ଜାତୀୟବାଣିଜ୍ୟ

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut) ହୁଏ, ସେତେବେଳେ ଇନଭର୍ଟର ହିଁ ଆମକୁ ଗୁଳୁଗୁଳି ଓ ଗରମରୁ ରକ୍ଷା କରିଥାଏ। କିନ୍ତୁ ଅନେକ ସମୟରେ ସଠିକ୍ ରକ୍ଷଣାବେକ୍ଷଣ ଅଭାବରୁ ଏହି ଗରମ ଦିନରେ ହିଁ ଇନଭର୍ଟର ଶୀଘ୍ର ଖରାପ ହୋଇଯାଏ।

ଯଦି ଆପଣ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ରଖିବେ, ତେବେ ଆପଣଙ୍କ ଇନଭର୍ଟରର ବ୍ୟାକଅପ୍ (Backup) ବଢ଼ିବା ସହ ଏହାର ଆୟୁଷ ମଧ୍ୟ ଦୀର୍ଘ ହେବ। ଆସନ୍ତୁ ଜାଣିବା ଇନଭର୍ଟର ବ୍ୟାଟେରୀକୁ ସୁରକ୍ଷିତ ରଖିବାର କିଛି ସହଜ ଉପାୟ:

ବ୍ୟାଟେରୀ ଟର୍ମିନାଲରେ କାର୍ବନ ଜମିବା ସମସ୍ୟା:-
ଇନଭର୍ଟର ବ୍ୟାଟେରୀର ଇଲେକ୍ଟ୍ରିକାଲ ପଏଣ୍ଟ ବା ଟର୍ମିନାଲରେ ପ୍ରାୟତଃ କାର୍ବନ ଜମିଯାଏ, ଯାହା ଏକ ଧଳା ପପୁଡ଼ି ଭଳି ଦେଖାଯାଏ। ଏହା ଯୋଗୁଁ ବ୍ୟାଟେରୀକୁ ସଠିକ୍ ଭାବେ ବିଦ୍ୟୁତ ସଞ୍ଚାଳନ ହୋଇପାରେ ନାହିଁ, ଫଳରେ ବ୍ୟାଟେରୀ ଠିକ୍ ଭାବେ ଚାର୍ଜ ହୁଏନାହିଁ ଏବଂ ବ୍ୟାକଅପ୍ କମିଯାଏ।

ଏହି ସହଜ ଉପାୟରେ ପାଆନ୍ତୁ ମୁକ୍ତି:
ପେଟ୍ରୋଲିୟମ ଜେଲି (ଭାସଲିନ)ର ବ୍ୟବହାର: ବ୍ୟାଟେରୀ ଟର୍ମିନାଲକୁ ସଫା କରିବା ପରେ ସେଥିରେ ପେଟ୍ରୋଲିୟମ ଜେଲି ବା ଭାସଲିନର ଏକ ମୋଟା ସ୍ତର ଲଗାଇ ଦିଅନ୍ତୁ। ଏହା ଦ୍ୱାରା ବାୟୁ ଏବଂ ଆଦ୍ରତା ଟର୍ମିନାଲ ସଂସ୍ପର୍ଶରେ ଆସିପାରିବ ନାହିଁ ଏବଂ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ କାର୍ବନ ଜମିବ ନାହିଁ।

ବେକିଂ ସୋଡା ଏବଂ ଗରମ ପାଣି: କାର୍ବନ ସଫା କରିବା ପାଇଁ ଉଷୁମ ଗରମ ପାଣିରେ କିଛି ବେକିଂ ସୋଡା ମିଶାନ୍ତୁ। ଏବେ ଏକ ପୁରୁଣା ଟୁଥବ୍ରଶ ସାହାଯ୍ୟରେ ଟର୍ମିନାଲକୁ ଘଷି ଭଲଭାବେ ସଫା କରିଦିଅନ୍ତୁ।

ଟର୍ମିନାଲ୍କୁ ଟାଇଟ୍ ରଖନ୍ତୁ: ବ୍ୟାଟେରୀ ତାରକୁ କେବେ ବି ଢିଲା ଛାଡନ୍ତୁ ନାହିଁ। କନେକ୍ସନ ଢିଲା ରହିଲେ ସ୍ପାର୍କିଂ ହୁଏ, ଯାହା ଯୋଗୁଁ କାର୍ବନ ଶୀଘ୍ର ଜମିଥାଏ। ନଟ୍-ବୋଲ୍ଟକୁ ସଠିକ୍ ଭାବେ କସି ଦିଅନ୍ତୁ, କିନ୍ତୁ ଅଧିକ ଜୋରରେ କସନ୍ତୁ ନାହିଁ ଯେପରି ଟର୍ମିନାଲ ଭାଙ୍ଗି ନ ଯାଏ।

ଇନଭର୍ଟର ତାର ମୁଣ୍ଡରେ ଲାଗିଥିବା ରବରକୁ ବାହାର କରି ସଫା କରନ୍ତୁ, କାରଣ ରବର ତଳେ କାର୍ବନ ଜମିଲେ ତାର କଟିଯିବାର ଆଶଙ୍କା ଥାଏ। ପ୍ରତି ୧୫ ଦିନ କିମ୍ବା ମାସକରେ ଥରେ ବ୍ୟାଟେରୀକୁ ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ।

ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ:
ବାୟୁ ଚଳାଚଳ (Ventilation): ବ୍ୟାଟେରୀକୁ ସବୁବେଳେ ଏକ ବାୟୁ ଚଳାଚଳ କରୁଥିବା ଖୋଲା ସ୍ଥାନରେ ରଖନ୍ତୁ। ଗରମ ପରିବେଶରେ ବ୍ୟାଟେରୀରୁ ଅଧିକ ଗ୍ୟାସ ନିର୍ଗତ ହୁଏ, ଯାହା ଦ୍ୱାରା କାର୍ବନ ଏବଂ ଆଦ୍ରତା ସମସ୍ୟା ଶୀଘ୍ର ଦେଖାଦିଏ।

ଡିଷ୍ଟିଲ୍ଡ ୱାଟର (Distilled Water): ଯଦି ଆପଣଙ୍କ ପାଖରେ ଲିଡ୍-ଏସିଡ୍ ବ୍ୟାଟେରୀ ଅଛି, ତେବେ ପ୍ରତି ମାସରେ ଏହାର ଜଳ ସ୍ତର (Water Level) ଯାଞ୍ଚ କରନ୍ତୁ। ମନେରଖନ୍ତୁ, ବ୍ୟାଟେରୀରେ କେବଳ ଏବଂ କେବଳ ଡିଷ୍ଟିଲ୍ଡ ୱାଟର ହିଁ ବ୍ୟବହାର କରନ୍ତୁ, ସାଧାରଣ ପାଣି ଦିଅନ୍ତୁ ନାହିଁ।

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button