Indian: ଭାରତୀୟ ଧନୀ ବିଦେଶମୁହାଁ: ବିଦେଶରେ ରହୁଛନ୍ତି ୧୫୬ ଜଣ, ଆମେରିକାରେ ସର୍ବାଧିକ ୯୦ ଜଣ
ବିଦେଶରେ ବସବାସ କରିବା ପାଇଁ ଦେଶ ଛାଡ଼ୁଥିବା ଧନୀ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଦେଶରେ ବସବାସ କରୁଥିବା ଧନୀ ଭାରତୀୟଙ୍କ ସଂଖ୍ୟା ଚଳିତବର୍ଷ ୧୫୬ରେ ପହଞ୍ଚିଛି।

ନୂଆଦିଲ୍ଲୀ: ବିଦେଶରେ ବସବାସ କରିବା ପାଇଁ ଦେଶ ଛାଡ଼ୁଥିବା ଧନୀ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଦେଶରେ ବସବାସ କରୁଥିବା ଧନୀ ଭାରତୀୟଙ୍କ ସଂଖ୍ୟା ଚଳିତବର୍ଷ ୧୫୬ରେ ପହଞ୍ଚିଛି। ଗତବର୍ଷ ସେମାନଙ୍କ ସଂଖ୍ୟା ୧୦୧ରେ ଥିଲା। ଅର୍ଥାତ୍ ବର୍ଷକ ମଧ୍ୟରେ ଉକ୍ତ ସଂଖ୍ୟାରେ ୫୪ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ଏମ୍୩ଏମ୍ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୬ରୁ ଏହା ଜଣାଯାଇଛି।ଉକ୍ତ ତାଲିକାରେ ଧନୀ ଭାରତୀୟଙ୍କ ସଂଖ୍ୟା ୧୮୧୦ ରହିଛି। ସେମାନଙ୍କ ମଧ୍ୟରୁ ୧୬୫୪ ଜଣ ଭାରତରେ ବସବାସ କରୁଥିବାବେଳେ ଅବଶିଷ୍ଟ ୧୫୬ ଜଣ ବିଦେଶରେ ରହୁଛନ୍ତି। ୧୫୬ ଜଣଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ୯୦ ଜଣ ରହୁଛନ୍ତି। ଏହା ପଛକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ୩୧ ଜଣ ଏବଂ ବ୍ରିଟେନରେ ୧୬ ଜଣ ବସବାସ କରୁଛନ୍ତି। ସେହିଭଳି ସିଙ୍ଗାପୁରରେ ୭ ଜଣ, କାନାଡାରେ ୪ ଜଣ ଏବଂ ଚୀନରେ ୨ ଜଣ ବିତ୍ତଶାଳୀ ଭାରତୀୟ ରହୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା, ୟୁଏଇ ଓ ବ୍ରିଟେନକୁ ମିଶାଇଲେ ସେମାନଙ୍କ ସଂଖ୍ୟା ୧୩୭।
ବିଦେଶରେ ବସବାସ କରୁଥିବା ଧନୀ ଭାରତୀୟଙ୍କ ମଧ୍ୟରୁ ଲଣ୍ଡନରେ ରହୁଥିବା ଲକ୍ଷ୍ମୀ ନିବାସ ମିତ୍ତଲ ଓ ତାଙ୍କ ପରିବାରର ସମ୍ପତ୍ତି ହେଉଛି ସବୁଠୁ ଅଧିକ ଅର୍ଥାତ୍ ୩,୩୯,୩୦୦ କୋଟି ଟଙ୍କା। ୭୬ ବର୍ଷୀୟ ମିତ୍ତଲ ଭାରତୀୟ ଧନୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଆର୍ସେଲର ମିତ୍ତଲ କମ୍ପାନିର ମୁଖ୍ୟ ମିତ୍ତଲଙ୍କ ସମ୍ପତ୍ତି ଚଳିତବର୍ଷ ୯୩ ପ୍ରତିଶତ ବଢ଼ିଛି। ବିଦେଶରେ ରହୁଥିବା ଧନୀ ଭାରତୀୟଙ୍କ ମଧ୍ୟରେ ଅନିଲ ଅଗ୍ରୱାଲ ଦ୍ବିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ପରିବାରର ସମ୍ପତ୍ତି ୨,୦୮,୩୦୦ କୋଟି ଟଙ୍କା।
ସୌଜନ୍ୟ ସମ୍ବାଦ




