ରାଜ୍ୟ

Mathili: ରାସ୍ତା ନାହିଁ, ଆମ୍ୱୁଲାନ୍ସ ଅପହଞ୍ଚ; ୧୫ କିମି ଭାରରେ ବୁହା ହେଲେ ଗର୍ଭବତୀ, ମାଥିଲିରେ ଜନନୀ ଯନ୍ତ୍ରଣା

ମାଥିଲି, ୧୮।୧୧: ମାଥିଲି ବ୍ଲକରେ ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ କର୍ତ୍ତନପାଲି ପଞ୍ଚାୟତ ଗୁଗାପଦର ଗାଁର ଜଣେ ଗର୍ଭବତୀଙ୍କୁ ପାହାଡିଆ ରାସ୍ତାରେ ୧୫କିମି ବୁହାହୋଇ ଅଣାଯାଇଛି । ସେଠାରୁ ଆମ୍ବୁଲାନ୍ସ ଯୋଗେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଚିକିତ୍ସା ଜାରି ରହିଥିବା ଡାକ୍ତର କହିଛନ୍ତି । ଆଜି ଗାଁର ଆଡ଼ମି ମାଡକାମୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଯନ୍ତ୍ରଣାରେ ସେ ଛଟପଟ ହେଉଥିବା ଖବର ପାଇ ଗ୍ରାମବାସୀ ତୁରନ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଯୋଗାଯୋଗ କରିଥିଲେ । ସେ ନ ଆସିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଏକ ପ୍ଲାଷ୍ଟିକ ଡାଲାରେ ଭାର କରି ସମ୍ପୃକ୍ତ ମହିଳାଙ୍କୁ ପାହାଡିଆ ରାସ୍ତାରେ ପ୍ରାୟ ୧୫ କିମି ବୋହି ଆଣି କର୍ତ୍ତନପାଲି ଗାଁରେ ପହଞ୍ଚିଥିଲେ ।

 

ଇତିମଧ୍ୟରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । କର୍ତ୍ତନପାଲିରେ ଆମ୍ବୁଲାନ୍ସ ଅପେକ୍ଷା କରିଥିଲା । ସେଠାରୁ ଗର୍ଭବତୀଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ, କର୍ତ୍ତନପାଲିଠାରୁ ଗୁଗାପଦର ଗାଁ ପ୍ରାୟ ୧୫ କିମି ଦୂର । ଏହା ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଗାଁକୁ ଯିବା ପାଇଁ ରାସ୍ତା ନାହିଁ । ତେଣୁ ଜରୁରି ସମୟରେ ଲୋକେ ନାନା ହଇରାଣ ହେଉଛନ୍ତି । କେବଳ ସ୍ୱାସ୍ଥ୍ୟସେବା ନୁହେଁ, ଶିକ୍ଷା କ୍ଷେତ୍ରରେ ମଧ୍ୟ ଅଞ୍ଚଳବାସୀ ଅନେକ ସମସ୍ୟା ଭୋଗୁଛନ୍ତି । ପାହାଡ଼ିଆ ଅଞ୍ଚଳବାସୀଙ୍କ ଦୁଃଖ କେବେ ସରକାର ବୁଝିବେ ଏବଂ କେବେ ଏଠାରେ ମୌଳିକ ସୁବିଧା ଉପଲବ୍ଧ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନ କରାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button