ୍ତୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀରେ ବିଜେଡି ଦେଶର ସମସ୍ତ ବିଜେପି ବିରୋଧୀ ଦଳଙ୍କ ଆନ୍ଦୋଳନରେ ସାମିଲ ହୋଇଛି।
ସୌଜନ୍ୟ ସମ୍ବାଦ




